ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ ଭାବେ ଚୀନ ଉଭା ହୋଇଛି। ଏଥି ସହିତ ଦୀର୍ଘ ଚାରି ବର୍ଷ ଧରି ଶୀର୍ଷ ସ୍ଥାନରେ ଥିବା ଆମେରିକା ତଳକୁ ଖସିଯାଇଛି। ଭାରତ ଓ ଚୀନ ମଧ୍ୟରେ ଏହି ଆର୍ଥିକ ବର୍ଷରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୧୫,୧୧୦ କୋଟି ଡଲାର ଥିଲା। ଏହି ଏଥିରୁ ଚୀନରୁ ସର୍ବାଧିକ ଲାଭ ମିଳିଛି। କାରଣ ଭାରତ ଅନେକ ଜିନିଷ ଚୀନରୁ ମଗାଇଥିବା ବେଳେ ବହୁତ କମ ଜିନିଷ ପଠାଇଛି। ସେଥିପାଇଁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ପରିମାଣ ୧୧,୨୧୬ କୋଟି ଡଲାର ରହିଛି।
୨୦୨୪-୨୫ରେ ଏହି ନିଅଣ୍ଟ ୯୯୨୦ କୋଟି ଡଲାର ଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଚୀନକୁ ଭାରତର ରପ୍ତାନି ୩୬.୬୬ ପ୍ରତିଶତ ବୃଦ୍ଧି ପାଇ ୧୯୪୭ କୋଟି ଡଲାରକୁ ବୃଦ୍ଧି ପାଇଛି। ଆମଦାନି ପରିମାଣ ୧୬ ପ୍ରତିଶତ ବଢ଼ି ୧୩,୧୬୩ କୋଟି ଡଲାର ହୋଇଛି। ତେବେ ଆମେରିକାକୁ ଭାରତର ରପ୍ତାନି ୦.୯୨ ପ୍ରତିଶତ ବୃଦ୍ଧି ପାଇ ୮୭୩୦ କୋଟି ଡଲାର ହୋଇଛି ଓ ଆମଦାନି ପରିମାଣ ୧୫.୯୫ ପ୍ରତିଶତ ବୃଦ୍ଧି ପାଇ ୫୨୯୦ କୋଟି ଡଲାର ରହିଛି। ଫଳରେ ଆମେରିକା ସହ ଭାରତର ବାଣିଜ୍ୟ ବଳକା ୩୪୪୦ କୋଟି ଡଲାର ହୋଇଛି। ପୂର୍ବବର୍ଷ ବାଣିଜ୍ୟ ବଳକା ପରିମାଣ ୪୦୮୯ କୋଟି ଡଲାର ଥିଲା।
ସୌଜନ୍ୟ ସମ୍ବାଦ

