ଖେଳ

India: ଉଗ୍ର ହେଉଛି ଡୋପିଂ କେଳେଙ୍କାରୀ: ବିଶ୍ବରେ ଭାରତ ଏକ ନମ୍ବର, ଚିନ୍ତା ପ୍ରକଟ କଲେ ୱାଡ଼ା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ାଜଗତ ଏବେ ଏକ ଅଜବ ସମସ୍ୟାରେ ଜର୍ଜରିତ। ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ଡୋପିଂ ମାମଲା। ସଚେତନତାର ଅଭାବ ହେଉ କି ଜାଣିଶୁଣି ଭାରତୀୟ ଖେଳାଳିମାନେ କମ୍‌ ଦିନରେ ଅଧିକ ସଫଳତା ପାଇବା ଲୋଭରେ ଅଧିକରୁ ଅଧିକ ସଂଖ୍ୟାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ସେବନ କରୁଛନ୍ତି। ଯାହା ଆଗାମୀ ସମୟରେ ଭାରତୀୟ କ୍ରୀଡ଼ା ପାଇଁ ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ର ଚମକ ଛାଡ଼ିବା ଦିଗରେ ମୁଖ୍ୟ ଅନ୍ତରାୟ ସାବ୍ୟସ୍ତ ହେବ ବୋଲି ଆଶଙ୍କା କରାଯାଉଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥାନ (ୱାଡ଼ା) ଏଥିନେଇ ଚିନ୍ତା ପ୍ରକଟ କରିଛି। ସେହିଭଳି ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡ଼ା)ର କାର୍ଯ୍ୟଶୈଳୀ ଓ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଦିଗରେ ଠୋସ୍‌ ପଦକ୍ଷେପ ନେବାର ପ୍ରତିଶ୍ରୁତି ଓ ଆହ୍ବାନର ବାର୍ତ୍ତା ନେଇ ୱାଡା ମୁଖ୍ୟ ୱିଟୋଲ୍‌ଡ ବାଙ୍କା ସଂପ୍ରତି ଭାରତ ଗସ୍ତରେ ଅଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତକରି ‌ଦେଶରେ ଡୋପିଂ ମାମଲାର ବର୍ଦ୍ଧିତ ସଂଖ୍ୟା ଉପରେ ଅଙ୍କୁଶ ଲଗାଇବା ଲାଗି ସିବିଆଇ ଓ ଅନ୍ୟାନ୍ୟ ଏଜେନ୍ସିର ସହାହତା ନେବାକୁ ଅନୁରୋଧ କରିଛନ୍ତି। ସେହିଭଳି ଭାରତୀୟ କ୍ରୀଡ଼ା ଦୁନିଆରେ ଖେଳୁଆଡ଼ ମନୋଭାବ ସୃଷ୍ଟି ଏବଂ ଖେଳକୁ ଦୁର୍ନୀତି ତଥା ନିଶା ମୁକ୍ତ କରିବା ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଏହା ନହେଲେ ଭାରତୀୟ ଖେଳାଳିଙ୍କ ବିଶ୍ବସନୀୟତା ନେଇ ସନ୍ଦେହ ଓ ଆଶଙ୍କା ସୃଷ୍ଟି ହେବ ବୋଲି ଆଶଙ୍କା ଜାହିର କରିଛନ୍ତି ବାଙ୍କା।

ନିଜର ଏହି ଚର୍ଚ୍ଚିତ ଗସ୍ତ ଅବସରରେ ବାଙ୍କା ମଧ୍ୟ ସିବିଆଇ ଓ ନାଡ଼ାର କିଛି ଅଧିକାରୀଙ୍କୁ ଭେଟି ଏହି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରିଛନ୍ତି। ବାଙ୍କାଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା ମାଣ୍ଡବୀୟ ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ସେହିଭଳି ବାଙ୍କା ମଧ୍ୟ ମାଣ୍ଡବୀୟଙ୍କୁ ଭେଟିଥିବାର ସୂଚନା ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଦେଇଛନ୍ତି। ସେ ଲେଖିଛନ୍ତି, ଆମେ ଡୋପିଂ ବିରୋଧୀ ପ୍ରୟାସକୁ ଆଗକୁ ବଢ଼ାଇବା ଏବଂ ଭାରତରେ କ୍ରୀଡ଼ାର ଅଖଣ୍ଡତାକୁ ସୁଦୃଢ଼ ​​କରିବା ଉପରେ ଆଲୋଚନା କରିଥିଲୁ, ଯେଉଁଥିରେ ବିଶ୍ୱ ମାନଦଣ୍ଡ ଅନୁଯାୟୀ ନିରନ୍ତର ପ୍ରଗତି ଓ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନର ଗୁରୁତ୍ୱ ଅନ୍ତର୍ଭୁକ୍ତ।

