ଅର୍ଥନୀତିଦେଶ ବିଦେଶବାଣିଜ୍ୟ

Economic war: ତେଜିଲା ଅର୍ଥନୈତିକ ଯୁଦ୍ଧ: ଜଳୁଛି ବିଶ୍ବର ସର୍ବବୃହତ୍‌ ଗ୍ୟାସ୍‌ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌

ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି। ଇରାନ ପ୍ରତିରକ୍ଷା ବାହିନୀ ଆଜି କୁଏତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛି।

ତେହେରାନ/ୱାସିଂଟନ: ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି। ଇରାନ ପ୍ରତିରକ୍ଷା ବାହିନୀ ଆଜି କୁଏତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛି। ତେହେରାନର ଏହି ରଣନୈତିକ ପରିବର୍ତ୍ତନ ଉପସାଗରୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହା କେବଳ ସାମରିକ ପ୍ରତିରୋଧ ନୁହେଁ, ପାରସ୍ପରିକ ବିନାଶ ପାଇଁ ବିଧ୍ବଂସକାରୀ ରଣନୀତି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି। ଇରାନ ଏହା ଦର୍ଶାଇବାକୁ ଚାହୁଛି ଯେ ଯଦି ଆମେରିକା ଇରାନର ଅର୍ଥନୀତିକୁ ପଙ୍ଗୁ କରିଦିଏ, ତେବେ କୌଣସି ପଡ଼ୋଶୀ ତୈଳ ରପ୍ତାନିକାରୀ ଦେଶ ମଧ୍ୟ ସୁରକ୍ଷିତ ରହିବେ ନାହିଁ। ଏହି ସଂଘର୍ଷ କେବଳ ହର୍ମୁଜ ପ୍ରଣାଳୀ ବା ପରମାଣୁ କାର୍ଯ୍ୟକ୍ରମରେ ସୀମିତ ରହିନାହିଁ, ବିଶ୍ୱ ଶକ୍ତି ବଜାରର ମେରୁଦଣ୍ଡ କୁହାଯାଉଥିବା ଭିତ୍ତିଭୂମିକୁ ଛାରଖାର କରିବା ପାଇଁ ଏକ ସଂଗ୍ରାମରେ ପରିଣତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ ଏବଂ ପରିବହନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେବା ପରେ ସଙ୍କଟ ଆହୁରି ଗମ୍ଭୀର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କୁଏତର ‘ମୀନା ଅଲା-ଅହମଦୀ’ ତୈଳ ବିଶୋଧନାଗାର ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ବିଶୋଧନ ପ୍ଲାଣ୍ଟକୁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ କରିଛି। ମରୁଭୂମି ଅଞ୍ଚଳରେ ରହୁଥିବା ସାଧାରଣ ଜନତାଙ୍କ ପାଇଁ ଏହି ଜଳ ପ୍ରକଳ୍ପଗୁଡ଼ିକ ଜୀବନରେଖା ସଦୃଶ ହୋଇଥିବାରୁ ଏହି ଆକ୍ରମଣ ଗଲ୍‌ଫ ସହଯୋଗ ପରିଷଦ (ଜିସିସି) ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଆଜି ଆବୁଧାବିସ୍ଥିତ ବିଶ୍ୱର ଅନ୍ୟତମ ବୃହତ୍ତମ ଗ୍ୟାସ୍ ପ୍ରକ୍ରିୟାକରଣ କେନ୍ଦ୍ର ‘ହବସାନ୍’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରର ଧ୍ବଂସାବ‌ଶେଷ ପଡ଼ିବା ପରେ ଏହି କେନ୍ଦ୍ରରେ ନିଆଁ ଲାଗିଯାଇଛି ଏବଂ ଲିଭାଇବା ପ୍ରକ୍ରିୟା ଜାରି ରହିଛି। ସେହିପରି ୟୁଏଇରେ ଆମାଜନ, ଓରାକଲ୍ ଭଳି ପଶ୍ଚିମ ଟେକ୍ କମ୍ପାନିଗୁଡ଼ିକର ଡାଟା ସେଣ୍ଟର ଓ ଏକ ପ୍ରମୁଖ ଗ୍ୟାସ୍‌ ପ୍ଲାଣ୍ଟ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି।

ତେହେରାନର ରଣନୈତିକ ପରିବର୍ତ୍ତନ
ସୁରକ୍ଷିତ ରହିବେନି ତୈଳ ରପ୍ତାନିକାରୀ ରାଷ୍ଟ୍ର
ଦ୍ବିତୀୟ ଯୁଦ୍ଧ ବିମାନ ହରାଇଲା ଆମେରିକା
ଖୁବ୍‌ଶୀଘ୍ର ହର୍ମୁଜ ପ୍ରଣାଳୀ ଖୋଲିଦେବୁ: ଟ୍ରମ୍ପ

