Parliament: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ; ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ: ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସରକାର ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବେ। ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ସହ ୨୦୨୯ ନିର୍ବାଚନ ପୂର୍ବରୁ ସାରା ଦେଶରେ ଆସନ ସୀମା ନିର୍ଧାରଣ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକ୍ରିୟାରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ବୃଦ୍ଧି ପାଇ ୮୫୦ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି।

ଏହି ସ୍ବତନ୍ତ୍ର ଅଧିବେଶନରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ହେଉଛି ଲୋକସଭାର ଆସନ ସଂଖ୍ୟା ୫୪୩ ରୁ ପ୍ରାୟ ୮୫୦କୁ ବୃଦ୍ଧି କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ମହିଳାମାନଙ୍କୁ ଦୀର୍ଘ ଦିନରୁ ପ୍ରତିକ୍ଷିତ ନ୍ୟାୟ ପ୍ରଦାନ କରିବାର ଏକ ଐତିହାସିକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ଏହି ପଦକ୍ଷେପର ସଫଳତା ନିଶ୍ଚିତ କରିବାକୁ ବିଜେପି ତାର ସମସ୍ତ ସାଂସଦଙ୍କୁ ଏପ୍ରିଲ ୧୬-୧୮ ପର୍ଯ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି। ସଂସଦ ବାହାରେ ମଧ୍ୟ ଦଳ ପକ୍ଷରୁ ସାରା ଦେଶରେ ଏ ବାବଦ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ୨୦୧୧ ଜନଗଣନାର ଆକଳନକୁ ବ୍ୟବହାର କରି ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଆସନ ବୃଦ୍ଧି ପ୍ରକ୍ରିୟା ଶେଷ କରାଯାଇ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ କରାଯିବ।

ବିରୋଧୀଙ୍କ ପ୍ରତିରୋଧ ଏବଂ ଗଣତନ୍ତ୍ର ଉପରେ ପ୍ରଶ୍ନ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟ ଏହି ପ୍ରସ୍ତାବକୁ ଅନେକ ଦ୍ବନ୍ଦ୍ବ ଓ ସନ୍ଦେହର ସହ ଗ୍ରହଣ କରିଛି। ଆଜି ଅନୁଷ୍ଠିତ ଏକ ରଣନୀତି ବୈଠକରେ କଂଗ୍ରେସ ନେତାମାନେ ଏହି ବିଲ୍‌କୁ ଭ୍ରମାତ୍ମକ ଏବଂ ଷଡ୍‌ଯନ୍ତ୍ରମୂଳକ ବୋଲି ଅଭିହିତ କରିଛନ୍ତି। ସେମାନଙ୍କର ମୁଖ୍ୟ ଯୁକ୍ତି ହେଉଛି ଆସନ ବୃଦ୍ଧି ପଛରେ ଥିବା ଉଦ୍ଦେଶ୍ୟ। ବିରୋଧୀ ଦଳଗୁଡ଼ିକ ଆଶଙ୍କା କରୁଛନ୍ତି ଯେ ନୂତନ ଜନଗଣନା ବିନା କରାଯାଉଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପୁରୁଣା ତଥ୍ୟ ଆଧାରରେ କିଛି ନିର୍ଦ୍ଦିଷ୍ଟ ରାଜ୍ୟକୁ ଅଯଥା ସୁବିଧା ଦେଇପାରେ। ବିଶେଷ କରି ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ରାଜ୍ୟଗୁଡ଼ିକ ଏହାଦ୍ୱାରା ପ୍ରତିନିଧିତ୍ୱ ହରାଇବାର ଭୟ ରହିଛି। ଏଥିସହ, କଂଗ୍ରେସ ଓବିସି ମହିଳାଙ୍କ ପାଇଁ ‘କୋଟା ଭିତରେ କୋଟା’ ଦାବି କରିଆସୁଛି, ଯାହା ସରକାରଙ୍କ ଚିଠା ପ୍ରସ୍ତାବରେ ଅନୁପସ୍ଥିତ ରହିଛି।

ଆସନ୍ତାକାଲିଠାରୁ ଅଧିବେଶନ ଆରମ୍ଭ ହେବା ସହିତ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ଆଶ୍ୱାସନା ଦେବା ଯେ ସେମାନଙ୍କର ସଂସଦୀୟ ପ୍ରଭାବ ହ୍ରାସ ପାଇବ ନାହିଁ। ଅନ୍ୟପଟେ, ଆଇନ ବିଶେଷଜ୍ଞମାନେ ମଧ୍ୟ ୧୩୧ତମ ସମ୍ବିଧାନ ସଂଶୋଧନର ଆଇନଗତ ବୈଧତା ଉପରେ ନଜର ରଖିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