ଓଡିଶା

Forest: ଏମ୍ଏ‌ସ୍‌ପି ଧାର୍ଯ୍ୟ କରି କାମ ସାରିଦେଲେ: ଶାଳମଞ୍ଜିର ମୂଲ ବି ମିଳୁନି

ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଅଧିବାସୀଙ୍କଠାରୁ ସରକାର ଲଘୁ ବନଜାତ ସାମଗ୍ରୀ କିଣିବେ। ଏଥିପାଇଁ ସେମାନଙ୍କୁ ଆଉ ଦଲାଲଙ୍କ ଶିକାର ହେବାକୁ ପଡ଼ିବନି। ସ୍ବତନ୍ତ୍ର ବଜାର ବ୍ୟବସ୍ଥା ବି ହେବ।

ତେଜସ୍କର ମହାପାତ୍ର

ସମ୍ବଲପୁରଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଅଧିବାସୀଙ୍କଠାରୁ ସରକାର ଲଘୁ ବନଜାତ ସାମଗ୍ରୀ କିଣିବେ। ଏଥିପାଇଁ ସେମାନଙ୍କୁ ଆଉ ଦଲାଲଙ୍କ ଶିକାର ହେବାକୁ ପଡ଼ିବନି। ସ୍ବତନ୍ତ୍ର ବଜାର ବ୍ୟବସ୍ଥା ବି ହେବ। ଏଭଳି କିଛି ସ୍ବପ୍ନ ଦେଖାଇ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କଲେ। ୨୦୨୨-୨୦୨୩ ମସିହାରେ ଲୋକଙ୍କଠାରୁ ଶାଳମଞ୍ଜି କିଣାଗଲା। ଲଘୁ ବନଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ କିଣିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ପ୍ରଡ୍ୟୁସର ଗ୍ରୁପ୍‌ଙ୍କୁ ବି ସାମିଲ କରାଗଲା। କିନ୍ତୁ ମଞ୍ଜି ବିକ୍ରି ପରେ ଟଙ୍କା ପ୍ରଦାନରେ ଟାଳଟୁଳ ନୀତି ଆପଣାଇଲେ ସରକାର। ଏହା ପରଠାରୁ ୨୦୨୪, ୨୦୨୫ ମସିହାରେ ସମ୍ବଲପୁର ଜିଲ୍ଲାରୁ ସରକାରୀ ଭାବେ କେଜିଏ ବି ଶାଳମଞ୍ଜି କିଣାଗଲାନି। ଏବେ ପୁଣି ଫୁଲ ଧରିବା ଆରମ୍ଭ ହୋଇଯାଇଥିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ଶାଳମଞ୍ଜି କ୍ରୟ ନେଇ କୌଣସି ପଦକ୍ଷେପ ଆରମ୍ଭ ହୋଇନି। ଫଳରେ ବିଗତ ୨ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଲୋକେ ଦଲାଲ୍‌ଙ୍କ ହାତରେ କମ୍ ମୂଲ୍ୟରେ ମଞ୍ଜି ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ଅଭିଯୋଗ ହେଲାଣି। ଏ ନେଇ ଟିଡିସିସି ଶାଖା ପରିଚାଳକ ହେମସାଗର ଭୋଇଙ୍କୁ ପଚାରିବାରୁ, ୨୦୨୫ରେ ଏମ୍‌ଏସ୍‌ପିରୁ ବଜାର ଦର ଅଧିକ ରହିଥିବା ବେଳେ ଚଳିତ ବର୍ଷ ମଞ୍ଜି କିଣିବା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ଆସିନଥିବା କହିଛନ୍ତି।

ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଓ ବିକ୍ରିରେ ସମ୍ବଲପୁର ଜିଲ୍ଲା ରାଜ୍ୟର ଅନ୍ୟତମ ପ୍ରମୁଖ ଜିଲ୍ଲା ଭାବେ ଜଣାଶୁଣା। ୨୦୨୩ ମସିହାରେ ଶେଷ ଥର ପାଇଁ ସରକାର ଟିଡିସିସି ମାଧ୍ୟମରେ ଏଠାକାର ଲୋକଙ୍କଠାରୁ ଶାଳମଞ୍ଜି କିଣିଥିଲେ। ସେହି ସମୟରେ ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା, ଯୁଯୁମୁରା, ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌ରୁ ପ୍ରାୟ ୩୦ ହଜାର କ୍ବିଣ୍ଟାଲ୍‌ ଶାଳମଞ୍ଜି କିଣାଯାଇଥିଲା। ଯୁଯୁମୁରା ବ୍ଲକ୍‌ ମେଘପାଳ ପଞ୍ଚାୟତର ପ୍ରଡ୍ୟୁସର ଗ୍ରୁପ୍ ସଦସ୍ୟ ଫୁଲବତୀ ବାର୍ଲାଙ୍କ କହିବାନୁସାରେ, ୨୦୨୩ ମସିହାରେ ସରକାରଙ୍କ ପକ୍ଷରୁ ମଞ୍ଜି କ୍ବିଣ୍ଟାଲ୍‌ ପିଛା ୨୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେ ଓ ତାଙ୍କ ଗ୍ରୁପ୍‌ର ସଦସ୍ୟ ମିଶି ପ୍ରାୟ ୪ ଶହ କ୍ବିଣ୍ଟାଲ୍‌ ଶାଳମଞ୍ଜି ଟିଡିସିସି ସହାୟତାରେ ବିକ୍ରି କରିଥିଲେ। କିନ୍ତୁ ଧାନ ଭଳି ଏହି ମଞ୍ଜି କିଣାରେ କଟନିଛଟନି ଲାଗୁ ହୋଇଥିଲା।

କ୍ବିଣ୍ଟାଲ୍‌ ପିଛା ୨-୩ କେଜି କଟନି ହୋଇଥିଲା। ମାତ୍ର ସେଥିରେ ବି ମନ ବଳିଲାନି ଯେ ଟଙ୍କା ପ୍ରଦାନରେ ଟାଳଟୁଳ ନୀତି ଆପଣାଇଥିଲେ ସରକାର। ବାରମ୍ବାର ସମ୍ବଲପୁରକୁ ଆସି ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ଖାତାକୁ ଟଙ୍କା ଆସିଥିବା ଶ୍ରୀମତୀ ବାର୍ଲା କହିଛନ୍ତି। ଏହାପରେ ୨୦୨୪ ଓ ୨୦୨୫ ମସିହାରେ ସେମାନଙ୍କୁ ଓରମାସ୍ ପକ୍ଷରୁ ଶାଳମଞ୍ଜି ବିକ୍ରି ନେଇ କୌଣସି ଯୋଗାଯୋଗ କରାଯାଇ ନଥିବା ସେ କହିଛନ୍ତି। ଶାଳମଞ୍ଜି ଗୋଟାଇବାଠାରୁ ବିକ୍ରି ପାଇଁ ପ୍ରସ୍ତୁତ ହେବା ଯାଏଁ ଅନ୍ୟୂନ ୧୦ରୁ ୧୫ ଦିନ ସମୟ ଲାଗିଥାଏ। ଜଣେ ବ୍ୟକ୍ତି ସକାଳୁ ସଞ୍ଜ ଯାଏଁ ଗୋଟାଇଲେ ୩ ବସ୍ତା ଫୁଲପାଖୁଡ଼ା ଲାଗିଥିବା ମଞ୍ଜି ହୋଇଥାଏ। ତାକୁ ଆଣି ଶୁଖାଇବା ପରେ ଶିଳରେ ଛେଚି ମଞ୍ଜି ବାହାର କରିବାକୁ ପଡ଼େ। ଏସବୁ ପ୍ରକ୍ରିୟା ଶେଷ ହେଲା ବେଳକୁ ୩ ବସ୍ତାରୁ ହାରାହାରି ୧ ବସ୍ତା ମଞ୍ଜି ବାହାରିଥାଏ। ଏତେ ପରିଶ୍ରମ ପରେ ବି ସରକାରଙ୍କ ଏମ୍‌ଏସ୍‌ପିରେ କୌଣସି ପରିବର୍ତ୍ତନ ହେଉନଥିବା ବେଳେ ଯେତିକି ଏମ୍‌ଏସ୍‌ପି ରହିଛି ସେଥିରେ ମଧ୍ୟ ସରକାର ଶାଳମଞ୍ଜି କିଣୁନାହାନ୍ତି। ଏହାର ସୁଯୋଗ ନେଇ ଗାଁଗାଁରେ ଦଲାଲ୍ ବୁଲି ଲୋକଙ୍କଠାରୁ କେଜି ପିଛା ୧୨ରୁ ୧୪ ଟଙ୍କା ଦରରେ ଶାଳମଞ୍ଜି କିଣି ନେଉଥିବା ଅଭିଯୋଗ ହେଉଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button