Ukrainian Frontline Soldier: ଯୁଦ୍ଧ କ୍ଷେତ୍ରରେ ଭୋକ-ଶୋଷରେ କଙ୍କାଳ ହୋଇଗଲେଣି ୟୁକ୍ରେନ୍ ସୈନିକ

କିଭ୍/କୁପିଆନସ୍କ: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଅତି ସମ୍ୱେଦନଶୀଳ ସ୍ଥିତିରେ ପହଞ୍ଚିଛି। ସୀମାରେ ଲଢ଼ୁଥିବା ସୈନ୍ୟମାନଙ୍କ ଦୁରାବସ୍ଥା ସମଗ୍ର ବିଶ୍ଵକୁ ଚକିତ କରିଦେଇଛି। ଉତ୍ତର-ପୂର୍ବ ୟୁକ୍ରେନର କୁପିଆନସ୍କ ନିକଟରେ ଓସ୍କିଲ୍ ନଦୀ କୂଳରେ ଦେଶ ପାଇଁ ଲଢ଼ୁଥିବା ସୈନ୍ୟମାନେ ଦୀର୍ଘ ଆଠ ମାସ ଧରି ଉପଯୁକ୍ତ ଖାଦ୍ୟ ଓ ପାଣି ବିନା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସେମାନଙ୍କର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହି ସାଙ୍ଘାତିକ ସତ ସାମ୍ନାକୁ ଆସିଛି, ଯେଉଁଥିରେ ସୈନ୍ୟମାନଙ୍କ ଶରୀର କୁପୋଷଣ ଯୋଗୁଁ କଙ୍କାଳ ପରି ଦେଖାଯାଉଛି। ଜଣେ ସୈନିକଙ୍କ ପତ୍ନୀ ଆନାଷ୍ଟାସିଆ ସିଲଚୁକ୍ ସୋସିଆଲ ମିଡିଆରେ ସମସ୍ତ ଫଟୋକୁ ସାର୍ବଜନୀନ କରିବା ସହ ଅଭିଯୋଗ କରିଛନ୍ତି ଯେ, ଆଗଧାଡ଼ିରେ ଲଢ଼ୁଥିବା ସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଯେଉଁମାନଙ୍କ ଓଜନ ୯୦ କିଲୋଗ୍ରାମ ଥିଲା ବର୍ତ୍ତମାନ ଖାଦ୍ୟ ଓ ପାଣି ଅଭାବରୁ ୫୦ କିଲୋଗ୍ରାମକୁ ଖସି ଆସିଛି। ସୈନିକମାନେ ବଞ୍ଚିବା ପାଇଁ ବର୍ଷା ପାଣି ଓ ବରଫ ତରଳାଇ ପିଉଛନ୍ତି ଏବଂ ଅନେକ ସମୟରେ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି ଖାଦ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏହି ଘଟଣାରେ ଗମ୍ଭୀରତାକୁ ଦୃଷ୍ଟିରେ ରଖି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ତୁରନ୍ତ ଦାୟୀ ଥିବା ଶୀର୍ଷ କମାଣ୍ଡରଙ୍କୁ ବରଖାସ୍ତ କରିବା ସହ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛି।

ସୋସିଆଲ ମିଡିଆରେ ଫଟୋ ଭାଇରାଲ୍

ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ରୁଷିଆ ସେନା ଯୋଗାଣ ପାଇଁ ବ୍ୟବହୃତ ପୋଲଗୁଡ଼ିକୁ ନଷ୍ଟ କରିଦେବା ସହ ଖାଦ୍ୟ ନେଇ ଯାଉଥିବା ଡ୍ରୋନଗୁଡ଼ିକ ଉପରେ କଡ଼ା ନଜର ରଖୁଛନ୍ତି, ଯାହା ଫଳରେ ସୈନିକମାନଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବା ବିପଜ୍ଜନକ ହୋଇପଡ଼ିଛି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି ବର୍ତ୍ତମାନ ସାଉଦି ଆରବ ଗସ୍ତରେ ରହି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇଁ ଆଲୋଚନା କରୁଛନ୍ତି ଏବଂ ଦେଶର ଆୟ ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ବିକ୍ରୟର ପନ୍ଥା ଖୋଜୁଛନ୍ତି। ତେବେ ସୀମାରେ ଥିବା ସୈନିକଙ୍କ ପରିସ୍ଥିତି ସାର୍ବଜନୀନ ହେବା ପରେ ଏବେ ସେଠାକୁ ନୂତନ କମାଣ୍ଡର ପଠାଯିବା ସହ ଖାଦ୍ୟ ଯୋଗାଣରେ ଉନ୍ନତି ହୋଇଥିବା ସିଲଚୁକ୍ ସୂଚନା ଦେଇଛନ୍ତି। ସୈନିକମାନଙ୍କ ଚିକିତ୍ସା ଓ ସେମାନଙ୍କ ପରିବର୍ତ୍ତନ ପାଇଁ ଏବେ ଦାବି ଜୋର ଧରିଛି, ଯାହା ଯୁଦ୍ଧକ୍ଷେତ୍ରରେ ମାନବିକ ଅଧିକାରର ଏକ ବଡ଼ ଉଲ୍ଲଂଘନକୁ ପଦାରେ ପକାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଏବେ ୟୁକ୍ରେନ ସରକାରଙ୍କ ଆଭ୍ୟନ୍ତରୀଣ ପରିଚାଳନା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୌଜନ୍ୟ ସମ୍ବାଦ