Naxal: ନକ୍ସଲ ମୂଳପୋଛ, ଫେରୁଛି ଶାନ୍ତି: ଆନ୍ଧ୍ର, ତେଲେଙ୍ଗାନାରୁ ଭିଟାମାଟିମୁହାଁ ୪୦ ହଜାର ଆଦିବାସୀ

ମାଲକାନଗିରିନକ୍ସଲ ସଂଗଠନ ପ୍ରାୟତଃ ମୂଳପୋଛ ହୋଇଛି। ସୁରକ୍ଷା ବାହିନୀର ଲମ୍ବା ସଂଘର୍ଷ ପରେ ଶାନ୍ତି ଫେରୁଛି। ଅନ୍ୟପଟେ ନକ୍ସଲ ବିରୋଧୀ ଜନସଂଗଠନ ‘ସଲବା ଜୁଡୁମ୍‌’ ଗଢ଼ି ଭିଟାମାଟି ଛାଡ଼ିଥିବା ହଜାର ହଜାର ଆଦିବାସୀ ପରିବାର ଏବେ ଘରମୁହାଁ। ଗତ କିଛି ଦିନ ହେଲା ଏମିତି ଦୃଶ୍ୟ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଦେଖିବାକୁ ମିଳିଛି। ଭିଟାମାଟିରେ ପହଞ୍ଚିବା ପରେ ସମସ୍ତଙ୍କ ଥଇଥାନ ବ୍ୟବସ୍ଥା ସରକାର କରୁଛନ୍ତି।

ପ୍ରାୟ ୪ ଦଶନ୍ଧି ଧରି ଛତିଶଗଡ଼କୁ ଅକ୍ତିଆର କରି ରଖିଥିଲେ ନକ୍ସଲ। ଜମି, ଜଳ ଓ ଜଙ୍ଗଲ ଅଧିକାରର ନାରା ଦେଇ ଆରମ୍ଭ ହୋଇଥିବା ନକ୍ସଲ ଆନ୍ଦୋଳନ ପରବର୍ତ୍ତୀ ସମୟରେ ହିଂସାତ୍ମକ ମୋଡ଼ ନେଇଥିଲା। ବନ୍ଧୁକ ମୁନରେ ସମାନ୍ତରାଳ ଶାସନ ଚଳାଇବାକୁ ଚାହିଁଥିଲେ ମାଓନେତା। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ବନବାସୀଙ୍କ ସ୍ବାଧୀନତା ଛଡ଼ାଇ ନେଇଥିଲା ନକ୍ସଲଙ୍କ ଦୌରାତ୍ମ୍ୟ। ନିର୍ଯାତନା ସୀମା ଟପିବାରୁ ଆଦିବାସୀ ସଂଗଠିତ ହେଲେ। ଲାଲ୍‌ ବାହିନୀ ବିରୋଧରେ ଆରମ୍ଭ କଲେ ସମାନ୍ତରାଳ ଲଢ଼େଇ। ନକ୍ସଲଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଥମେ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ଲଢ଼େଇ ହେଲା। ପରେ ସରକାରଙ୍କ ସମର୍ଥନ ମିଳିବାରୁ ସଲବା ଜୁଡ଼ୁମ ନାମରେ ନୂଆ ସଂଗଠନ ଗଢ଼ି ଆଦିବାସୀ ମଧ୍ୟ ଧରିଲେ ବନ୍ଧୁକ। ସୁରକ୍ଷାକର୍ମୀଙ୍କ ସହ ଅପରେସନ୍‌ରେ ସାମିଲ ହେଲେ। ତେବେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା। ରକ୍ତମୁଖା ନକ୍ସଲ ଗାଁରେ ପଶି ରକ୍ତର ହୋଲି ଖେଳିବା ସହ ପୁଲିସ ଇନ୍‌ଫର୍ମର ସନ୍ଦେହରେ ନିରୀହ ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସଲବା ଜୁଡ଼ୁମ ସଂଗଠନ ଉପରେ ରୋକ୍‌ ଲାଗିବାରୁ ଚିତ୍ର ବଦଳିଗଲା।

ନକ୍ସଲଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଗାଁ ଛାଡ଼ିଥିଲେ

ସଲବା ଜୁଡ଼ୁମ ସଦସ୍ୟ ହତିଆର ଫେରାଇବା ପରେ ନକ୍ସଲଙ୍କ ଦ୍ବାରା ପୁଣି ନିର୍ଯାତିତ ହେଲେ। ହଜାର ହଜାର ଆଦିବାସୀ ପରିବାର ଜୀବନ ବଞ୍ଚାଇବାକୁ ଭିଟାମାଟି ଛାଡ଼ି ସୁରକ୍ଷିତ ଆଶ୍ରୟ ସନ୍ଧାନରେ ତେଲେଙ୍ଗାନା ଓ ଆନ୍ଧ୍ରକୁ ଚାଲିଗଲେ। ସୁକ୍‌ମା, ବିଜାପୁର, ଦନ୍ତେୱାଡ଼ା ଜିଲ୍ଲାରୁ ପ୍ରାୟ ୪୦ ହଜାର ଆଦିବାସୀ ଘରଦ୍ବାର ଓ ଜମିବାଡ଼ି ଛାଡ଼ି ପଳାୟନ କରିଥିଲେ। ଏବେ ନକ୍ସଲ ଅସ୍ତିତ୍ବ ହରାଇବା ପରେଏହି ପରିବାରଙ୍କୁ ଭିଟାମାଟିକୁ ଫେରାଇ ଆଣିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ରାଜ୍ୟ ବାହାରକୁ ଚାଲି ଯାଇଥିବା ପରିବାରଙ୍କ ସହ ଯୋଗାଯୋଗ କରାଯାଉଛି। ଅନେକ ପରିବାର ଗତ ସପ୍ତାହକ ମଧ୍ୟରେ ନିଜ ଗାଁକୁ ଫେରିଥିବା ଜଣାପଡ଼ିଛି। ବହୁ ପରିବାର ଭିଟାମାଟିକୁ ଫେରିବାକୁ ସହମତି ହୋଇଛନ୍ତି। ସେମାନଙ୍କୁ ନିଜ ଅଞ୍ଚଳରେ ଜମି ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ନକ୍ସଲମୁକ୍ତ ହେବା ପରେ ଛତିଶଗଡ଼ ଛାଡ଼ିଥିବା ସବୁ ପରିବାର ଯେମିତି ଫେରିବେ ତାହା ଏବେ ସରକାରଙ୍କ ନୂଆ ମିସନ୍‌ ପାଲଟିଛି।

 

 

ସୌଜନ୍ୟ ସମ୍ବାଦ