Environmental education: ଶିକ୍ଷାନୁଷ୍ଠାନରେ ପରିବେଶ ଶିକ୍ଷା

ଶିକ୍ଷାନୁଷ୍ଠାନ ହେଉଛି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନର ପାଠଶାଳା। ତେଣୁ ଏଠାରୁ ପରିବେଶ ସଚେତନତାର ଶିକ୍ଷା ଦିଆଯିବା ଅାବଶ୍ୟକ। ବୃକ୍ଷରୋପଣ, ଜଳ ସଞ୍ଚୟ ଓ ଅାବର୍ଜନା ପୁନଃଚକ୍ରଣ ଭଳି ପରିବେଶ ସୁରକ୍ଷାମୂଳକ କାର୍ଯ୍ୟଧାରା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ଶିଖିପାରନ୍ତି। ଏଥିଲାଗି ଛାତ୍ରଛାତ୍ରୀମାନଙ୍କୁ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।

l ପ୍ରତିଦିନ ଛାତ୍ରଛାତ୍ରୀମାନେ ଆକାଶ, ମେଘ, ବର୍ଷା ଓ ସୂର୍ଯ୍ୟର ଅବସ୍ଥାନକୁ ଅବଲୋକନ କରି ପାଣିପାଗ ସମ୍ବନ୍ଧୀୟ ଟିପ୍ପଣୀ ଲେଖିବା ଉଚିତ। ଏହାଦ୍ୱାରା ସେମାନେ ପ୍ରକୃତିକୁ ଅଧିକ ଭଲଭାବରେ ବୁଝିପାରିବେ।

l ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍କୁଲ ବଗିଚାରେ ଗଛ ଲଗାଇବା ସହିତ ସେଗୁଡ଼ିକର ଯତ୍ନ କିପରି ନିଆଯିବ ତାହା ଶିଖାଇବା ଉଚିତ। ଏହାଦ୍ୱାରା ସେମାନେ ପ୍ରକୃତି ଓ ଖାଦ୍ୟ ଉତ୍ପାଦନ ବିଷୟରେ ଜ୍ଞାନ ଲାଭ କରିବେ।

l ପୁରୁଣା କାଗଜ, ପ୍ଲାଷ୍ଟିକ୍‌ ବୋତଲ ଓ ଶ୍ରେଣୀକକ୍ଷର ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ପୁନଃଚକ୍ରଣ କରି ନୂତନ ସାମଗ୍ରୀ (ଫୁଲଦାନି, ପେନ୍‌ଷ୍ଟାଣ୍ଡ ଓ ସାଜସଜ୍ଜା ସାମଗ୍ରୀ) ତିଆରି କରିବାର କଳା ବି ଶିଖିବା ଆବଶ୍ୟକ।

l ଶିଶୁମାନଙ୍କୁ ପାର୍କ କିମ୍ବା ଉଦ୍ୟାନକୁ ନେଇ ପକ୍ଷୀ, ଗଛ ଓ ପରିବେଶ ସମ୍ପର୍କରେ ଅବଗତ କରାଇବା ଉଚିତ।

l ଜଳ ସଞ୍ଚୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା, ଯଥା: ନଳ ବନ୍ଦ କରିବା ଓ ପାଣିର ଅପଚୟ ରୋକିବା।

l ଛାତ୍ରମାନେ ଆଣୁଥିବା ଖାଦ୍ୟ ବଳିପଡ଼ିଲେ ତାହାକୁ ଫିଙ୍ଗିବା ପରିବର୍ତ୍ତେ ଏକ ବଡ଼ ପାତ୍ରରେ ସଂଗ୍ରହ କରି ଜୈବଖତ ପ୍ରସ୍ତୁତ କରାଇବା।

l ସ୍କୁଲରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ପାଣିପାତ୍ର ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ ସେଗୁଡ଼ିକରେ ଖାଦ୍ୟ ଓ ପାଣି ଦେବାକୁ ଶିଖାଇବା ଉଚିତ। ଏହାଦ୍ୱାରା ସେମାନେ ପକ୍ଷୀମାନଙ୍କ ପ୍ରତି ସହାନୁଭୂତିଶୀଳ ହେବେ।

 

l ପରିବେଶ ଓ ପଶୁପକ୍ଷୀ ସମ୍ପର୍କୀୟ ଗଳ୍ପ କହି ଶିଶୁମାନଙ୍କୁ ସଚେତନ କରାଇବା ବିଧେୟ।

l ବିଦ୍ୟାଳୟରେ ସପ୍ତାହକୁ ଥରେ ସ‌େଫଇ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ। ଏହାଦ୍ୱାରା ପିଲାମାନେ ସ୍କୁଲ ଓ ନିଜ ଘରକୁ ସଫା ରଖିବା ପ୍ରତି ପ୍ରେରିତ ହେବେ।

l ସ୍କୁଲକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଉଚିତ। ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ୍‌ ବ୍ୟବହାର ନକରି କପଡ଼ା ବ୍ୟାଗ୍‌ ବ୍ୟବହାର କରିବାକୁ ଅଭ୍ୟାସ କରିବା ଦରକାର।

 

 

 

 

ସୌଜନ୍ୟ ସମ୍ବାଦ