Liver cancer: ଯକୃତ କର୍କଟର ନିରାକରଣ ସମ୍ଭବ

ଲିଭର୍‌ କ୍ୟାନ୍‌ସର୍‌ ବା ଯକୃତ କର୍କଟ ଏକ  ମାରାତ୍ମକ ରୋଗ। ତେବେ ଅନେକାଂଶରେ ଏହାର ନିରାକରଣ କରାଯାଇ ପାରିବ। ପ୍ରତିବର୍ଷ ସାରା ପୃଥିବୀରେ ୬ ଲକ୍ଷ ବ୍ୟକ୍ତି ଲିଭର୍‌ କ୍ୟାନସର୍‌ରେ ପ୍ରାଣ ହରାଇଥାନ୍ତି। ହିସାବକୁ ଦେଖିଲେ, ପୃଥିବୀରେ ଏହି କ୍ୟାନସର୍‌ ଷଷ୍ଠ ସ୍ଥାନରେ ରହିଛି। ମହିଳାମାନଙ୍କ ଅପେକ୍ଷା ପୁରୁଷଙ୍କ କ୍ଷେତ୍ରରେ ଏହାର ପ୍ରାଦୁର୍ଭାବ ଅଧିକ। ଫୁସ୍‌ଫୁସ୍ କ୍ୟାନ୍‌ସର୍‌ ଓ ପେଟ ପରେ ଲିଭର୍‌ କ୍ୟାନସର୍‌ ହିଁ ଅଧିକ ଜୀବନ ନେଇଥାଏ। ପ୍ରତିବର୍ଷ ଯକୃତର ଅବହେଳା କାରଣରୁ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଚଳିତ ବର୍ଷ ବିଶ୍ୱ ଯକୃତ ଦିବସର ବାର୍ତ୍ତା ରହିଥିଲା ‘କଠିନ ଅଭ୍ୟାସ, ଶକ୍ତିଶାଳୀ ଯକୃତ’ (ସଲିଡ୍ ହାବିଟ୍, ଷ୍ଟ୍ରଙ୍ଗ୍‌ ଲିଭର୍‌)।

ହେପାଟାଇଟିସ୍-ବି ଓ ସି ଏହି ରୋଗର ମୁଖ୍ୟ କାରଣ। ଏସିଆ ଓ ଆଫ୍ରିକା ମହାଦେଶରେ ହେପାଟାଇଟିସ୍-ବି ୮୦ ପ୍ରତିଶତ ଏବଂ ଆମେରିକା ଓ ଜାପାନରେ ହେପାଟାଇଟିସ୍-ସି ୭୫ ପ୍ରତିଶତ ଲିଭର୍‌ କ୍ୟାନସର୍‌ର କାରଣ ହୋଇଥାଏ।

ହେପାଟାଇଟିସ୍-ବି ଓ ସି ସାଧାରଣତଃ ଦୂଷିତ ରକ୍ତ, ଦୂଷିତ ସିରିଞ୍ଜ ବା ଛୁଞ୍ଚି ମାଧ୍ୟମରେ କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ଜରିଆରେ ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥାଏ। ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି, ସେମାନେ ଲିଭର୍‌ ସିରୋସିସ୍ ଓ କ୍ୟାନ୍‌ସର୍‌ରେ ପୀଡ଼ିତ ହୁଅନ୍ତି। ଲିଭର୍‌ରେ ଅତ୍ୟଧିକ ଚର୍ବି ଜମିବା, ଧୂମପାନ, ଡାଇବେଟିସ୍ ଓ ଆଫ୍‌ଲାଟକ୍ସିନ୍ ସେବନ ଯୋଗୁଁ ଲିଭର୍‌ କ୍ୟାନ୍‌ସର୍‌ ହୋଇଥାଏ। ହିମୋକ୍ରୋମାଟୋସିସ୍, ଟାଇରୋସିନୋସିସ୍‌, ଆଲ୍‌ଫା-୧ ଏଣ୍ଟିଟ୍ରିପ୍‌ସିନ୍‌ର ଅଭାବ ଥିଲେ ମଧ୍ୟ ଏହି କ୍ୟାନ୍‌ସର୍‌ ହୁଏ। ହେପାଟାଇଟିସ୍-ବି, ସି, ମଦ୍ୟପାନ, ଧୂମପାନ, ଚର୍ବିଜନିତ ରୋଗ ଓ ଡାଏବେଟିସ୍ ପରବର୍ତ୍ତୀ ଅବସ୍ଥାରେ ଲିଭର କ୍ୟାନ୍‌ସର୍‌ ଆକ୍ରାନ୍ତ କରାଏ।

