Parliament: ସଂସଦର ସ୍ବତନ୍ତ୍ର ଅଧିବେଶନ: ୩ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ, ମହିଳା ସଂରକ୍ଷଣ ଉପରେ ଜୋର୍‌ଦାର ବିତର୍କ

ନୂଆଦିଲ୍ଲୀ: ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଆଜି ଏନ୍‌ଡିଏ ସରକାର ଦୀର୍ଘଦିନରୁ ବିଳମ୍ବିତ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇଁ ବଡ଼ ପଦକ୍ଷେପ ନେବା ସହ ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରିଛନ୍ତି। ଏହି ପ୍ରକ୍ରିୟାକୁ ନୂତନ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ ସହିତ ଯୋଡ଼ା ଯାଇଛି, ଯାହାଦ୍ୱାରା ଲୋକସଭା ଆସନ ସଂଖ୍ୟା ୫୪୩ରୁ ପ୍ରାୟ ୮୫୦କୁ ବୃଦ୍ଧି ପାଇବ। ଶାସକ ମେଣ୍ଟ ଏହାକୁ ନାରୀ ଶକ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିଥିବାବେଳେ ଇଣ୍ଡି ମେଣ୍ଟ ଏହା ଏକ ରାଜନୈତିକ ଚାଲ୍ ବୋଲି କହି ବିରୋଧ କରିଛି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ସରକାର ସୀମା ପୁନଃନିର୍ଦ୍ଧାରଣକୁ ଅସ୍ତ୍ର କରି ଉତ୍ତର ଭାରତର ଜନସଂଖ୍ୟାବହୁଳ ରାଜ୍ୟଗୁଡ଼ିକୁ ଫାଇଦା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ଗୁରୁବାର ପୂର୍ବାହ୍ଣ ୧୧ଟାରେ ଆରମ୍ଭ ହୋଇଥିବା ଅଧିବେଶନ ଉଭୟ ଶାସକ ଓ ବିରୋଧୀଙ୍କ ପ୍ରବଳ ଯୁକ୍ତିତର୍କ ଭିତରେ ସରଗରମ ରହିଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଗୃହମନ୍ତ୍ରୀ ଅମିତ ଶାହ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ନିମନ୍ତେ ଆସନ ବୃଦ୍ଧି ପାଇଁ ସମ୍ବିଧାନ ସଂଶୋଧନ (୧୩୧ତମ) ବିଲ୍, ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ଆଗତ କରିଥିଲେ। ସମ୍ବିଧାନ ସଂଶୋଧନ ବିଲ୍‌ ଆସନ ସଂଖ୍ୟା ଉପରେ ଥିବା ପ୍ରତିବନ୍ଧକ ହଟାଇବା ସହ ଗୃହରେ ୮୫୦ ଆସନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ସୀମା ନିର୍ଦ୍ଧାରଣ ବିଲ୍‌ରେ ୨୦୧୧ ତଥ୍ୟ ବ୍ୟବହାର କରି ସୀମା ପୁନଃନିର୍ଦ୍ଧାରଣ ନିମନ୍ତେ କମିସନ ଗଠନ ପାଇଁ ପ୍ରାବଧାନ ରହିଥିବା ବେଳେ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍‌ରେ   ଦିଲ୍ଲୀ, ପୁଡୁଚେରୀ ଓ ଜମ୍ମୁ-କାଶ୍ମୀର ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ପ୍ରାବଧାନ ରହିଛି। ବିଲ୍‌ ଆଗତ ପାଇଁ ଦୁଇଟି ପର୍ଯ୍ୟାୟ ଭୋଟ ପରେ ସମ୍ବିଧାନ ସଂଶୋଧନ ବିଲ୍ ପ୍ରାରମ୍ଭିକ ସ୍ତର ଅତିକ୍ରମ କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବିଲ୍‌ ଆଗତ ପାଇଁ ଏହା ସପକ୍ଷରେ ୨୫୧ଟି ଭୋଟ ଓ ବିପକ୍ଷରେ ୧୮୫ଟି ଭୋଟ ପଡ଼ିଥିଲା। ଏନ୍‌ଡିଏର ୮୬ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ ମଧ୍ୟ ସରକାର ଆବଶ୍ୟକ ବହୁମତ ସୀମାକୁ ସହଜରେ ଅତିକ୍ରମ କରିଥିଲେ।

ଉତ୍ତର-ଦକ୍ଷିଣ ବିବାଦ ତେଜିଲା
ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ
ଧର୍ମଭିତ୍ତିକ ସଂରକ୍ଷଣ ଅସାମ୍ବିଧାନିକ: ଗୃହମନ୍ତ୍ରୀ
ବିଲ୍‌ ଉପରେ ଭୋଟ ଆଜି

