Pawan Khera: କଂଗ୍ରେସ ପୱନ ଖେରାଙ୍କ ସହିତ ଅଛି: ଗୌହାଟୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ କହିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ପୱନ ଖେରାଙ୍କୁ ଦେଶର ବିଭିନ୍ନ କୋର୍ଟରେ ଆଗୁଆ ଜାମିନ ପାଇଁ ବୁଲିବାକୁ ପଡୁଛି। କିନ୍ତୁ ତାଙ୍କ ଦଳ ତାଙ୍କ ପଛରେ ଦୃଢ଼ ଭାବରେ ଠିଆ ହୋଇଛି। ଗୁଆହାଟୀ ହାଇକୋର୍ଟ ଶୁକ୍ରବାର ଖେରାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ, କଂଗ୍ରେସ ରାଜ୍ୟସଭା ସାଂସଦ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହା ଜଣାଇଛନ୍ତି। ତାଙ୍କୁ ସୁରକ୍ଷା ଦେବା ପାଇଁ ଦଳ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ଦଳ ବିଶ୍ୱାସ ପ୍ରକାଶ କରିଛି, ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହେବ।

ସମଗ୍ର ଭାରତୀୟ ଜାତୀୟ କଂଗ୍ରେସ ଏହାର ଗଣମାଧ୍ୟମ ତଥା ପ୍ରଚାର ବିଭାଗର ଅଧ୍ୟକ୍ଷ ତାଙ୍କ ପଛରେ ଦୃଢ଼ ଭାବରେ ଏକଜୁଟ ହୋଇଛନ୍ତି। ଗୁଆହାଟୀ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାର ପ୍ରକ୍ରିୟା ଚାଲିଛି। ଆମେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ ଯେ ଧମକ, ଭୟ ଏବଂ ଉତ୍ପୀଡ଼ନର ରାଜନୀତିରେ ନ୍ୟାୟର ଜୟ ହେବ ବୋଲି ଜୟରାମ କହିଛନ୍ତି।

ଠକାମି ତଥା ଅପରାଧିକ ଷଡଯନ୍ତ୍ର ବିଭାଗ ଅନ୍ତର୍ଗତ ଗୁଆହାଟୀ କ୍ରାଇମ ବ୍ରାଞ୍ଚ ପୁଲିସ ଷ୍ଟେସନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପତ୍ନୀ ରିଙ୍କି ଭୁୟାଁ ଶର୍ମାଙ୍କ ଦ୍ବାରା ପୱନ ଖେରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ୯ ଏପ୍ରିଲରେ ମତଦାନର କିଛି ଦିନ ପୂର୍ବରୁ ଗୁଆହାଟିରେ ପୱନ ଖେରା ଦାବି କରିଥିଲେ, ରିଙ୍କିଙ୍କ ପାଖରେ ତିନୋଟି ବିଦେଶୀ ପାସପୋର୍ଟ ରହିଛି। ତେବେ ରିଙ୍କି ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ। ସେବେଠାରୁ, ଗୁଆହାଟୀ ପୁଲିସ କଂଗ୍ରେସ ନେତାଙ୍କୁ ଖୋଜୁଛି। ସୁପ୍ରିମକୋର୍ଟରୁ ଝଟକା ପାଇବା ପରେ,ଖେରା ତାଙ୍କ ଆଗୁଆ ଜାମିନ ପାଇଁ ଗୁଆହାଟି ହାଇକୋର୍ଟରେ ଏକ ଆବେଦନ କରିଥିଲେ, ଯାହାକୁ ଶୁକ୍ରବାର ଖାରଜ କରିଦିଆଯାଇଥିଲା ।

ଆସାମ ପୁଲିସର ଗିରଫଦାରୀକୁ ଏଡାଇବା ପାଇଁ ସେ ପ୍ରଥମେ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଏକ ସପ୍ତାହ ପାଇଁ ଟ୍ରାଞ୍ଜିଟ୍ ଆଣ୍ଟିସିପେଟୋରୀ ଜାମିନ ପ୍ରଦାନ କରି ସର୍ତ୍ତ ରଖିଥିଲେ ଯେ, ଏଥିପାଇଁ ସେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହା ପରେ ଆସାମ ସରକାର ତେଲେଙ୍ଗାନା ହାଇକୋର୍ଟର ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶୀର୍ଷକୋର୍ଟ ଖେରାଙ୍କୁ ଦିଆଯାଇଥିବା ଟ୍ରାଞ୍ଜିଟ୍ ଆଣ୍ଟିସିପେଟୋରୀ ଜାମିନ ଉପରେ ସ୍ଥଗିତାଦେଶ ଦେଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ପାଇଁ ଗୁଆହାଟି ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଥିଲେ , କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

 

 

 

ସୌଜନ୍ୟ ସମ୍ବାଦ