Engineer Joins Indian Army: ୪୬ ଲକ୍ଷର ପ୍ୟାକେଜ୍ ଛାଡ଼ି ଭାରତୀୟ ସେନାରେ ଯୋଗଦେଲେ ଇଞ୍ଜିନିୟର, ପୂରଣ କଲେ ପିଲାଦିନର ସ୍ୱପ୍ନ

ନୂଆଦିଲ୍ଲୀ, ୧୦/୦୯: ଲକ୍ଷ୍ନୌର ବାସିନ୍ଦା ଶାରଦେନ୍ଦୁ ତିୱାରୀଙ୍କ ପାଖରେ ଥିଲା ଏକ ଚମତ୍କାର କର୍ପୋରେଟ୍ କ୍ୟାରିଅରର ସୁଯୋଗ। ୨୭ ବର୍ଷ ବୟସରେ ସେ ଆମାଜନ୍ରେ ଲୋଭନୀୟ ଚାକିରି ପାଇଥିଲେ। ପରେ ଏୟାରବସ୍ ଭଳି ପ୍ରତିଷ୍ଠିତ କମ୍ପାନୀରେ କାମ କରିବାର ସୁଯୋଗ ମଧ୍ୟ ତାଙ୍କ ହାତକୁ ଆସିଥିଲା। ବାର୍ଷିକ ୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ସହ ତାଙ୍କ କ୍ୟାରିଅର ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। କିନ୍ତୁ ମୋଟା ଅଙ୍କର ଦରମା ଓ ନିରାପଦ କର୍ପୋରେଟ୍ ଜୀବନ ତାଙ୍କ ପିଲାଦିନର ସ୍ୱପ୍ନକୁ ଦୁର୍ବଳ କରିପାରିଲା ନାହିଁ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା-ଭାରତୀୟ ସେନାରେ ଯୋଗଦେଇ ଦେଶସେବା କରିବା।
ଶାରଦେନ୍ଦୁଙ୍କ ଏହି ସ୍ୱପ୍ନ ପଛରେ ତାଙ୍କ ପରିବାରର ମଧ୍ୟ ଏକ ବଡ଼ ଭୂମିକା ରହିଛି। ତାଙ୍କ ବାପା କ୍ୟାପ୍ଟେନ୍ ରାଜ କୁମାର ତିୱାରୀ ଭାରତୀୟ ସେନାରେ ଦୀର୍ଘ ୩୬ ବର୍ଷ ସେବା କରିଥିଲେ। ସେନା ୟୁନିଫର୍ମରେ ବାପାଙ୍କୁ ଦେଖି ବଡ଼ ହୋଇଥିବା ଶାରଦେନ୍ଦୁଙ୍କ ମନରେ ମଧ୍ୟ ପିଲାଦିନରୁ ସେନାରେ ଯୋଗଦେବାର ଇଚ୍ଛା ଜନ୍ମ ନେଇଥିଲା। ଶିକ୍ଷା କ୍ଷେତ୍ରରେ ମଧ୍ୟ ଶାରଦେନ୍ଦୁଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। କେନ୍ଦ୍ରୀୟ ବିଦ୍ୟାଳୟରୁ ପାଠପଢ଼ା ଶେଷ କରିବା ପରେ ସେ ପିଇସି ଚଣ୍ଡିଗଡ଼ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ପ୍ରଯୁକ୍ତି କ୍ଷେତ୍ରରେ ନିଜର ଏକ ସଫଳ କ୍ୟାରିଅର ଗଢ଼ିଥିଲେ। ଆମାଜନ ସେ କ୍ଲାଉଡ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ଏହାପରେ ଏୟାରବସ୍ ମଧ୍ୟ ତାଙ୍କୁ ଚୟନ କରିଥିଲା।
ସୌଜନ୍ୟ ପ୍ରମେୟ




