Health: ମ୍ୟାଲେରିଆ: ୫ବର୍ଷ ହେବ ବିତରଣ ହୋଇନି ଔଷଧୀୟ ମଶାରୀ

ନବରଙ୍ଗପୁର (ସୁରେଶ ନାଇଡୁ): ମ୍ୟାଲେରିଆପ୍ରବଣ ଜିଲ୍ଲା ତାଲିକାରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲ୍ଲା ରହିଛି ଶୀର୍ଷ ସ୍ଥାନରେ। ଏହାକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରାଯାଇଛି। କୋରାପୁଟରେ କେନ୍ଦ୍ର ସରକାର ଭେକ୍ଟର ରିସର୍ଚ୍ଚ ଷ୍ଟେସନ ବି ସ୍ଥାପନ କରିଛନ୍ତି। ଏହି ଅନୁଷ୍ଠାନ ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ଅଂଚଳକୁ ବି ଆସି ପରୀକ୍ଷା  କରିକି ଯାଉଛି।

ତତ୍କାଳୀନ ସରକାର ୨୦୨୪ମସିହାରେ ନବରଙ୍ଗପୁର ଜିଲ୍ଲାକୁ ବାଦ୍ ଦେଇ ଅବିଭକ୍ତ କୋରାପୁଟ ଓକଳାହାଣ୍ଡି ଜିଲ୍ଲାକୁ ଯୋଗାଇଥିଲେ ହେଁ ନବରଙ୍ଗପୁରକୁ ଉପେକ୍ଷା କରିଛନ୍ତି। ନୂଆ ସରକାର ଆସିବା ପରେ ବି ଚିଠି ପରେ ଚିଠି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଯାଉଛି ସତ କିନ୍ତୁ ଫଳ ଶୁନ୍। ତେଣୁ ଗତ ୫ବର୍ଷ ହେବ ଜିଲ୍ଲାରେ ଔଷଧୀୟ ମଶାରୀ ବିତରଣ କରାଯାଇନି।

ମୁଖ୍ୟତଃ ଜିଲ୍ଲାରେ ବହୁ ରୋଗୀଙ୍କ ପାଖରେ ମାରାତ୍ମକ  ଏନୋଫିଲିସ ମଶା ମାରାତ୍ମକ ପିଏଫ୍ (ପ୍ଳାସମୋଡିୟମ ଫଲସିଫେରମ) ଭୂତାଣୁ ରହୁଥିବା ସୂଚନା ମିଳିଛି। ଏହି ମଶାରୁ ବ୍ୟାପୁଥିବା ମ୍ୟାଲେରିଆ ସର୍ବଧିକ ବିପଦପୂର୍ଣ୍ଣ ବୋଲି ଭିସିଆରସି ପକ୍ଷରୁ ବି କୁହାଯାଇଛି। କେବଳ ସରକାରୀ ଲ୍ୟାବରେ ପରୀକ୍ଷଣ ପରେ ଏଭଳି ଉଦ୍‌ବେଗଜନକ ସ୍ଥିତି ନଜରକୁ ଆସିଛି। ଘରୋଇ ଲ୍ୟାବର ପରୀକ୍ଷଣକୁ ହିସାବକୁ ନିଆଗଲେ, ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢିଯିବ। ଜିଲ୍ଲାରେ ୨୦୨୧ମସିହାରେ ୭୪୬,୨୦୨୨ରେ୬୨୫, ୨୦୨୩ରେ ୬୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୨୪ମସିହାରେ ୩ଲକ୍ଷ ୫୬ହଜାର ୭୦୦ଜଣଙ୍କର ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ସେମମାନଙ୍କ ମଧ୍ୟରୁ ୧୦୯୬ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ୨୦୨୫ମସିହାରେ ୩ଲକ୍ଷ ୭୦ହଜାର ୩୬୧ଜଣଙ୍କର ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ସେମମାନଙ୍କ ମଧ୍ୟରୁ ୮୫୧ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ପାପାଡାହାଣ୍ଡି ବ୍ଲକରେ ୩୧୬, ଝରିଗାଁ ବ୍ଲକରେ ୪୫୩ ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨୧୮, ରାଇଘର ବ୍ଲକର ହାଟଭରଣ୍ଡିରେ ୨୩୪ ଚିହ୍ନଟ ହୋଇଛନ୍ତି।

ଏହାକୁ ନିୟନ୍ତ୍ରଣ କରିବା ଲାଗି ୨୦୨୧ରେ ୫ଲକ୍ଷ ଔଷଧବୋଳା ମଶାରି ବଣ୍ଟନ କରାଯାଇଥିଲା। ସଚେତନତା ଅଭାବରୁ ଏହାର ବ୍ୟବହାର ଠିକ୍‌ରେ ହୋଇନଥିଲା । ପୁନର୍ବାର ଜିଲ୍ଲାରେ ମଶାରି ବଣ୍ଟନ ପାଇଁ ଯୋଗାଇଦେବାକୁ ୨୦୨୧ମସିହାରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହାରି ମଧ୍ୟରେ ରାଜ୍ୟ ସରକାର କିଛି ଯୋଗାଇ ନାହନ୍ତି ବୋଲି କହିଛନ୍ତି ଜିଲ୍ଲା ମ୍ୟାଲେରିଆ ପରାମର୍ଶଦାତା ସନ୍ତୋଷ ପଣ୍ଡା। ଗତ ଦଶବର୍ଷ ତଳେ ସ୍ବାସ୍ଥ୍ୟ ବିଭାଗ ଯେଉଁ ପଦ୍ଧତି ଡେଲଟାମେଥରିନ୍ ଇମ୍ପାରାଗେସନ୍ ଆରମ୍ଭ ହୋଇଛି। ପୁରଣା ମଶାରୀ ଲୋକେ ଧରିକି ଆସିଲେ ଆଶାକର୍ମୀ ମାନେ ଗାଁ ଗହଳିରେ ଏହି ଔଷଧରେ ବତୁରିଆ‌ ପରେ ଦେଉଛନ୍ତି ବୋଲି କହିଛନ୍ତି ପଣ୍ଡା। ଏବେ ନିୟନ୍ତ୍ରଣାଧୀନ ଓ କମିଯାଇଛି ବୋଲି କହିଛନ୍ତି ସିଡିଏମଓ ଡ.ମଳୟ ପ୍ରଧାନ।

ସୌଜନ୍ୟ ସମ୍ବାଦ