Rajesh Khanna: ରାଜେଶ ଖାନ୍ନାଙ୍କ ସହ ସମ୍ପର୍କ ‘ବୈବାହିକ’ ନୁହେଁ ; ଅନୀତା ଆଡଭାନୀ କିଏ ? ଯାହାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ
ଅଭିନେତ୍ରୀ ଅନୀତା ଆଡଭାନୀଙ୍କୁ ବଡ ଝଟକା। ଦିବଂଗତ ଅଭିନେତା ରାଜେଶ ଖାନ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ଆଇନଗତ ସ୍ୱୀକୃତି ଦେବା ପାଇଁ କରାଯାଇଥିବା ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ନୂଆଦିଲ୍ଲୀ ୦୨।୦୪; ବମ୍ବେ ହାଇକୋର୍ଟ ଅନିତା ଆଡଭାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ସେ ଦିବଂଗତ ଷ୍ଟାର ରାଜେଶ ଖାନ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ବିବାହ ଭାବରେ ମାନ୍ୟତା ଦେବାକୁ ଦାବି କରିଥିଲେ। ଯାହା ଡିମ୍ପଲ କପାଡିଆ, ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଆଣିଛି। ଏହା ଉଲ୍ଲେଖନୀୟ ଯେ ଅନିତା ବହୁ ବର୍ଷ ଧରି ରାଜେଶଙ୍କ ପାର୍ଟନର ଭାବରେ ରହୁଥିବାର ଦାବି କରିଥିଲେ। ଏହି ଆଧାରରେ ସେ ରାଜେଶଙ୍କ ସମ୍ପତ୍ତିରେ ଅଂଶ ଏବଂ ତାଙ୍କ ଘରେ ରହିବାରକୁ ଚାହୁଁଥିଲେ । ତେବେ ଆସନ୍ତୁ ଜାଣିବା ଅନିତା ଆଡଭାନୀ କିଏ ? କିଛି ମାସ ପୂର୍ବରୁ ସେ ଦାବି କରିଥିଲେ ଯେ ରାଜେଶ ଖାନ୍ନା ତାଙ୍କ ଘରେ ଥିବା ମନ୍ଦିରରେ ସିକ୍ରେଟଲି ତାଙ୍କୁ ବିବାହ କରିଥିଲେ।
ଅନିତା ଆଡଭାନୀଙ୍କ ଆବେଦନ ଖାରଜ
ବୁଧବାର ଦିନ, ବିଚାରପତି ଶର୍ମିଲା ଦେଶମୁଖ ଦିଣ୍ଡୋଶୀ କୋର୍ଟ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ପୂର୍ବ ରାୟକୁ ସମର୍ଥନ କରିଥିଲେ ଏବଂ ଅନିତା ଆଡଭାନୀଙ୍କ ଆବେଦନକୁ ଖାରଜ କରିଥିଲେ। ବାର ଆଣ୍ଡ ବେଞ୍ଚ ଅନୁଯାୟୀ, ଅନିତା ଆଡଭାନୀ ୨୦୧୭ ମସିହାରେ ଦିଣ୍ଡୋଶୀ କୋର୍ଟ ଦ୍ୱାରା ଦିଆଯାଇଥିବା ରାୟ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ସେତେବେଳେ ଅନିତାଙ୍କ ଦ୍ୱାରା ଦାୟର କରାଯାଇଥିବା ମାମଲାକୁ ବୈଷୟିକ ଆଧାରରେ କୋର୍ଟ ଖାରଜ କରିଦେଇଥିଲେ। ପରବର୍ତ୍ତୀ ସମୟରେ, ବୁଧବାର ୧ ଏପ୍ରିଲରେ, ବମ୍ବେ ହାଇକୋର୍ଟ ଡିମ୍ପଲ କପାଡିଆ ଏବଂ ଅକ୍ଷୟ କୁମାରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲମାନଙ୍କ ଯୁକ୍ତି ଶୁଣି ଅନିତା ଆଡଭାନୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
୨୦୧୨ ମସିହାରୁ ଅନିତା ଆଡଭାନୀ ଏବଂ ରାଜେଶ ଖାନ୍ନାଙ୍କ ପରିବାର ମଧ୍ୟରେ ଏକ ଆଇନଗତ ଲଢ଼େଇ ଚାଲିଛି। ସେହି ସମୟରେ, ଅନେକ ସାକ୍ଷାତକାରରେ, ଅନିତା ଆଡଭାନୀ ଦାବି କରିଥିଲେ ଯେ ସେ ରାଜେଶ ଖାନ୍ନାଙ୍କ ସହିତ ତାଙ୍କ ବଙ୍ଗଳା ‘ଆଶୀର୍ବାଦ’ରେ ଅନେକ ବର୍ଷ ଧରି ତାଙ୍କର ଲିଭ୍-ଇନ୍ ପାର୍ଟନର ଭାବରେ ରହୁଥିଲେ। ଅନିତା ଖାନ୍ନାଙ୍କ ପରିବାର ବିରୁଦ୍ଧରେ ଏକାଧିକ ମାମଲା ଦାୟର କରିଥିଲେ। ସେ ଡିମ୍ପଲ କପାଡିଆ, ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ୍ ଖାନ୍ନାଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ମଧ୍ୟ ଦାୟର କରିଥିଲେ। ଏହା ବ୍ୟତୀତ ସେ ଅଭିଯୋଗ କରିଥିଲେ ଯେ ରାଜେଶଙ୍କ ମୃତ୍ୟୁ ପରେ, ତିନିଜଣ ତାଙ୍କୁ ବଙ୍ଗଳାରୁ ବାହାର କରିଦେଇଥିଲେ। ହାଇକୋର୍ଟ ଘରୋଇ ହିଂସା ମାମଲାକୁ ରଦ୍ଦ କରିଦେଇଥିଲେ। ହେଲେ ୨୦୧୫ ମସିହାରେ ବମ୍ବେ ହାଇକୋର୍ଟ ଡିମ୍ପଲ କପାଡିଆ, ଟ୍ୱିଙ୍କଲ ଏବଂ ଅକ୍ଷୟ କୁମାରଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଘରୋଇ ହିଂସା ମାମଲାକୁ ରଦ୍ଦ କରିଦେଇଥିଲେ। ବର୍ତ୍ତମାନ କୋର୍ଟ ରାଜେଶ ଖାନାଙ୍କ ସହିତ ଅନିତା ଆଡଭାନୀଙ୍କ ସମ୍ପର୍କକୁ ବିବାହ ଭାବରେ ମାନ୍ୟତା ଦେବାକୁ ମଧ୍ୟ ମନା କରିଦେଇଛନ୍ତି।
ଅନିତା ଆଡଭାନୀ କିଏ?
