କାମାକ୍ଷାନଗର ୨୨।୪: ଜନଗଣନା ବେଳେ ୪ ଜଣ ଅଧିକାରୀଙ୍କୁ ନିସ୍ତୁକ ମାଡ଼ । ଗାଡି ଭାଙ୍ଗିଦେଲେ ବାପା ଓ ଦୁଇ ପୁଅ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନନ୍ତପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର ଶିକାର ଅଧିକାରୀ ମାନେ ହେଲେ ଜନଗଣନା ଚାର୍ଜ କିରାଣୀ ରଘୁନାଥ ଦୀକ୍ଷିତ, ସର୍କଲ-୨ର ସୁପରଭାଇଜର ମଧୁସ୍ମିତା ବେହେରା, କର୍ମଚାରୀ ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା । କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ଅନନ୍ତପୁର ସାହିକୁ ଜନଗଣନା କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଅଭିଯୁକ୍ତ ବାପା-ପୁଅଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କଲା ପୋଲିସ ।
ଅନନ୍ତପୁର ସାହିର ନିକୁଞ୍ଜ ଶତପଥୀଙ୍କ ଘରକୁ ଜନଗଣନା ପାଇଁ ଯିବାବେଳେ ନିକୁଞ୍ଜ ଶତପଥୀ ଏବଂ ତାଙ୍କର ଦୁଇ ପୁଅ ଏହି ଜଣଗଣନା କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ନିକୁଞ୍ଜଙ୍କୁ କିଛି ପ୍ରଶ୍ନ ପଚାରିବା ପୂର୍ବରୁ ଖୋଦ ନିକୁଞ୍ଜ ଓ ତାଙ୍କ ଦୁଇ ପୁଅ ଏହି ଜନଗଣନା କର୍ମଚାରୀ ମାନଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବାଇକ୍ ସହ ସ୍କୁଟିକୁ ଭଙ୍ଗାରୁଜା କରିଥିଲେ ବାପା-ଦୁଇ ପୁଅ । ଏପରିକି ଅଧିକାରୀ ମାନଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ ଏବଂ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ତେବେ ଘଟଣାରେ ଅଭିଯୁକ୍ତ ନିକୁଞ୍ଜ ଶତପଥୀ ଓ ଦୁଇ ପୁଅଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।
ତେବେ ଜନଗଣନା ପରି ଏକ ଜାତୀୟ କାର୍ଯ୍ୟକ୍ରମ ଚାଲୁ ରହିଥିବାରୁ ଦୁର୍ବୃତ୍ତ ମାନେ ନୂଆ ତରିକା ଆପଣେଇବାର ସମ୍ଭାବନା ରହିଛି । ତେଣୁ ଉଭୟ ଜଣଗଣନା କର୍ମଚାରୀ ଓ ଲୋକମାନେ ସତର୍କତାର ସହିତ ରହିବା ସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ହେଲେ ତୁରନ୍ତ ପୋଲିସ ହେଲ୍ପଳାଇନ ୧୧୨ର ସହାୟତା ନିଅନ୍ତୁ ବୋଲି ଢେଙ୍କାନାଳ ଏସ୍ପି ଅଭିନବ ସୋନକର ପ୍ରକାଶ କରିଛନ୍ତି ।
ସୌଜନ୍ୟ Prameya News7

