ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ମେ ୧ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଏହି ସିନେମାରେ ସନୋଜ କୁମାର, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ୱୀପନ୍ୱିତ ଦାଶ ମହାପାତ୍ର, ଭୂମିକା ଦାଶ, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ସୋମା ହୋତା, ଭକ୍ତି ଦାସ, ପିହୁ ମହାପାତ୍ର ଓ ମିଷ୍ଟର ରାଉତ ପ୍ରମୁଖ ଅଭିନୟ କରିଛନ୍ତି। ଦୀପକ କୁମାର ଏହାର ସିନେମୋଟୋଗ୍ରାଫର ଓ ରଶ୍ମିରଞ୍ଜନ ଦାଶ ଏଡିଟର। ସାଉଣ୍ଡ ଡିଜାଇନିଂରେ ଅଛନ୍ତି ଶକ୍ତିସ୍ୱରୂପ ଦ୍ବିବେଦୀ ଓ ସିଙ୍କ୍ ସାଉଣ୍ଡରେ ଚନ୍ଦ୍ରଶଖେର ଶର୍ମା।
ଚଳଚ୍ଚିତ୍ରର କାହାଣୀ ଅନୁପମ ପଟ୍ଟନାୟକ ଓ ରୋଷନ୍ ବିଶୋୟୀ ରଚନା କରିଥିବା ବେଳେ ଚିତ୍ରନାଟ୍ୟ ସଜାଇଛନ୍ତି ରୋହିତ ଗହେଲେଟ ଓ ଅନୁପମ ପଟ୍ଟନାୟକ। ପ୍ରଣବ ରଥ ସଂଳାପ ରଚନା କରିଛନ୍ତି। ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନା ଦାୟିତ୍ୱ ନିର୍ବାହ କରିଛନ୍ତି ନିଶାନ୍ତ ମଜିଠିଆ। ଆଶିଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟରାଜ ପ୍ରଧାନ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଅତ୍ୟାଧୁନିକ ଭିଏଫଏକ୍ସ ଓ ଗ୍ରାଫିକ୍ସ ସହିତ ହରର କମେଡି ‘ମନ୍ତ୍ରମୁଗ୍ଧ’ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ଅନୁଭୂତି ଆଣିବ। ନିକଟରେ ମୁକ୍ତିଲାଭ କରିଥିବା ଏହାର ଗୀତଗୁଡିକ ଓଡ଼ିଆଙ୍କ ହୃଦୟ ଜିତିଛି। ଗୋଟିଏ ଗୀତରେ ଚାରି ଜଣ ନାୟକ ଓ ନାୟିକାଙ୍କ ଅଭିନୟର ଯାଦୁ ଦେଖିବେ ଦର୍ଶକ। ଗଞ୍ଜାମ ଜିଲ୍ଲାର ଧରାକୋଟର ପ୍ରାଚୀନ ରାଜପ୍ରସାଦରେ ଦୀର୍ଘ ୫୦ ଦିନ ଧରି ସୁଟିଂ ହୋଇଥିବା ଛାତିଥରା ଦୃଶ୍ୟ ଦର୍ଶକଙ୍କୁ ରୋମାଞ୍ଚିତ କରିବ। ଧରାକୋଟ ରାଜପ୍ରାସାଦର ରହିଛି ଅନେକ ଐତିହ୍ୟ। ହେଲେ ଅବହେଳିତ ଅବସ୍ଥାରେ ଥିବା ଏହି ରାଜବାଟୀରେ ଘଟୁଥିବା ସହସ୍ୟମୟ ଘଟଣାକୁ କାହାଣୀ ରୋଚକ ଢଙ୍ଗରେ ଉପସ୍ଥାପନ କରିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ। ‘ମନ୍ତ୍ରମୁଗ୍ଧ’ ଚହଳ ସୃଷ୍ଟି କରିବ ବୋଲି ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ ପ୍ରକାଶ କରିଛନ୍ତି।
ସୌଜନ୍ୟ ସମ୍ବାଦ