ଅନିତା ଆଡଭାନୀ ୧୯୮୦ ଦଶକର ଜଣେ ଅଭିନେତ୍ରୀ। ସେ ଆଓ ପ୍ୟାର କରେ, ସାଜିଶ ଏବଂ ଦାସି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ କ୍ୟାରିଅର କିମ୍ବା ଚଳଚ୍ଚିତ୍ର ଅପେକ୍ଷା ଅଧିକ ଚର୍ଚ୍ଚା ଥିଲା ରାଜେଶଙ୍କ ସହ ସମ୍ପର୍କ । ସେ ବିଗ୍ ବସ୍-୭ରେ ମଧ୍ୟ ନଜର ଆସିଥିଲେ। ଯେଉଁଠାରେ ସେ ରାଜେଶ ଖାନ୍ନାଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ଏକ ସାକ୍ଷାତକାରରେ ଅନିତା ଦାବି କରିଥିଲେ ଯେ ସେ ଏବଂ ରାଜେଶ ଲୁଚିଛପି ବିବାହ କରିଥିଲେ। ତା’ପରେ ସେ ତାଙ୍କ ସହିତ ତାଙ୍କ ବଙ୍ଗଳାରେ ଲିଭ-ଇନ୍ ପାର୍ଟନର ଭାବରେ ରହୁଥିଲେ। ରାଜେଶ ଖାନ୍ନା ୧୯୭୩ ମସିହାରେ ଡିମ୍ପଲ କପାଡିଆଙ୍କୁ ବିବାହ କରିଥିଲେ, କିନ୍ତୁ କିଛି ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇ ଯାଇଥିଲେ। ହେଲେ ସେମାନେ ଛାଡପତ୍ର ଦେଇ ନଥିଲେ। ଏହି ସମୟରେ ଅନିତା ଆଡଭାନୀ ରାଜେଶଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ। ରିପୋର୍ଟ ଅନୁଯାୟୀ, ରାଜେଶ ଏବଂ ଅନିତା ୨୦୦୪ ମସିହାରେ ଏକାଠି ରହିବା ଆରମ୍ଭ କରିଥିଲେ ଏବଂ ୨୦୧୨ ମସିହାରେ ଅଭିନେତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କ ସ୍ଥାୟୀ ଥିଲା।
ରାଜେଶଙ୍କ ଘର ମନ୍ଦିରରେ ଅନିତାଙ୍କୁ କରିଥିଲେ ବିବାହ
ଏକ ସାକ୍ଷାତକାରରେ, ଅନିତା ଆଡଭାନୀ ଦାବି କରିଥିଲେ ଯେ ରାଜେଶ ଖାନ୍ନା ତାଙ୍କ ପାଇଁ ସୁନା ଚୁଡ଼ି ତିଆରି କରିଥିଲେ ଏବଂ ତାଙ୍କୁ ଘର ମନ୍ଦିରରେ ବିବାହ କରିଥିଲେ। ଅନିତାଙ୍କ ଅନୁସାରେ, ସିନ୍ଦୁର ଲଗାଇବା ପରେ, ରାଜେଶ ତାଙ୍କୁ କହିଥିଲେ, ଆଜିଠାରୁ, ତୁମେ ମୋର ଦାୟିତ୍ୱ।ଅନିତା ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ୨୦୦୦ ମସିହାରେ ଯେତେବେଳେ ରାଜେଶଙ୍କୁ କର୍କଟ ରୋଗ ହୋଇଥିଲା, ସେତେବେଳେ ସେ ତାଙ୍କ ସହିତ ତାଙ୍କ ବଙ୍ଗଳା ‘ଆଶୀର୍ବାଦ’ରେ ଥିଲେ। ରାଜେଶଙ୍କ ପରିବାର ମଧ୍ୟ ଭଲ ଭାବରେ ଜାଣିଥିଲେ ଯେ ସେମାନେ ଦୁହେଁ ଏକାଠି ରହୁଛନ୍ତି।
ସୌଜନ୍ୟ Prameya News7




