ୱାସିଂଟନ/ଇସଲାମାବାଦ: ଇରାନ ବିଶ୍ୱ ଶକ୍ତି ଯୋଗାଣର ପ୍ରମୁଖ ରଣନୈତିକ ଜଳପଥ ଉପରେ ପୁନଃ ନିୟନ୍ତ୍ରଣ ହାସଲ କରିବା ପରେ ରବିବାର ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁଣି ବନ୍ଦ ହୋଇଯାଇଛି। ଇରାନର ଶୀର୍ଷ ବୁଝାମଣାକାରୀ ମହମ୍ମଦ ବାକର କାଲିବାଫ୍ କହିଛନ୍ତି ଯେ, ଆଣବିକ ପ୍ରସଙ୍ଗ ଓ ହର୍ମୁଜ ପ୍ରଣାଳୀ ଉପରେ ଉଭୟ ପକ୍ଷ ସହମତ ହେବାଠାରୁ ବହୁତ ଦୂରରେ ଅଛନ୍ତି।
ଇରାନ ପୂର୍ବରୁ ଘୋଷଣା କରିଥିଲା ଯେ, ଏହା ହର୍ମୁଜ ଦେଇ ଜାହାଜ ଚଳାଚଳ ପାଇଁ ଅନୁମତି ଦେବ। କିନ୍ତୁ ୱାସିଂଟନ ଇରାନ ବନ୍ଦର ଉପରେ ନିଜର ଅବରୋଧ ଜାରି ରଖି ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ କରି ଶନିବାର ସ୍ଥିତି ବଦଳାଇ ଦେଇଛି। ଏହା ପୁଣି ହର୍ମୁଜକୁ ନିଜ କବ୍ଜାକୁ ନେଇଛି। ଶନିବାର ଦୁଇଟି ଭାରତୀୟ ଜାହାଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ ହୋଇଥିବା ଖବର ମିଳିବା ପରେ ସିପିଂ ତଥ୍ୟରୁ ଜଣାପଡିଛି ଯେ ସଂକୀର୍ଣ୍ଣ ଜଳପଥ ଦେଇ ଯାତାୟାତ ରବିବାର ସକାଳେ ବନ୍ଦ ହୋଇଯାଇଛି। ରବିବାର ସକାଳେ ଚୀନ୍ ମାଲିକାନାରେ ଥିବା ଗୋଟିଏ ଟ୍ୟାଙ୍କର ଏବଂ ଭାରତୀୟ ମାଲିକାନାରେ ଥିବା ଏକ ଗ୍ୟାସ୍ କ୍ୟାରିଅର୍ ପୂର୍ବ ଦିଗକୁ ଯାଉଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ମେରାଇନ୍ ଟ୍ରାଫିକ୍ ଜାହାଜ-ଟ୍ରାକିଂ ତଥ୍ୟ ଅନୁଯାୟୀ, ସେମାନଙ୍କୁ ଫେରାଇ ଦିଆଯାଇଛି ଏବଂ ମଧ୍ୟରାତ୍ରି (ଜିଏମ୍ଟି- ଭାରତୀୟ ସମୟ ସକାଳ ସାଢ଼େ ୫ଟା) ପରେ ଅନ୍ୟ କୌଣସି ଜାହାଜ ଗଲ୍ଫରେ ପ୍ରବେଶ କରିନାହାନ୍ତି କିମ୍ବା ଛାଡି ନାହାନ୍ତି।
ଇତିମଧ୍ୟରେ ପାକିସ୍ତାନର ମଧ୍ୟସ୍ଥତା ଦ୍ୱାରା ସଂଘର୍ଷକୁ ସମାପ୍ତ କରିବା ପାଇଁ ଉଦ୍ୟମକୁ ଅନିଶ୍ଚିତତା ଘେରି ରହିଛି। ଦଶନ୍ଧି ମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ପ୍ରଥମ ପ୍ରତ୍ୟକ୍ଷ ଆଲୋଚନା ଗତ ସପ୍ତାହରେ କୌଣସି ଚୁକ୍ତିନାମା ବିନା ଶେଷ ହୋଇଥିଲା, କିନ୍ତୁ ବୁଧବାର ଅସ୍ତ୍ରବିରତି ଶେଷ ହେବା ପୂର୍ବରୁ ପୁନଃ ଆଲୋଚନା ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ଆମେରିକାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି, ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ନିଜର ଅନୁମୋଦନ ରେଟିଂ ହ୍ରାସ ପାଇବା ସହିତ ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନରେ କଂଗ୍ରେସରେ ସଂକୀର୍ଣ୍ଣ ସଂଖ୍ୟାଗରିଷ୍ଠତା ରକ୍ଷା କରିବାକୁ ଯୁଦ୍ଧରୁ ବାହାରିବା ପାଇଁ ଟ୍ରମ୍ପଙ୍କ ଉପରେ ଚାପ ବୃଦ୍ଧି ପାଇଛି।
ସୌଜନ୍ୟ ସମ୍ବାଦ

