South Asian Personality: ଶ୍ରେଷ୍ଠ ଦକ୍ଷିଣ ଏସୀୟ ବ୍ୟକ୍ତିତ୍ବ

ଅଭିନେତ୍ରୀ ଭାବେ କ୍ୟାରିଅର ଆରମ୍ଭ କରି ଚଳଚ୍ଚିତ୍ର ନିର୍ମାତା ପାଲଟିଥିବା ସୟାନୀ ଗୁପ୍ତା ନିକଟରେ ବିଶ୍ବପ୍ରସିଦ୍ଧ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ସାଉଥ୍ ଏସିଆନ୍ ଆସୋସିଏସନ୍ ପକ୍ଷରୁ ୨୦୨୬ ମସିହାର ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ସମ୍ମାନିତ ହୋଇଛନ୍ତି। ଚଳଚ୍ଚିତ୍ର, କାହାଣୀ କଥନ ଓ ବିଶ୍ବ ମଞ୍ଚରେ ଦକ୍ଷିଣ ଏସୀୟ ପରିଚିତିର ପ୍ରଭାବଶାଳୀ ପ୍ରତିନିଧିତ୍ବ ପାଇଁ ସୟାନୀଙ୍କୁ ଏହି ମର୍ଯ୍ୟାଦାଜନକ ସ୍ବୀକୃତି ମିଳିଛି। ‘ଆର୍ଟିକଲ୍ ୧୫’ ଚଳଚ୍ଚିତ୍ର ଓ ‘ଫୋର୍ ମୋର୍ ସର୍ଟସ୍ ପ୍ଲିଜ୍!’ ପରି ଧାରାବାହିକରେ ତାଙ୍କ ନିର୍ଭୀକ ଚରିତ୍ର ଚୟନ ତଥା ବାସ୍ତବବାଦୀ ଅଭିନୟ ଦ୍ବାରା ସେ ଭାରତୀୟ କାହାଣୀ କଥନର ଆକାଶକୁ ପରିବ୍ୟାପ୍ତ କରିଛନ୍ତି ବୋଲି ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଉକ୍ତ ସଂଗଠନ ଉଲ୍ଲେଖ କରିଛି।
ଏହି ସମ୍ମାନ ଗ୍ରହଣ କରିବା ପରେ ସୟାନୀ କହିଛନ୍ତି, “ଏଭଳି ଏକ ବିଶ୍ବସ୍ତରୀୟ ମଞ୍ଚରେ ଆମ ଦେଶ ଭାରତ ଓ ଦକ୍ଷିଣ ଏସିଆର ପ୍ରତିନିଧିତ୍ବ କରିବା ଖୁବ୍ ସମ୍ମାନର କଥା।… ମୁଁ ମୋ ଭବିଷ୍ୟତର ପ୍ରତିଟି କାମରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବା ପାଇଁ ଚେଷ୍ଟା ଜାରି ରଖିବି ଏବଂ ଜଣେ ଦାୟିତ୍ବସମ୍ପନ୍ନ କାହାଣୀକାର ହେବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବି।’’ ଏହି ମାଇଲଖୁଣ୍ଟ ଅତିକ୍ରମ କରିବା ସଙ୍ଗେ ସଙ୍ଗେ ସୟାନୀ ଏବେ ତାଙ୍କର ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ‘ଆସମାନୀ’ ନେଇ ଖୁବ୍ ଆଶାବାଦୀ ଅଛନ୍ତି। ଗତ ମାସ ସେ ତାଙ୍କ ନିଜସ୍ବ ପ୍ରଯୋଜନା ସଂସ୍ଥା ‘ସୟାନୀ ଗୁପ୍ତା ମୁଭିଜ୍’ ଉନ୍ମୋଚନ କରିଥିଲେ। ସେ ଆଗକୁ ଚଳଚ୍ଚିତ୍ର ନିର୍ମାଣରେ ଅଧିକ ମନୋନିବେଶ କରିବେ ବୋଲି ଆଶା କରାଯାଉଛି।
ସୌଜନ୍ୟ ସମ୍ବାଦ




