ଓଡିଶା

OPHWC: ବନ୍ଧା ହେଲେ ଓପିଏଚ୍‌ଡବ୍ଲୁସିର ଡେପୁଟି ମ୍ୟାନେଜର: ବାବୁଙ୍କ ପାଖରେ ୨୯ ପ୍ଲଟ୍‌, ଫ୍ଲାଟ୍‌, କେଜିଏରୁ ଅଧିକ ସୁନା

ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓପିଏଚ୍‌ଡବ୍ଲ୍ୟୁସିର କୁବେର ପ୍ରୋଜେକ୍ଟ ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ‌ଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି।

ଭୁବନେଶ୍ବର/ସମ୍ବଲପୁର: ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓପିଏଚ୍‌ଡବ୍ଲ୍ୟୁସିର କୁବେର ପ୍ରୋଜେକ୍ଟ ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ‌ଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଲାଞ୍ଚ ମାମଲାର ଖୋଳତାଡ଼ ବେଳେ ବାବୁଙ୍କର ରାଜଧାନୀରେ ଫ୍ଲାଟ୍‌ ସାଙ୍ଗକୁ ବହୁତଳ କୋଠା, ବିଭିନ୍ନ ସ୍ଥାନରେ ୨୯ଟି ପ୍ଲଟ୍‌, ଘରୁ ୧.୧୪୦ କେଜି ସୁନାଗହଣା ଠାବ ହୋଇଛି। ଏ ପର୍ଯ୍ୟନ୍ତ ଠାବ ହୋଇଥିବା ସମ୍ପତ୍ତି ପରିମାଣ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

Rajyasabha: ରାଜ୍ୟସଭା ନିର୍ବାଚନ ପରେ ବିହାରରେ ସମୀକରଣ ବଦଳିଲା

ମଙ୍ଗଳବାର ଶ୍ରୀ ଭୋଳ ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଫେରିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରେ କାବୁ କରି ନଗଦ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ଜବତ କରିଥିଲା। ପରେ ଭିଜିଲାନ୍ସର ଏକାଧିକ ଟିମ୍‌ ସମାନ୍ତରାଳ ଭାବେ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମର ଭଞ୍ଜନଗରସ୍ଥିତ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲେ। ଗତକାଲି ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀ ଭୋଳଙ୍କ ଘରୁ ୫,୪୧,୭୦୦ ଟଙ୍କା ଓ ରସୁଲଗଡ଼ସ୍ଥିତ ଭଉଣୀ ଘରୁ ନଗଦ ୩୮,୮୧,୦୦୦ ଟଙ୍କା ଜବତ କରାଯାଇଥିଲା।

ଘରୁ ଓ ଭଉଣୀ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା ମିଳିବା ପରେ ଭିଜିଲାନ୍ସ ଟିମ୍‌ ଶ୍ରୀ ଭୋଳଙ୍କୁ ମାରାଥନ୍‌ ଜେରା କରି ଗୋଟିଏ ପରେ ଗୋଟିଏ ତଥ୍ୟ ଓଗାଳିଥିଲା। ଆଜି ଚଢ଼ଉ ବେଳେ ବାବୁଙ୍କର ରାଜଧାନୀରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଏକ ଫ୍ଲାଟ୍‌, ଜଟଣୀ, ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ୨୯ଟି ପ୍ଲଟ୍‌ ଏବଂ ଭଞ୍ଜନଗର ଅଞ୍ଚଳରେ ୨ଟି ବହୁତଳ କୋଠା ଠାବ କରାଯାଇଛି। ୨୯ଟି ପ୍ଲଟ୍‌ର ମୂଲ୍ୟ ୪ କୋଟି ଟଙ୍କାରୁ ଅଧିକ ହେବ। ଚଢ଼ଉ ସମୟରେ ୧.୧୪୦ କେଜି ସୁନାଗହଣା ମଧ୍ୟ ଜବତ କରାଯାଇଛି।‌ ଯେଉଁଥିରେ ୬ଟି ସୁନା କଏନ୍‌ ଓ ୨ଟି ସୁନା ବିସ୍କୁଟ୍ ରହିଛି। ଏହାଛଡ଼ା ବ୍ୟାଙ୍କ, ମ୍ୟୁଚୁଆଲ୍‌ ଫଣ୍ଡ, ବଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କା ନିବେଶ ହୋଇଥିବା ଜଣାପଡ଼ିଛି।

ଶ୍ରୀ ଭୋଳ ୧୯୯୮ ମସିହାରେ ୭୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିବା ବେଳେ ୨୦୨୪ ମସିହାରୁ ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ (ଓପିଏଚ୍‌ଡବ୍ଲ୍ୟୁସି)ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ୭ ହଜାର ଟଙ୍କାରୁ ବାବୁ କିଭଳି ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମାଲିକ ହେଲେ? କେଉଁଠୁ ଏତେ କଳା ଟଙ୍କା ଆଣୁଥିଲେ? ଏଭଳି ଜଣେ ଦାଗି ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଥିଲା, ସେ ସଂପର୍କରେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button