Raja Sahni: ବ୍ରହ୍ମପୁର ସର୍କଲ ଜେଲକୁ ଗଲା ରାଜା ସାହାଣୀ

କଟକ: ଦେଶର ଦୁର୍ଦ୍ଦାନ୍ତ ବିହାରୀ ଗ୍ୟାଙ୍ଗ୍ ପୁଲୁ ସିଂହର ଖାସ୍ ସହଯୋଗୀ ଚୌଦ୍ବାର ସର୍କଲ ଜେଲ୍‌ରୁ ଫେରାର ଶୁଭମ୍‌ ଓରଫ୍‌ ରାଜା ସାହାଣୀ ବ୍ରହ୍ମପୁର ସର୍କଲ ଜେଲକୁ ଗଲା। ସେ  ଚୌଦ୍ବାର ସର୍କଲ ଜେଲ୍‌ରୁ ଫେରାର ହୋଇଥିବା ହେତୁ ସୁରକ୍ଷା ଦୃଷ୍ଟିରୁ ତାକୁ ବ୍ରହ୍ମପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି।

ସେ ନିଜର ବାନ୍ଧବୀକୁ ଭେଟିଥିଲା

୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ୱାର ଜେଲ୍‌ରୁ ମଧୁକାନ୍ତ କୁମାର ସହିତ ରାଜା ଫେରାର ହେବା ପରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଚାଲିଯାଇଥିଲା। ସେଠାରେ ସେ ନିଜର ବାନ୍ଧବୀକୁ ଭେଟିଥିଲା। କମିସନରେଟ୍ ପୁଲିସର ଏକାଧିକ ଟିମ୍ ବିହାର, ଉତ୍ତରପ୍ରଦେଶ, ଆସାମ, ନାଗାଲାଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଉତ୍ତରାଖଣ୍ଡରେ ରାଜାକୁ ଧରିବାକୁ ଡେରା ପକାଇଥିଲେ। ରାଜା ନିଜର ନାଁ ବଦଳାଇ କମଲେଶ ପାଣ୍ଡେ କରିଥିଲା। ନକଲି ଆଧାର କାର୍ଡ ପ୍ରସ୍ତୁତ କରିଥିଲା। ଟ୍ରାକ୍‌ ହେବା ଭୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁନଥିଲା। ରାଜା ବିଶାଖାପାଟଣାରେ ଦୁଇଟି ସ୍ଥାନରେ ଲୁଟ୍ ଉଦ୍ୟମ କରିଥିଲା। କର୍ଣ୍ଣାଟକର ମହୀଶୂରରେ ୨୦୨୫ ଡିସେମ୍ବର ୨୮ରେ ହୁନୁସୁର ଟାଉନ ଥାନା ଅଞ୍ଚଳରେ ଏକ ଗହଣା ଦୋକାନରୁ ୧୦ କୋଟି ଟଙ୍କାର ଅଳଙ୍କାର ଲୁଟି ଥିଲା। ରାଜା ବିରୋଧରେ ଦେଶର ବିଭିନ୍ନ ଥାନାରେ ୨୮ଟି ମାମଲା ରହିଛି।

ରାଜା ଉତ୍ତରାଖଣ୍ଡ ଯାଇଥିବା ସଂପର୍କରେ ପୁଲିସ ଜାଣିବା ପରେ ଲାଲବାଗ ଥାନା ଏସ୍‌ଆଇ ଶଙ୍କର୍ଷଣ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଉତ୍ତରାଖଣ୍ଡ ଯାଇଥିଲା। ରାଜା ଉତ୍ତରାଖଣ୍ଡ ଋଷିକେଶର ନଟରାଜ ଚୌକରେ ଥିବା ଜଣାପଡ଼ିଥିଲା। ସେଠାକାର ପୁଲିସ କଟକ କମିସନରେଟ୍ ପୁଲିସର ଏହି ଟିମ୍‌କୁ ସହଯୋଗ କରିଥିଲେ। ରାଜାକୁ ପିଛା କରି ପୁଲିସ ଟିମ୍ ତାକୁ କାବୁ କରି ନେଇଥିଲା। ଗିରଫ ପରେ ତାକୁ ଡେରାଡୁନର ଋଷିକେଶରେ ଥିବା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଟ୍ରାନଜିଟ୍ ରିମାଣ୍ଡରେ କଟକ ଅଣାଯାଇଥିଲା। ଏହି ଅପରେସନ୍‌ରେ ବିହାର ଏସ୍‌ଟିଏଫ୍, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପୁଲିସର ପ୍ରମୁଖ ଭୂମିକା ଥିଲା। ରାଜା ସାହାଣୀକୁ ଧରିବା ପାଇଁ ପୁଲିସ ଡିଜି ୱାଇ.ବି.ଖୁରାନିଆ ଓ ପୁଲିସ କମିସନର ଏସ. ଦେବଦତ୍ତ ସିଂହ ନିୟମିତ ଅନୁଧ୍ୟାନ କରୁଥିଲେ।

ସୌଜନ୍ୟ ସମ୍ବାଦ