ଇସ୍ରାଏଲ ସହ ଇରାନର ଯୁଦ୍ଧ ମଧ୍ୟ ଭୟଙ୍କର ରୂପ ନେଇଛି। ଇରାନର ବାଲିଷ୍ଟିକ୍‌ ମିସାଇଲ୍‌ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରି ରମାତ୍ ଗନ୍ ଓ ତେଲ୍ ଅଭିଭ୍ ସହରର ବିଭିନ୍ନ ଜନବସତି ଅଞ୍ଚଳରେ ମାଡ଼ ହୋଇଛି, ଯେଉଁଥିରେ ଘର ଓ ଗାଡ଼ିଗୁଡ଼ିକ ନଷ୍ଟ ହୋଇଛି। ହାଇଫାରେ ଥିବା ତୈଳ ହବ୍‌କୁ ମଧ୍ୟ ରକେଟ୍ ମାଧ୍ୟମରେ ଟାର୍ଗେଟ୍‌ କରାଯାଇଛି। ଏହାର ପ୍ରତିକ୍ରିୟାରେ ହ୍ବାଇଟ୍ ହାଉସ୍ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଆମେରିକା ସାମରିକ ବାହିନୀ ଇରାନର ଭିତ୍ତିଭୂମି ଧ୍ୱଂସ କରିବା ଏପର୍ଯ୍ୟନ୍ତ ଆରମ୍ଭ ମଧ୍ୟ କରିନାହିଁ। ଆଗକୁ ବିଧ୍ବଂସ ଆସୁଛି। ଆମେ ଖୁବ୍‌ଶୀଘ୍ର ହର୍ମୁଜ ପ୍ରଣାଳୀ ଖୋଲିଦେବୁ ଏବଂ ତୈଳ ବିକ୍ରି କରି ଲାଭ ଉଠାଇବୁ। ସେ ଆହୁରି ମଧ୍ୟ ସଂକେତ ଦେଇଛନ୍ତି ଯେ ଏସୀୟ ଦେଶଗୁଡ଼ିକ ଯେଉଁମାନେ ଗଲ୍‌ଫ ତୈଳର ମୁଖ୍ୟ ଗ୍ରାହକ, ସେମାନଙ୍କୁ ନିଜ ଟ୍ୟାଙ୍କରର ସୁରକ୍ଷା ଦାୟିତ୍ୱ ନିଜକୁ ନେବାକୁ ପଡ଼ିବ।

ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ୍‌ (ଆଇଆର୍‌ଜିସି) ୨୪ ଘଣ୍ଟା ମଧ୍ୟରେ ଆମେରିକାର ଦ୍ୱିତୀୟ ଯୁଦ୍ଧ ବିମାନ ଖସାଇ ଦେଇଥିବା ଦାବି କରିଛି। ଗତକାଲି ଏକ ଏଫ୍‌-୧୫ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ବେଳେ ଆଜି ଏଫ୍‌-୩୫ ଷ୍ଟେଲ୍‌ଥ ବିମାନକୁ ମଧ୍ୟ ସଫଳତାର ସହ ଖସାଇ ଦିଆଯାଇଛି ଏବଂ ଏହାର ପାଇଲଟ୍‌ଙ୍କୁ ବନ୍ଦୀ କରାଯାଇଥିବା ଇରାନ ସେନା ଦାବି କରିଛି। ଅନ୍ୟପକ୍ଷରେ ଇରାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଜଭାଦ ଜାରିଫ୍ କହିଛନ୍ତି, ଇରାନକୁ ବିଜୟୀ ଘୋଷଣା କରି ଶାନ୍ତି ଆଲୋଚନା ଆରମ୍ଭ କଲେ ପରିସ୍ଥିତି ବଦଳିଯିବ। ସେ ପ୍ରସ୍ତାବ ଦେଇଛନ୍ତି ଯେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ସୀମିତ ରଖିବ ଏବଂ ହର୍ମୁଜ ପ୍ରଣାଳୀକୁ ଖୋଲିଦେବ। ତେବେ ଏହା ବଦଳରେ ଆମେରିକା ସମସ୍ତ କଟକଣା ହଟାଇବା ଉଚିତ ବୋଲି ସେ କହିଛନ୍ତି।  ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ମିଳିତ ଜାତିସଂଘ ସୂଚନା ଦେଇଛି ଯେ ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ୟୁରୋପୀୟ ସଂଘ (ଇୟୁ) ମଧ୍ୟ ନିଜର ଆର୍ଥିକ ନିୟମରେ କୋହଳ କରିବାକୁ ବିଚାର କରୁଛି, ଯେପରି ଅର୍ଥନୈତିକ ମାନ୍ଦାବସ୍ଥାରୁ ରକ୍ଷା ମିଳିପାରିବ। ଅନ୍ତର୍ଜାତୀୟ ଆଇନ ବିଶେଷଜ୍ଞମାନେ ସାଧାରଣ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିବା ଜେନେଭା ଚୁକ୍ତିର ଉଲ୍ଲଂଘନ ବୋଲି କହିଛନ୍ତି।

ସୌଜନ୍ୟ ସମ୍ବାଦ

 

 

 

Show More

Leave a Reply

Your email address will not be published. Required fields are marked *

Back to top button