ଏହି ବିଷୟକୁ ଭାରତ ସରକାର ଗମ୍ଭୀରତାର ସହ ନେଇଥିବା ବେଳେ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ମନୋଜ ଶଶିଧର ନିକଟରେ କ୍ରୀଡ଼ା ସଚିବ ହରି ରଞ୍ଜନ ରାଓଙ୍କୁ ଭେଟି ଉଭୟ ସଂସ୍ଥା ମଧ୍ୟରେ ଡୋପିଂ ରୋକିବା ନେଇ ସମନ୍ବୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ଲଜ୍ଜାଜନକ ରେକର୍ଡୱାଡ଼ାର ଗତ ୧୦ବର୍ଷର ଡୋପିଂ ବିଫଳତା ରେକର୍ଡ ଅନୁସାରେ ଭାରତ ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ଗତ ତିନିବର୍ଷ ହେବ ଭାରତୀୟ ଖେଳାଳି ଡୋପିଂ ଟେଷ୍ଟ୍‌ରେ ବିଫଳତା ହେବା ସଂଖ୍ୟାରେ ଶୀର୍ଷରେ ରହିଛନ୍ତି। ସୂଚନା ଅନୁସାରେ ୨୦୨୪ରେ ୭୧୧୩ ଭାରତୀୟ ଖେଳାଳିଙ୍କ ଡୋପ୍‌ ଟେଷ୍ଟ୍‌ ହୋଇଥିଲା। ସେଥିମଧ୍ୟରେ ବିଫଳତା ସଂଖ୍ୟା ୨୬୦ ଥିଲା। ପୁଣି ଏଥିରୁ ୩.୬ ପ୍ରତିଶତ ଖେଳାଳି ନିଷିଦ୍ଧ ଶକ୍ତିବର୍ଦ୍ଧକ ସେବନ କରିଥିବା ସ୍ପଷ୍ଟ ହୋଇଥିଲା। ଯାହା ବିଶ୍ବରେ ସବୁଠାରୁ ଅଧିକ। ଏହିକ୍ଷେତ୍ରରେ ରୁଷିଆ ଓ ଚୀନ ଭଳି ଦେଶର ସ୍ଥିତି ମାତ୍ର ୦.୭ ଓ ୦.୨ ପ୍ରତିଶତ ରହିିଛି।

ଏକ ବଡ଼ ଲଜ୍ଜାଜନକ କଥା ହେଉଛି, ଚଳିତ ଏପ୍ରିଲରେ ପ୍ରକାଶିତ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (AIU) ତାଲିକାରେ ଭାରତର ଖେଳାଳିମାନେ ଶୀର୍ଷରେ ଅଛନ୍ତି। ଡୋପିଂ ପାଇଁ ଅଯୋଗ୍ୟ ଖେଳାଳିଙ୍କ ସଦ୍ୟତମ ବିଶ୍ୱ ତାଲିକାରେ ପୂର୍ବତନ ୧୦୦ ମିଟର ଜାତୀୟ ରେକର୍ଡଧାରୀ ଦୂତୀ ଚାନ୍ଦ, ସ୍ପ୍ରିଣ୍ଟର ଧନଲକ୍ଷ୍ମୀ ସେକର ଓ ମଧ୍ୟଦୂର ଧାବକ ପରଭେଜ ଖାନ ସାମିଲ ଅଛନ୍ତି। ବିଶ୍ୱ ଆଥଲେଟିକ୍ସର ଡୋପିଂ ୱାଚ୍‌ ଡଗସ୍ ତାଲିକାରେ ଭାରତ (୧୪୮ ଖେଳାଳି) ଲଜ୍ଜାଜନକ ଭାବେ କେନିଆ (୧୪୬)କୁ ପଛରେ ପକାଇ ଦେଇଛି।

ନାଡ଼ା ଆର୍‌ଟିପିରେ ଅଭିଷେକ, ଅକ୍ଷର

ଭାରତର ଦୁଇ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ତାରକା ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ନାଡାର ପଞ୍ଜିକୃତ ପରୀକ୍ଷା ପୁଲ୍‌ (ଆର୍‌ଟିପି)ରେ ଲଗାତାର ଦ୍ବିତୀୟ ତ୍ରୈମାସିକ ପାଇଁ ସାମିଲ ରହିଛନ୍ତି। ଧାବକ, ଧାବିକାଙ୍କ ଅଧିକ ଉପସ୍ଥିତି ଥିବା ଏହି ତାଲିକାରେ ସାମିଲ ହେବା ପରେ ଉଭୟଙ୍କୁ ନିଜ ସ୍ଥିତି ଓ ଅବସ୍ଥିତି ବିଷୟରେ ନାଡାକୁ ନିୟମିତ ଭାବେ ସୂଚନା ଦେବାକୁ ହେବ। ସେମାନଙ୍କୁ ମଧ୍ୟ ଅଧିକ ପରୀକ୍ଷା ପାଇଁ ନିଜ ମୁତ୍ର ନମୁନା ନାଡାକୁ ଦେବାକୁ ହେବ। ତାଲିକାରେ ମୋଟ ୩୪୮ଜଣ ଖେଳାଳି ରହିଛନ୍ତି। ଅଭିଷେକ ଓ ଅକ୍ଷର ଏହି କ୍ଷେତ୍ରରେ ମହିଳା କ୍ରିକେଟର୍‌ ସ୍ମୃତି ମନ୍ଧାନା ଓ ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ୍‌ ଆୟରଙ୍କ ସ୍ଥାନ ନେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button