ଅନୁଗୁଳ: ପ୍ରେମ ପାଇଁ ଗଛରେ ଚଢ଼ିଲା ନାବାଳକପ୍ରେମିକ। ପ୍ରାୟ ୧୦୦ ଫୁଟ ଉଚ୍ଚ ଏକ ପଟାସ ଗଛର ଶୀର୍ଷ ଭାଗରେ ପ୍ରାୟ ଦେଢ଼ ଘଣ୍ଟା ଧରି ରହି ସମସ୍ତଙ୍କୁ ନାକେଦମ କଲା, ପ୍ରେମିକାକୁ ଡାକିବାକୁ କହିଲା। ପ୍ରେମିକା ନ ଆସିଲେ, ଗଛ ଉପରେ ଗାମୁଛାରେ ରଶି ଲଗାଇ ଜୀବନ ହାରିବାର ଧମକ ଦେଲା। ଆଜି ସକାଳୁ ସକାଳୁ ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ସହରରେ।
ନାବାଳକ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା
ରେଢ଼ାଖୋଲ ଅଞ୍ଚଳର ଜଣେ ନାବାଳକ କିଛି ଦିନ ତଳେ ନିଜ ପ୍ରେମିକା ସହ ଘରୁ ଫେରାର ହୋଇଯାଇଥିଲା। ରେଲୱେ ପୁଲିସ ଉଭୟଙ୍କୁ ଉଦ୍ଧାର କରି CWCରେ ହାଜର କରାଇଥିଲା। CWC ପକ୍ଷରୁ ନାବାଳକକୁ ଅନୁଗୁଳ ଅମଲାପଡ଼ାରେ ଥିବା ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା ବେଳେ ପ୍ରେମିକାକୁ ସଖୀ କାଉନସେଲିଂ ସେଣ୍ଟରରେ ରଖାଯାଇଥିଲା।
ଆଜି ଭୋରୁ ଭୋରୁ ନାବାଳକ ଜଣଙ୍କ ଉତ୍କଳ ବାଳାଶ୍ରମ ପରିସରରେ ଥିବା ପଟାସ୍ ଗଛରେ ଚଢ଼ି ଯାଇଥିଲା। ଦମକଳ ବାହିନୀ, ପୁଲିସ୍ ଓ ଅନୁଗୁଳ ପୌରପାଳିକା ଟିମ୍ ପହଞ୍ଚି ପ୍ରେମିକାକୁ ଦେଖା କରାଇଦେବାର ବହୁ ବୁଝାସୁଝା କରାଇବା ପରେ ତଳକୁ ଓହ୍ଲାଇଥିଲା ନାବାଳକ।
ସୌଜନ୍ୟ ସମ୍ବାଦ