ଆମ ଦେଶରେ ବହୁସଂଖ୍ୟକ ହେପାଟାଇଟିସ୍-ବି ଭୂତାଣୁ ବାହକ ଅଛନ୍ତି। ଛୋଟ ପିଲାମାନେ ସାଧାରଣତଃ ଜନ୍ମ ସମୟରେ ସଂକ୍ରମିତ ମା’ଠାରୁ ଭୂତାଣୁର ଶିକାର ହୋଇଥାନ୍ତି। ଏହାକୁ ସିଧା ପ୍ରସାରଣ କୁହାଯାଏ। ଭୂତାଣୁ ପ୍ରସାରଣର ଦ୍ୱିତୀୟ ମାଧ୍ୟମ ହେଉଛି, ଜଣେ ପିଲାଠାରୁ ଅନ୍ୟ ଜଣେ ପିଲାକୁ ସଂକ୍ରମଣ। ଏହାକୁ ସମାନ୍ତର ପ୍ରସାରଣ କୁହାଯାଏ। ଆମ ଦେଶରେ ଏବେ ପାଖାପାଖି ପାଞ୍ଚ କୋଟି ହେପାଟାଇଟିସ୍-ବି ଭୂତାଣୁ ବାହକ ଅଛନ୍ତି। ଏମାନେ ନିରୋଗ ଓ ସୁସ୍ଥ ଦେଖାଗଲେ ମଧ୍ୟ ପରବର୍ତ୍ତୀ କାଳରେ (୨୦-୨୫ ବର୍ଷ ପରେ) ଯକୃତ ସିରୋସିସ୍ ଓ ଯକୃତ କର୍କଟ ଆକ୍ରାନ୍ତ ହୋଇଥାନ୍ତି। ହେପାଟାଇଟିସ୍-ବି ଏଡ଼୍‌ସ ଠାରୁ ଶହେ ଗୁଣ ଅଧିକ ସଂକ୍ରାମକ। ଯକୃତ କର୍କଟରେ ୯୦-୯୫% ବ୍ୟକ୍ତି ଛଅ ମାସରୁ ଏକ ବର୍ଷ ଭିତରେ ମୃତ୍ୟୁମୁଖରେ ପଡ଼ିଥାନ୍ତି।
ଆମେ ଯଦି ଟିକା ମାଧ୍ୟମରେ ହେପାଟାଇଟିସ୍-ବିର ନିରାକରଣ କରିପାରିବୁ, ତେବେ ଲିଭର୍‌ କ୍ୟାନ୍‌ସର୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଯିବ। ମଦ୍ୟପାନ ବନ୍ଦ କରିବା ଅନ୍ୟ ଏକ ପଦକ୍ଷେପ। ଏହାଦ୍ୱାରା ଲିଭର୍‌ ସିରୋସିସ୍ ଓ ଲିଭର୍‌ କ୍ୟାନ୍‌ସର୍‌କୁ ରୋକାଯାଇ ପାରିବ। ରକ୍ତ ବ୍ୟାଙ୍କଗୁଡ଼ିକରେ ହେପାଟାଇଟିସ୍-ବି ଓ ସି ପରୀକ୍ଷା ମାଧ୍ୟମରେ ବି ଏହାର ନିୟନ୍ତ୍ରଣ କରିହେବ। ଡାଏବେଟିସ୍‌ ଓ ଅତ୍ୟଧିକ ଧୂମପାନ ଇତ୍ୟାଦି ମଧ୍ୟ ଅନେକାଂଶରେ ନିୟନ୍ତ୍ରଣ ସାପେକ୍ଷ।
ଅବସରପ୍ରାପ୍ତ ପ୍ରଫେସର୍‌ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ, କଟକ

 

 

 

ସୌଜନ୍ୟ ସମ୍ବାଦ