ତେହରି ଡ୍ୟାମ୍ ଆନ୍ଦୋଳନ ଭାରତର ଏକ ପ୍ରସିଦ୍ଧ ପରିବେଶ ଓ ମାନବାଧିକାର ଆନ୍ଦୋଳନ ଭାବେ ପରିଚିତ। ଏହା ଉତ୍ତରାଖଣ୍ଡର ଭାଗୀରଥୀ ନଦୀ ଉପରେ ନିର୍ମିତ ତେହରି ବନ୍ଧ ପ୍ରକଳ୍ପକୁ ବିରୋଧ କରିବା ପାଇଁ ଆରମ୍ଭ ହୋଇଥିଲା। ତେହରି ଡ୍ୟାମ୍ ଭାଗୀରଥୀ ନଦୀ ଉପରେ ନିର୍ମିତ ଏକ ବିଶାଳ ବନ୍ଧ। ଏହା ଭାରତର ସବୁଠାରୁ ଉଚ୍ଚ ଡ୍ୟାମ୍ଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେହରି ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ୧୯୭୮ ମସିହାରେ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଏହାର ନିର୍ମାଣ କାର୍ଯ୍ୟ ଚାଲିବା ପରେ ୨୦୦୬ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ଏହାର ଉଚ୍ଚତା ପ୍ରାୟ ୨୬୦ ମିଟର।
ସରକାର ବନ୍ଧ ପ୍ରକଳ୍ପ ଦ୍ବାରା ବିଦ୍ୟୁତ୍ ଉତ୍ପାଦନ, ଜଳସେଚନ ଓ ପାନୀୟଜଳ ଯୋଗାଣ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ତେବେ ଏହି ଡ୍ୟାମ୍ ହେବା ଫଳରେ ଅନେକ ଗାଁ ପାଣିରେ ବୁଡ଼ିଯିବା ସହିତ ହଜାର ହଜାର ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏହା ସହିତ ଜଙ୍ଗଲ କ୍ଷୟ ଓ ପ୍ରାଣୀମାନଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିବା ଆଶଙ୍କା ଥିଲା। ନଦୀବନ୍ଧ ନିର୍ମାଣ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ସୁନ୍ଦରଲାଲ ବହୁଗୁଣା ଏବଂ ଭିଡି ସକଲାନିଙ୍କ ପରି ସାମାଜିକକର୍ମୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା ଶାନ୍ତିପୂର୍ଣ୍ଣ ଭାେବ ପ୍ରତିବାଦ ଆରମ୍ଭ କରିଥିଲେ।
ପ୍ରାୟ ୭୪ ଦିନ ଧରି ଅନଶନ କରି ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେଇ ନିଜ ଅଧିକାର ପାଇଁ ଲଢ଼େଇ କରିଥିଲେ। ଶେଷରେ ଯଦିଓ ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା, ସେହି ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ଫଳରେ ପୁନଃବସତି ଅଧିକାର ପାଇଁ ବହୁଦିନ ପର୍ଯ୍ୟନ୍ତ ଆଇନଗତ ଲଢ଼େଇ ଜାରି ରହିଥିଲା। ତେହରି ଡ୍ୟାମ୍ ଆନ୍ଦୋଳନ ବିକାଶ ଓ ପରିବେଶ ମଧ୍ୟରେ ସମନ୍ବୟକୁ ଗୁରୁତ୍ବ ଦେଇଥିଲା। ଯେତେ ବଡ଼ ପ୍ରକଳ୍ପ କରାଯାଉନା କାହିଁକି, ଲୋକଙ୍କ ଜୀବନ ଓ ପରିବେଶକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ଏହି ଆେନ୍ଦାଳନର ବାର୍ତ୍ତା ରହିଥିଲା।
ସୌଜନ୍ୟ ସମ୍ବାଦ