ଆସନ୍ତାକାଲି ଅପରାହ୍ଣ ୪ଟାରେ ଲୋକସଭାରେ ବିଲ୍‌ ଉପରେ ଭୋଟ ଗ୍ରହଣ କରାଯିବ। ଯଦି ବିଲ୍ ପାସ୍ ହୁଏ, ତେବେ ପୁନଃନିର୍ଦ୍ଧାରଣ କମିସନ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ ଏବଂ ୨୦୨୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳାମାନେ ସଂରକ୍ଷଣର ସୁବିଧା ପାଇବେ। ସଂସଦରେ ବର୍ତ୍ତମାନର ସଂଖ୍ୟା ସୂଚାଇ ଦେଉଛି ଯେ ଯଦି ବିରୋଧୀ ଦଳମାନେ ଏକାଠି ହୁଅନ୍ତି ତେବେ ସରକାର ଏକ କଠିନ ସ୍ଥିତିରେ ରହିପାରନ୍ତି। ଏକ ସମ୍ବିଧାନ ସଂଶୋଧନ ବିଲ୍ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ କରେ। ଲୋକସଭାରେ ୫୪୧ ସଂଖ୍ୟାକୁ ବିଚାରକୁ ନେଲେ ଦୁଇ ତୃତୀୟାଂଶ ସଂଖ୍ୟା ୩୬୦ରେ ପହଞ୍ଚିଛି। ୨୯୩ ସଦସ୍ୟ ଥିବା ଶାସକ ଏନ୍‌ଡିଏ ଏବେ ୬୭ଟି ଆସନ ପଛରେ ରହିଛି। ରାଜ୍ୟସଭା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୬୩ ଏବଂ ଏନ୍‌ଡିଏର ୧୪୨ରୁ ଅଧିକ ସଦସ୍ୟ ଅଛନ୍ତି। ସଂଖ୍ୟାଗରିଷ୍ଠତା ସଂଖ୍ୟାଠାରୁ ୨୧ଟି ଆସନ କମ୍ ରହିଛି।

ସରକାରଙ୍କ ଏହି ରଣନୀତି ଭାରତର ନିର୍ବାଚନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନକୁ ସୂଚାଉଛି। ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରି ସରକାର ବର୍ତ୍ତମାନ ପୁରୁଷ ସଦସ୍ୟଙ୍କ ସଂଖ୍ୟା ହ୍ରାସ ନ କରି ମହିଳାଙ୍କୁ ନିର୍ଦ୍ଧାରିତ ସଂରକ୍ଷଣର ଲାଭ ଦେବାକୁ ଚାହୁଁଛନ୍ତି। ତେବେ ଏହି ସମ୍ପ୍ରସାରଣ ବ୍ୟବସ୍ଥା ଆଞ୍ଚଳିକ ଅସମାନତା ସୃଷ୍ଟି କରିବ ବୋଲି ବିରୋଧୀ ଦଳମାନେ ଯୁକ୍ତି ରଖିଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଛନ୍ତି, ସେମାନେ ଭୟ କରୁଛନ୍ତି ଯେ ନୂତନ ଜନଗଣନା ଆଧାରରେ ପୁନଃନିର୍ଦ୍ଧାରଣ ହେଲେ ଉତ୍ତର ଭାରତ ତୁଳନାରେ ସେମାନଙ୍କର ସଂସଦୀୟ ଗୁରୁତ୍ୱ କମିଯିବ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଆଶଙ୍କା ଦୂର କରିବାକୁ ସରକାର କହିଛନ୍ତି, କୌଣସି ରାଜ୍ୟର ବର୍ତ୍ତମାନ ଆସନ ସଂଖ୍ୟା ହ୍ରାସ ପାଇବ ନାହିଁ। ତେବେ ବିରୋଧୀ ନେତାମାନେ ଏଥିରେ ସନ୍ତୁଷ୍ଟ ନାହାନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ଡିମ୍ପଲ ଯାଦବ ତୁରନ୍ତ ଜାତିଗତ ଜନଗଣନା ସହିତ ଓବିସି ଓ ମୁସଲିମ୍ ମହିଳାଙ୍କ ପାଇଁ ଉପ-ସଂରକ୍ଷଣ ଦାବି କରିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ପୁନଃନିର୍ଦ୍ଧାରଣକୁ ଅପେକ୍ଷା ନକରି ବର୍ତ୍ତମାନର ୫୪୩ ଆସନରେ ହିଁ ସଂରକ୍ଷଣ ଲାଗୁ କରାଯାଉ। ଟିଏମ୍‌ସି ନେତା ଡେରେକ୍ ଓବ୍ରାଏନ୍ ପୁନଃନିର୍ଦ୍ଧାରଣ କାର୍ଯ୍ୟସୂଚୀକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ସରକାର ମଧ୍ୟ ବିରୋଧୀଙ୍କ ଆକ୍ରମଣର କଡ଼ା ଜବାବ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏଥିରେ ଜାତିଗତ ଗଣନାକୁ ସାମିଲ କରାଯିବ। ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଧର୍ମଭିତ୍ତିକ ସଂରକ୍ଷଣ ଅସାମ୍ବିଧାନିକ। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ପ୍ରତି ହେଉଥିବା ପକ୍ଷପାତ ଅଭିଯୋଗକୁ ଖଣ୍ଡନ କରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି, ଦକ୍ଷିଣ ଭାରତ ପାଇଁ ଏହାଠାରୁ ଭଲ ସୁବିଧା ଆଉ କିଛି ହୋଇ ପାରିବନାହିଁ। ଆଇନ ମନ୍ତ୍ରୀ ମେଘୱାଲଙ୍କ ଅନୁସାରେ, ରାଜ୍ୟମାନଙ୍କ ଆସନ ୮୧୫କୁ ବୃଦ୍ଧି କରିବା ହିଁ ବର୍ତ୍ତମାନର ପ୍ରତିନିଧିତ୍ୱକୁ ସୁରକ୍ଷିତ ରଖି କୋଟା ଲାଗୁ କରିବାର ଏକମାତ୍ର ଉପାୟ।

 

 

 

ସୌଜନ୍ୟ ସମ୍ବାଦ