ଜାତୀୟ

‘ରବର ବ୍ରାଇଡ୍’ ଗ୍ୟାଙ୍ଗର ଖେଳ ଖତମ୍…ଫୋନ୍ କଲ୍ ଖୋଲିଲା ଠକେଇର ରହସ୍ୟ, ମିଥ୍ୟା ବିବାହ ଜରିଆରେ ଲୁଟୁଥିଲେ, ୧୦ ଜଣଙ୍କୁ ବାନ୍ଧିଲା ପୁଲିସ

ଧାନବାଦ,୧୦/୦୯: ବିହାରରେ ‘ରବର ବ୍ରାଇଡ୍’ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ମିଥ୍ୟା ବିବାହ ଜରିଆରେ ଲୋକଙ୍କୁ ଠକୁଥିଲେ । ଅନେକ ପରିବାରଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେବାରେ ଏମାନେ ସଫଳ ହୋଇଛନ୍ତି । ବିବାହ ବାହାନାରେ ପରିବାରଗୁଡ଼ିକୁ ଜାଲରେ ଫସାଉଥିବା ୧୦ ଜଣିଆ ଗ୍ୟାଙ୍ଗକୁ ପୁଲିସ କାବୁ କରିଛି । ସମସ୍ତଙ୍କୁ ଗିରଫ କରାଯାଇଛି । ‘ରବର ବ୍ରାଇଡ୍’ ଭାବେ ନାମିତ ଏହି ଗ୍ୟାଙ୍ଗ ବିବାହ ପ୍ରସ୍ତାବ ଦେଇ ପରିବାରଗୁଡ଼ିକୁ ପ୍ରଲୋଭିତ କରୁଥିଲେ । ବିବାହ ପାଇଁ ଆବଶ୍ୟକ ସାମଗ୍ରୀ କିଣାକିଣି ନିମନ୍ତେ ରାଜି କରାଉଥିଲେ । ତା’ପରେ ସେମାନଙ୍କୁ ଗୋଟିଏ ଗାଁକୁ ନେଇ ‘ମିଥ୍ୟା’ ବିବାହ ଉତ୍ସବ କରାଉଥିଲେ । ଶେଷରେ ସେମାନଙ୍କୁ ମାଡ଼ ମାରି ସବୁ କିଛି ଲୁଟି ନେଉଥିଲେ ।

ସଦ୍ୟ ଘଟଣାରେ ରାଜସ୍ଥାନର ଏକ ପରିବାର ଏହି ଗ୍ୟାଙ୍ଗର ଶିକାର ହୋଇଛି । ଏହି ଘଟଣା ପରେ ଧାନବାଦ ପୋଲିସ ୧୦ ଜଣଙ୍କୁ ଗିରଫ କରିବା ସହ ବିବାହ ପାଇଁ କିଣାଯାଇଥିବା ସୁନାଗହଣା, ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଚଳିତମାସ ୭ ତାରିଖ ବିଳମ୍ବିତ ରାତିରେ ରାଜସ୍ଥାନର ରମେଶ ନାଥୁ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି ।

ପୀଡ଼ିତ ପରିବାର ଅନୁଯାୟୀ, ସପ୍ନା ନାମ୍ନୀ ଜଣେ ମହିଳା ସେପ୍ଟେମ୍ବର ୩ରେ ରମେଶଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ପୁତୁରାଙ୍କ ବିବାହ ପ୍ରସ୍ତାବ ପାଇଁ ବୁଝାସୁଝା ଯୁବତୀଙ୍କ ପକ୍ଷେ ପଠାଇଥିଲେ । କଥା ବାର୍ତ୍ତା ଆଗକୁ ବଢ଼ିବା ପରେ ରମେଶ ତାଙ୍କ ଭାଇ, ପୁତୁରା ଜକୱାଲ୍ ଏବଂ ରାଜେଶଙ୍କ ସହ ରାଜସ୍ଥାନରୁ ଧାନବାଦ ଆସିଥିଲେ । ଏହାପରେ ଅଭିଯୁକ୍ତମାନେ ବିବାହର ପ୍ରସ୍ତୁତି ବାହାନାରେ ସେମାନଙ୍କୁ କିଣାକିଣି କରିବାକୁ ନେଇଯାଇଥିଲେ । ପରେ ସେମାନଙ୍କୁ ଗୋଟିଏ ଗାଁକୁ ନିଆଯାଇଥିଲା । ସେଠାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାତିନାତିର ଅଂଶ ସ୍ଵରୂପ, ଯୁବତୀଙ୍କ ମଥାରେ ସିନ୍ଦୂର ଲଗାଯାଇଥିଲା । ତେବେ ଏହାପରେ ଯାହା ଘଟିଲା, ତାହା ରମେଶଙ୍କ ପରିବାରକୁ ଘାତକ ଧକ୍କା ଦେଇଥିଲା । ଏହି ବିବାହ କାର୍ଯ୍ୟକ୍ରମ ମିଥ୍ୟା ପ୍ରମାଣିତ ହୋଇଥିଲା । ଠକେଇର ଶିକାର ହୋଇ ମୁଣ୍ଡ ପିଟିଥିଲା ରମେଶଙ୍କ ପରିବାର ।

ବିବାହ ରାତିନାତି ଶେଷ ହେବା ପରେ ଅଭିଯୁକ୍ତମାନେ ବରପକ୍ଷକୁ ଖାଇବା ପାଇଁ ତାଙ୍କ ଘରକୁ ଯିବାକୁ କହିଥିଲେ । ଯେତେବେଳେ ବରପକ୍ଷ ଲୋକେ ଯିବାକୁ ଅନିଚ୍ଛା ପ୍ରକାଶ କଲେ ପରିସ୍ଥିତି ହିଂସାତ୍ମକ ରୂପ ନେଇଥିଲା । ସେମାନଙ୍କୁ ମାଡ଼ ମାରି ତଡ଼ି ଦିଆଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button