ୱାସିଂଟନ :ମଧ୍ୟପ୍ରାଚ୍ୟ ବିବାଦ ଯୋଗୁଁ ଅଧିକାଂଶ ଦେଶରେ ତୈଳ ସଙ୍କଟ ଗମ୍ଭୀର ହେଉଥିବା ପରିପ୍ରେକ୍ଷୀରେ ଆମେରିକା ପ୍ରତିବନ୍ଧକ ସତ୍ତ୍ୱେ ଇରାନ ଏବଂ ରୁଷରୁ ତେଲ କିଣିବା ପାଇଁ ଛାଡ ଦେଇଥିଲା ଯାହା ଏବେ ଶେଷ ହେବାକୁ ଯାଉଛି। ଆମେରିକା ଏହି ଛାଡକୁ ବୃଦ୍ଧି କରିବାକୁ ମନା କରିଦେଇଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଘୋଷଣା କରିଛନ୍ତି, ୱାସିଂଟନ ଆଉ ଛାଡ ଅବଧି ବୃଦ୍ଧି କରିବ ନାହିଁ। ଏବେ ରୁଷ ଏବଂ ଇରାନରୁ ତେଲ କିଣିବାକୁ ଅନୁମତି ଦିଆଯିବ ନାହିଁ। ରୁଷ ତେଲ ପାଇଁ ୱାସିଂଟନର ୩୦ ଦିନିଆ ଛାଡ ଅବଧି ଏପ୍ରିଲ ୧୧ ରେ ଶେଷ ହୋଇଯାଇଛି। ଅପରପକ୍ଷରେ ଇରାନୀ ତେଲ ପାଇଁ ଛାଡ଼ ଏପ୍ରିଲ ୧୯ ରେ ଶେଷ ହେବାକୁ ଯାଉଛି। ଆମେ ରୁଷ ଏବଂ ଇରାନୀ ତେଲ ପାଇଁ ସାଧାରଣ ଲାଇସେନ୍ସ ନବୀକରଣ କରିବୁ ନାହିଁ ବୋଲି ବେସାଣ୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମାର୍ଚ୍ଚ ୧୧ ପୂର୍ବରୁ ଜାହାଜରେ ବୋଝେଇ ହୋଇଥିବା ଅବା ଆଧାବାଟରେ ଥିବା ତେଲ ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା। ସେ ସମସ୍ତ ପୁରୁଣା ତେଲ ଏବେ ବ୍ୟବହୃତ କିମ୍ବା ବିକ୍ରି ହୋଇସାରିଛି।
ଭାରତୀୟ ରିଫାଇନରମାନଙ୍କୁ ପ୍ରି-ଲୋଡେଡ୍ ରୁଷୀୟ ଅଶୋଧିତ ତୈଳ କିଣିବାକୁ ଅନୁମତି ଦେବା ପାଇଁ ଆମେରିକାର ଅର୍ଥ ମନ୍ତ୍ରଣାଳୟ ମାର୍ଚ୍ଚ ୧୨ ତାରିଖରେ ଏକ ୩୦ ଦିନିଆ ଅସ୍ଥାୟୀ ଛାଡ଼ ଘୋଷଣା କରିଥିଲା। ବିଶ୍ୱ ବଜାରକୁ ନିରନ୍ତର ତୈଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ଅର୍ଥ ମନ୍ତ୍ରଣାଳୟ ଭାରତୀୟ ରିଫାଇନରମାନଙ୍କୁ ରୁଷୀୟ ତେଲ କ୍ରୟ କରିବାକୁ ଅନୁମତି ଦେବା ପାଇଁ ଏକ ଅସ୍ଥାୟୀ ଛାଡ଼ ଜାରି କରିଥିଲା। ଏହି ନିଷ୍ପତ୍ତି ରୁଷର ଲାଭ ପାଇଁ ନଥିଲା। ଏହା କେବଳ ନିଷେଧାଦେଶ ଜାରି ସମୟରେ ସମୁଦ୍ରରେ ଥିବା ଜାହାଜଗୁଡ଼ିକୁ ସେମାନଙ୍କର ପୁରୁଣା ମାଲ ବିକ୍ରି କରିବାକୁ ଅନୁମତି ଦେବ। ଏହା ରୁଷକୁ କୌଣସି ନୂତନ ଲାଭ ପ୍ରଦାନ କରିବ ନାହିଁ ବୋଲି ବେସାଣ୍ଟ କହିଛନ୍ତି। ବିଶ୍ୱ ଶକ୍ତି ଦର, ବିଶେଷକରି ଅଶୋଧିତ ତୈଳକୁ ସ୍ଥିର କରିବା ପାଇଁ ଆମେରିକା ଏହି ଅସ୍ଥାୟୀ ଛାଡ଼କୁ ଏକ ଆବଶ୍ୟକ ପଦକ୍ଷେପ ବୋଲି କହୁଛି। ଫେବ୍ରୁଆରି ଶେଷ ଭାଗରେ, ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ତେଲ ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାରରୁ ଅଧିକ ବୃଦ୍ଧି ପାଇଛି।
ସୌଜନ୍ୟ ସମ୍ବାଦ

