ଭୁବନେଶ୍ବର: ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପରିବେଶରେ ସନ୍ତୁଳନ ରକ୍ଷା କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା ଏମ୍ଏସ୍ପି। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ପୂଜା ମିଶ୍ର ଏବଂ ଜାତୀୟ ଉପକୂଳ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଆର୍.ଏସ୍. କନ୍କରା ଏହି ଏମ୍ଓୟୁ ସ୍ବାକ୍ଷର କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ କାର୍ଯ୍ୟକାରୀ ହେଲେ ରାଜ୍ୟର ନୀଳ ଅର୍ଥନୀତିର ଉନ୍ନତି ହେବା ସହ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ମଧ୍ୟ ହୋଇପାରିବ। ସ୍ଥାନୀୟ ଉପକୂଳ ଅର୍ଥନୀତିର ଉନ୍ନତି ସାଙ୍ଗକୁ ସାମୁଦ୍ରିକ ଜୀବଜଗତ ସୁରକ୍ଷିତ ରହିବେ।
ସମନ୍ବିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ ଏହି ଏମ୍ଏସ୍ପି ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ। ଏହା ଆମର ମତ୍ସ୍ୟ ଚାଷ, ପର୍ଯ୍ୟଟନ, ବନ୍ଦର, ସାମୁଦ୍ରିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ମେରାଇନ୍ ଇକୋସିଷ୍ଟମର ସୁରକ୍ଷାରେ ମଧ୍ୟ ସହାୟକ ହେବ। ଗତବର୍ଷ ଅଗଷ୍ଟ ମାସରେ ସାମୁଦ୍ରିକ ପର୍ଯ୍ୟାବରଣ ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ପାଇଁ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ କରିବାକୁ ‘ଓମ୍ବ୍ରିକ୍’ (ଓଡ଼ିଶା ମେରାଇନ୍ ବାଇଓଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର୍) ଆରମ୍ଭ କରାଯାଇଥିଲା। ଏହା ଏବେ ଏମ୍ଏସ୍ପି କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ। ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ ଓ ନରୱେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ସାମୁଦ୍ରିକ ଜୀବଜଗତର ସୁରକ୍ଷା, ପରିବେଶ ପରିବର୍ତ୍ତନର ପ୍ରଭାବ ଏବଂ ସାମୁଦ୍ରିକ ସମ୍ବଳର ଉନ୍ନତ ବ୍ୟବହାର ଦିଗରେ ନେସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ମଡେଲ୍ ପ୍ରସ୍ତୁତ କରିଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏମ୍ଏସ୍ପିର ସଫଳତା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବ।
ମୁଖ୍ୟ ସଚିବ ଅନୁ ଗର୍ଗ କହିଥିଲେ, ୨୦୩୬ ଓ ୨୦୪୭ର ପରିକଳ୍ପନାକୁ ସଫଳ କରିବା ପାଇଁ ଏହି ଏମ୍ଏସ୍ପି ଏକ ମହତ୍ତ୍ବପୂର୍ଣ୍ଣ ଅଭିଯାନ। ମତ୍ସ୍ୟ, ପର୍ଯ୍ୟଟନ ଏବଂ ସାମୁଦ୍ରିକ ଉତ୍ସଗୁଡ଼ିକର ସର୍ବାଧିକ ବିନିଯୋଗ ସହିତ ପର୍ଯ୍ୟାବରଣର ସୁରକ୍ଷା ଆମର ଲକ୍ଷ୍ୟ। କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରବିଚନ୍ଦ୍ରନ କହିଥିଲେ, ଆମର ବ୍ଲୁ-ଇକୋନୋମି ଯେପରି ଦୀର୍ଘ ସ୍ଥାୟୀ ହେବ ସେଥିପାଇଁ ଏହି ଏମ୍ଏସ୍ପି ସହାୟକ ହେବ। ନରୱେ ସରକାରଙ୍କ ଡେପୁଟି ଆମ୍ବାସାଡର ଅର୍ଭିନ୍ ଗାଡ୍ଗିଲ କହିଥିଲେ, ଓଡ଼ିଶାର ଏକ ସାମୁଦ୍ରିକ ବାଣିଜ୍ୟ ଐତିହ୍ୟ ଓ ଦୀର୍ଘ ଉପକୂଳ ରହିଛି। ସାମୁଦ୍ରିକ ଅର୍ଥନୀତି ତଥା ପର୍ଯ୍ୟାବରଣର ସୁରକ୍ଷା ପାଇଁ ଓଡ଼ିଶାର ଏହି ଉଦ୍ୟମରେ ନରୱେ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ। ଟେକ୍ନୋଲୋଜିଭିତ୍ତିକ ସମ୍ବଳ ପରିଚାଳନା ଜରିଆରେ ଓଡ଼ିଶାର ଲୋକଙ୍କ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ କରିବାକୁ ଉଦ୍ୟମ କରାଯିବ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମ୍ ସ୍ବାଗତ ଭାଷଣ ଦେଇ ଏମ୍ଓୟୁ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଡି.କେ ସିଂହ, ବିଭିନ୍ନ ବିଭାଗର ସଚିବ, ପୃଥ୍ବୀ-ବିଜ୍ଞାନ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀ, ନରୱେ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତ ସରକାର ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ୨୦୧୯ ମସିହାଠାରୁ ଦେଶରେ ସ୍ଥାୟୀ ମହାସାଗର ଯୋଜନା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହା କାର୍ଯ୍ୟକାରୀ କରୁଛି।
ସୌଜନ୍ୟ ସମ୍ବାଦ