ଜାତୀୟମହାନଗର

Mutual Fund Investment: ମ୍ୟୁଚୁଆଲ୍ ଫଣ୍ଡ ଉପରେ କମୁଛି ବିଶ୍ୱାସ, ଟଙ୍କା ଉଠାଇ ନେଉଛନ୍ତି ନିବେଶକ

Mutual Fund Investment: ସବୁରି ଉପରେ ଆତ୍ମବିଶ୍ୱାସ। ଆଉତ୍ମବିଶ୍ୱାସ ଯଦି ନାହିଁ ତାବେ କିଛି ନାହିଁ। ଅର୍ଥନୀତି ବି ଆତ୍ମବିଶ୍ୱାସ ଉପରେ ହିଁ ଚାଲେ। ହେଲେ ନିବେଶର ସବୁଠାରୁ ଲୋକପ୍ରିୟ ମାଧ୍ୟମ ସାଜୁଥିବା ମ୍ୟୁଚୁଆଲ୍ ଫଣ୍ଡ କିନ୍ତୁ ଆତ୍ମବିଶ୍ୱାସ ହରାଇଛି। ଇରାନ ଯୁଦ୍ଧ ପାଇଁ ଲୋକେ ନିବେଶ  ଟଙ୍କା କାଢ଼ି ନେଉଛନ୍ତି। ମାର୍ଚ୍ଚ ମାସରେ ମ୍ୟୁଚୁଆଲ୍ ଫଣ୍ଡରୁ ସର୍ବାଧିକ ୨.୯ ଲକ୍ଷ କୋଟି ଟଙ୍କା ଉଠାଇ ନେଲେଣି ନିବେଶକ। ଯାହା ମ୍ୟୁଚୁଆଲ୍ ଫଣ୍ଡ ପାଇଁ ଏକ ଶକ୍ତ ଝଟ୍‌କା।

ଯୁଦ୍ଧ ଯୋଗୁ ମାର୍ଚ୍ଚ ମାସରେ ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଲାଗିଛି ନଗଦ ଝଟ୍‌କା । ଗୋଟିଏ ମାସରେ ନିବେଶକ ୨.୯ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ କୌଣସି ମାସରେ ଏହା ସର୍ବାଧିକ ନିବେଶ ପ୍ରତ୍ୟାହାର। ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ନିବେଶକଙ୍କ ଆତ୍ମବିଶ୍ୱାସ ପ୍ରଭାବିତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଖାଲି ନିବେଶ ପ୍ରତ୍ୟାହାର ନୁହେଁ ଲୋକେ ନୂଆ ନିବେଶ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି।

ଏସ୍‌ବିଆଇ କ୍ୟାପ ଡାଟା ମୁତାବକ, ଆର୍ଥିକ ବର୍ଷ ୨୬ରେ ନେଟ୍ ନିବେଶ ୯.୪% ହ୍ରାସ ହୋଇ ୭.୪ ଲକ୍ଷ କୋଟି ଟଙ୍କା ରହିଛି। ଡେଟ୍ ଭିତ୍ତିକ ଫଣ୍ଡ ଗୁଡ଼ିକରେ ନିବେଶ ୮୪% ହ୍ରାସ ହୋଇଥିବା ବେଳେ ଇକ୍ୱିଟି ଭିତ୍ତିକ ଫଣ୍ଡରେ ନିବେଶ ୧୬.୯% ହ୍ରାସ ହୋଇ ୩.୫ ଲକ୍ଷ କୋଟି ଟଙ୍କା ରହିଛି। ହାଇବ୍ରିଡ ଫଣ୍ଡ ଗୁଡ଼ିକରେ ନିବେଶ ୩୦% ବଢ଼ିଛି। ଚଳିତ ବର୍ଷ ଟଙ୍କା ମୂଲ୍ୟ ୧୧% ହ୍ରାସ ହେବା ମଧ୍ୟ ଶିଳ୍ପକୁ ପ୍ରଭାବିତ କରିଛି । ଅବଶ୍ୟ ଟଙ୍କା ମୂଲ୍ୟକୁ ଦୃଢ଼ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିଛି, ତଥାପି ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନି।

ଆସୋସିଏସନ ଅଫ୍ ମ୍ୟୁଚୁଆଲ ଫଣ୍ଜସ ଇନ ଇଣ୍ଡିଆ (ଆମ୍ଫି) ମୁତାବକ, ଡେଟ୍ ସ୍କିମ ମଧ୍ୟରେ ଲିକ୍ୟୁଡ ଫଣ୍ଡରୁ ସର୍ବାଧିକ ନିବେଶ ଅର୍ଥ ଉଠାଣ ହୋଇଛି। ମାର୍ଚ୍ଚରେ ଏହି ସ୍କିମରୁ ୧.୩୫ ଲକ୍ଷ କୋଟି କାଢ଼ି ନେଇଛନ୍ତି ନିବେଶକ। ଡେଟ୍ ଫଣ୍ଡ ସ୍କିମ ମଧ୍ୟରେ ଓଭରନାଇଟ ଫଣ୍ଡ ସ୍କିମରୁ ୪୦,୨୨୭ କୋଟି, ମନି ମାର୍କେଟରୁ ୨୯,୨୦୭ କୋଟି ଏବଂ ସ୍ୱଳ୍ପ ଅବଧି ଫଣ୍ଡ ଗୁଡ଼ିକରୁ ୨୫, ୨୨୭ କୋଟି ଟଙ୍କା ଉଠାଣ ହୋଇଛି। ଇରାନ୍- ଆମେରିକା ଯୁଦ୍ଧ ସ୍ଥିତି ସ୍ୱାଭାବିକ ନହେଲେ ଆଗାମୀ ଦିନଗୁଡ଼ିକରେ ମଧ୍ୟ ନିବେଶକଙ୍କ ଭରସା ଦୃଢ଼ ହୋଇ ନପାରେ। ଫଳରେ ଉଭୟ ପୁଞ୍ଜିବଜାର ଏବଂ ମ୍ୟୁଚୁଆଲ ଫଣ୍ଡ ବଜାର ପ୍ରଭାବିତ ରହିବ।

ସୌଜନ୍ୟ Prameya News7

Show More
Back to top button