ଜାତି, ବର୍ଗ ଓ ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ କଡ଼ା ଚା ଅଧିକାଂଶ ଭାରତୀୟଙ୍କର ବେଶ୍ ପସନ୍ଦ। କିନ୍ତୁ ଦୁଃଖର ବିଷୟ, ଭାରତୀୟ ଚା କ୍ରମଶଃ ତା’ର କଡ଼ାପଣ ହରାଇଚାଲିଛି। ଜଳବାୟୁ ପରିବର୍ତ୍ତନଜନିତ ବିଶ୍ବତାପନର କୁପ୍ରଭାବ ହିଁ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଏହା ବ୍ୟତିରେକେ, ୨୦୨୪େର ଭାରତୀୟ ଚା ଉତ୍ପାଦନ ୨୦୨୩ ତୁଳନାରେ ୯୦୦ ଲକ୍ଷ କିଲୋରୁ ଅଧିକ ହ୍ରାସ ପାଇଛି ବୋଲି ଟି ବୋର୍ଡ ଅଫ୍ ଇଣ୍ଡିଆ କହିଛି। ବୋଧହୁଏ ଆଗରୁ କେବେ ଗୋଟିଏ ବର୍ଷରେ ଚା ଉତ୍ପାଦନ ଏଡ଼େ ଦ୍ରୁତ ବେଗରେ ହ୍ରାସ ପାଇ ନ ଥିଲା। ଏହାର ମୁଖ୍ୟ କାରଣ ବି ଜଳବାୟୁ ପରିବର୍ତ୍ତନ ବୋଲି ଟି ବୋର୍ଡ କହିଛି।
ଅସଲ କଥା ହେଉଛି, ଚା ଫସଲ ତାପମାତ୍ରା ଉପରେ ନିର୍ଭର କରେ। ତାପମାତ୍ରା ୧୮ ଡିଗ୍ରି ସେଲ୍ସିୟସ୍ରୁ ୩୦ ଡିଗ୍ରି ସେଲ୍ସିୟସ୍ ଭିତରେ ରହିଲେ ଉତ୍କୃଷ୍ଟ ଚା ଉତ୍ପାଦନ ହୁଏ। ସେଥିରୁ କମ୍ବେଶୀ ହେଲେ ଚା ଉତ୍ପାଦନ ଓ ମାନ ପ୍ରଭାବିତ ହୁଏ ବୋଲି କୃଷିବିଜ୍ଞାନୀ ତଥା ଆସାମର ଅନ୍ୟତମ ପ୍ରମୁଖ ଟି ଇଷ୍ଟେଟ୍ ଦେୱାନ୍ ଗ୍ରୁପ୍ର ପୂର୍ବତନ ସହକାରୀ ପରିଚାଳକ ପ୍ରଶାନ୍ତ ସିହ୍ନା କହିଛନ୍ତି। ସ୍ବଳ୍ପ ଅଥବା ଭୀଷଣ ବୃଷ୍ଟିପାତ ଭଳି ଅବସ୍ଥା ହେଲେ ଚା ପତ୍ର ଉଧାଇବାରେ ବ୍ୟାଘାତ ସୃଷ୍ଟିହୁଏ। ସ୍ବାଭାବିକ ମୌସୁମୀକାଳରେ ପ୍ରତି ୫/୬ ଦିନରେ ଥରେ ଚା ପତ୍ର ତୋଳିବା ନିମନ୍ତେ ଉପଯୁକ୍ତ ହୋଇଥାଏ। କିନ୍ତୁ, ମୌସୁମୀ ବର୍ଷା ମନ୍ଥର ହେଲେ ପତ୍ରତୋଳା ଅବଧି ମନ୍ଥର ହୋଇଯାଏ। ତା’ଛଡ଼ା ତୋଳାଯାଇଥିବା ପତ୍ରରୁ ମଧ୍ୟ ଆର୍ଦ୍ରତା ହ୍ରାସ ପାଏ। ପତ୍ରରେ ତନ୍ତୁ ପରିମାଣ ବୃଦ୍ଧି ଘଟେ ଏବଂ ଚା’ର ମାନ ହ୍ରାସ ପାଏ।
୨୦୨୪େର ଭାରତୀୟ ଚା ଉତ୍ପାଦନ ୨୦୨୩ ତୁଳନାରେ ୯୦୦ ଲକ୍ଷ କିଲୋରୁ ଅଧିକ ହ୍ରାସ ପାଇଛି ବୋଲି ଟି ବୋର୍ଡ ଅଫ୍ ଇଣ୍ଡିଆ କହିଛି। ବୋଧହୁଏ ଆଗରୁ କେବେ ଗୋଟିଏ ବର୍ଷରେ ଚା ଉତ୍ପାଦନ ଏଡ଼େ ଦ୍ରୁତ ବେଗରେ ହ୍ରାସ ପାଇ ନ ଥିଲା।
