ବେଙ୍ଗାଲୁରୁ: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଚଳିତ ଏପ୍ରିଲ ୫ ତାରିଖରେ ଖେଳାଯାଇଥିବା ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ବିପକ୍ଷ ମ୍ୟାଚ୍ ଅବସରରେ ସେମାନଙ୍କୁ ଅପମାନିତ କରାଯିବା ସହ ନିୟମିତ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ବୋଲି ଆଇପିଏଲ୍ର ଅନ୍ୟତମ ସଫଳତମ ତଥା ଲୋକପ୍ରିୟ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଅଭିଯୋଗ କରିଛି। ସେହିଭଳି ମ୍ୟାଚ୍ ବେଳେ ଡିଜେ ଅପରେଟର୍ ବଜାଇଥିବା କିଛି ଗୀତ ଏବଂ କରିଥିବା କିଛି ବ୍ୟକ୍ତିଗତ ଆକ୍ଷେପ ଭେଦଭାବ ସୃଷ୍ଟି କରିଥିଲା। ଏଭଳି ଆଚରଣ ଆଦୌ ଗହଣୀୟ ନୁହେଁ ବୋଲି ସିଏସ୍କେ ପକ୍ଷରୁ କୁହାଯାଇଛି। ଏହି ବିଷୟରେ ଦଳ ବିସିସିଆଇ ନିକଟରେ ଲଖିତ ଭାବେ ଫେରାଦ ହୋଇଛି। ଘଟଣା ପଦାକୁ ଆସିବା ପରେ ସିଏସ୍କେ ପ୍ରଶଂସକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଏହି ମ୍ୟାଚ୍ ଅବସରରେ ଡିଜେ ପରିଚାଳକ ‘ଦୋସା, ଇଡ୍ଲି, ସାମ୍ବର, ଚଟ୍ନୀ’ ଗୀତ ପରିବେଷଣ କରିଥିଲେ। ଏହି ଗୀତଟିକୁ ସଂଗୀତଜ୍ଞ ଗଣ ଅପୁ ପ୍ରସ୍ତୁତ କରିଛନ୍ତି।
ଗୀତଟି ସାମାଜିକ ଗଣମାଧ୍ୟମରେ ବେଶ୍ ଲୋକପ୍ରିୟ ହୋଇଛି। ତେବେ ଏହି ଗୀତଟିକୁ ଅଧିକାଂଶ ସମୟ ଦକ୍ଷିଣ ଭାରତୀୟଙ୍କୁ ନେଇ ତାଚ୍ଛଲ୍ୟ ଓ କଟାକ୍ଷ ସମ୍ବଳିତ ମିମ୍ ପ୍ରସ୍ତୁତ କଲା ବେଳେ ଉପଯୋଗ କରାଯାଉଛି। ଏଭଳି ଏକ ଗୀତକୁ ମ୍ୟାଚ୍ ବେଳେ ପରିବେଷଣ କରିବା ସେମାନଙ୍କ ଭାବନାକୁ କୁଠାରାଘାତ କରିଛି ବୋଲି ସିଏସ୍କେ ଅଧିକାରୀମାନେ ଦର୍ଶାଇଛନ୍ତି। ଯେଉଁଭଳି ଓ ଯେଉଁ ପରିସ୍ଥିତିରେ ଏହି ଗୀତ ବଜା ଯାଇଥିଲା, ତାହା ଅଶୋଭନୀୟ ଥିଲା ବୋଲି ମଧ୍ୟ ସେମାନେ କହିଛନ୍ତି। ଆଇପିଏଲ୍ ପରିଚାଳନା ପରିଷଦ ଏଭଳି ଏକ ଅଭିଯୋଗ ପାଇଥିବା ଏବଂ ଏହାର ପ୍ରାସଙ୍ଗିକତା ଦେଇ ତର୍ଜମା ଚାଲିଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି।
ଗତବର୍ଷ ଆର୍ସିବି ୱିକେଟ୍ ରକ୍ଷକ ଜିତେଶ ଶର୍ମା ଏହି ଗୀତଟିକୁ ବୋଲୁଥିବାର ଭିଡିଓ ବେଶ୍ ଭାଇରାଲ ହୋଇଥିଲା। ଏହା ପରେ ସିଏସ୍କେ ପ୍ରଶଂସକମାନେ ତାଙ୍କୁ ଭୀଷଣ ଟ୍ରୋଲ୍ କରିଥିଲେ। ଏବେ ସିଏସ୍କେ ଦଳଗତ ଭାବେ ଏହି ମାମଲରେ ସ୍ବର ଉତ୍ତୋଳନ କରିବା ସହ ଗୀତଟି ଯେମିତି କୌଣସି ମ୍ୟାଚ୍ ବେଳେ ପରିବେଷଣ କରାନଯାଏ, ସେ ଦିଗରେ ଧ୍ୟାନ ଦେବାକୁ ବିସିସିଆଇକୁ ଆହ୍ବାନ କରିଛି। କେବଳ ଏହି ଗୀତ ନୁହେଁ, ଡିଜେ ଅପରେଟର୍ ଆମ ଖେଳାଳିଙ୍କୁ ନେଇ କିଛି ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ। ଏଭଳି ମନ୍ତବ୍ୟ ଦେବାର ତାଙ୍କର ଅଧିକାର ନାହିଁ। ସେଥିପାଇଁ ଆମେ ଏହି ବିଷୟରେ ବିସିସିଆଇର ଧ୍ୟାନ ଆକର୍ଷର କରିଛୁ ବୋଲି ସିଏସ୍କେର ମୁଖ୍ୟ କାର୍ଯ୍ୟନିର୍ବାହୀ କାଶି ବିଶ୍ବନାଥ କହିଛନ୍ତି।
ସୌଜନ୍ୟ ସମ୍ବାଦ