ସମଗ୍ର ଭାରତରେ ଯେତେ ଚା ଉତ୍ପାଦନ କରାଯାଏ ତା’ର ପ୍ରାୟ ୫୦ରୁ ୫୫ ପ୍ରତିଶତ ଉତ୍ପାଦିତ ହୁଏ ଆସାମରୁ। ଆସାମ ଚା ନିମନ୍ତେ ଅନୁକୂଳ ତାପମାତ୍ରା ହେଉଛି ୨୭ ଡିଗ୍ରି ସେଲ୍ସିୟସ୍। କିନ୍ତୁ, ସମ୍ପ୍ରତି ଗୌହାଟୀରେ ତାପମାତ୍ରା ସବୁବେଳେ ୩୬ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ସେହିପରି କାଛାଡ଼, ଜୋରହାଟ ଓ ଦିବ୍ରୁଗଡ଼ ଭଳି ଭାରତର କେତେକ ଗୁରୁତ୍ବପୂର୍ଣ୍ଣ ଚା ଜିଲ୍ଲାରେ ତାପମାତ୍ରା ୪୦ରୁ ୪୧ ଡିଗ୍ରି ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ବିଶ୍ବର ସର୍ବୋତ୍ତମ ଚା ଭାବେ ପ୍ରଖ୍ୟାତ ଦାର୍ଜିଲିଂରେ ଅବସ୍ଥା ବି ତଦ୍ରୂପ। ଟି ବୋର୍ଡ ଅଫ୍ ଇଣ୍ଡିଆ କହିଛି- ଏଠାରେ ଥିବା ୮୭ଟି ଚା ଇଷ୍ଟେଟ୍ରୁ ବର୍ଷକୁ ୧୪୦ ଲକ୍ଷ କିଲୋ ଚା ଉତ୍ପାଦନ କରାଯାଏ। କିନ୍ତୁ, ୨୦୨୫ରେ ମାତ୍ର ୫୨ ଲକ୍ଷ ୫୦ ହଜାର କିଲୋ ଚା ଉତ୍ପାଦନ ହୋଇଥିଲା। ଦାର୍ଜିଲିଂ ଏବଂ ଉପର ଆସାମ ଅଞ୍ଚଳରେ ଚା ଉତ୍ପାଦନ ପରିମାଣ ହ୍ରାସ ଯେତିକି ବ୍ୟଥିତ କରୁନାହିଁ, ତା’ଠାରୁ ଅଧିକ ବ୍ୟଥିତ କରୁଛି ଚା’ର ମାନ ହ୍ରାସ।
ମୁଖ୍ୟତଃ ପଲିଫେନଲ୍ ଓ ଆମିନୋ ଏସିଡ୍ ଭଳି ରାସାୟନିକ ଉପାଦନ ଉପରେ ଚା’ର ମାନ ନିର୍ଭର କରିଥାଏ। ଉପଯୁକ୍ତ ତାପମାତ୍ରା, କୁହେଳି ଓ ଆର୍ଦ୍ରତା ଆଦି ପରିସ୍ଥିତିରେ ହିଁ ଚା ପତ୍ରରେ ଉପରୋକ୍ତ ରାସାୟନିକ ଉପାଦାନ ସୃଷ୍ଟି ହୁଏ। ଆଖିକୁ ସରସ ସୁନ୍ଦର ଦିଶୁଥିଲେ ବି ଭିତେର ଭିତରେ ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବ ଯୋଗୁଁ ଚା ପତ୍ରରେ ରାସାୟନିକ ଉପାଦାନ ପରିମାଣ ବଦଳିଯାଏ। ସେ ପତ୍ରରୁ ଉତ୍ପାଦିତ ଚା କଡ଼ା ଲାଗେ ନାହିଁ ଅଥବା ପିତୁଳିଆ ଲାଗେ।
ସିହ୍ନା କହନ୍ତି, ‘‘ଆଗାମୀ ବର୍ଷମାନଙ୍କରେ ଯଦି ଏତାଦୃଶ ପରିସ୍ଥିତି ଲାଗିରହେ ତା’ହେଲେ ଚା ଉତ୍ପାଦନ ଖୁବ୍ କମିଯିବ। ଫଳରେ ଚା ଦର ବୃଦ୍ଧି ପାଇବ ଏବଂ ପରିଶେଷରେ ଚା ସାଧାରଣ ପାନୀୟ ନ ହୋଇ ବିଳାସ ପାନୀୟ ହୋଇଯିବ।’’
ସୌଜନ୍ୟ ସମ୍ବାଦ

