Andhra Pradesh: ଆନ୍ଧ୍ରମୁହାଁ ସୀମାନ୍ତ ବୋରହାଲୁଆ: ସରକାରୀ ସୁବିଧା ଅପହଞ୍ଚ, ପକ୍କାରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଉନି

ରାୟଗଡ଼ା: ଓଡ଼ିଶାରେ ଘର। ସୁବିଧା ସୁଯୋଗ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ପୂରା ଗାଁ ଲୋକ। ବର୍ଷ ବର୍ଷ ଗୁହାରି ସତ୍ତ୍ବେ ପ୍ରଶାସନର ଅବହେଳା କାରଣରୁ ନିରାଶ ହୋଇଆନ୍ଧ୍ରମୁହାଁ ହୋଇଛନ୍ତି ରାୟଗଡ଼ା ବ୍ଲକ୍‌ କେରେଡ଼ା ପଞ୍ଚାୟତର ବୋରହାଲୁଆ ଗ୍ରାମବାସୀ। ଏପରିକି ଗାଁରେ ଲାଗି ରହିଥିବା ସମସ୍ୟା ଦୂର ଏବଂ ମୌଳିକ ସୁବିଧା ଟିକେ ପାଇଁ ଓଡ଼ିଶା ପ୍ରଶାସନ ବଦଳରେ ଏବେ ଆନ୍ଧ୍ର ପ୍ରଶାସନକୁ ଗୁହାରି କରିବା ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ବୋରହାଲୁଆ ଗାଁରେ ୪୬ ପରିବାର ରହୁଛନ୍ତି। ଆଜି ପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନି। ମାଟିରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ବର୍ଷାଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିବା ବେଳେ ବର୍ଷ ତମାମ ଆମ୍ବୁଲାନ୍ସ ସେବା ଭଳି ଜରୁରିକାଳୀନ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ବିଶୁଦ୍ଧ ପାନୀୟଜଳ ଲାଗି ଥିବା ସୋଲାର ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବା ବେଳେ ନଳକୂପରୁ ଗୋଳିଆ ଓ ଗନ୍ଧଯୁକ୍ତ ପାଣି ବାହାରୁଛି, ଯାହା ବ୍ୟବହାରଯୋଗ୍ୟ ନ ଥିବାରୁ ଗ୍ରାମବାସୀ ନଦୀ, ନାଳର ପାଣିକୁ ବ୍ୟବହାର କରୁଛନ୍ତି। ବ୍ଳକ୍‌ ପ୍ରଶାସନର ଅବହେଳାକୁ ନେଇ ଗ୍ରାମବାସୀ ଖପ୍ପା ଥିବା ବେଳେ ଫାଇଦା ଅପେକ୍ଷାରେ ରହିଛି ଆନ୍ଧ୍ର ପ୍ରଶାସନ।

ସରକାରୀ ସୁବିଧା ଅପହଞ୍ଚ
ପକ୍କାରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଉନି
ପାନୀୟ ଜଳ ସମସ୍ୟା ଉତ୍କଟ, ଶୁଣୁନି ପ୍ରଶାସନ

ସୀମାନ୍ତ ଗାଁ ବୋରହାଲୁଆ ସମେତ କେରେଡ଼ା ପଞ୍ଚାୟତର ଅଧିକାଂଶ ଗାଁରେ ଉନ୍ନୟନମୂଳକ କାମ ଲାଗି ଆନ୍ଧ୍ର ପ୍ରଶାସନ ତତ୍ପର। ଆନ୍ଧ୍ର ନିଜ ସୀମାନ୍ତ ଗାଁରେ ବିକାଶମୂଳକ କାର୍ଯ୍ୟ କରିବା ସମୟରେ ଓଡ଼ିଶା ସୀମାନ୍ତ ଅଞ୍ଚଳ ଗ୍ରାମବାସୀ ମୌଳିକ ସୁବିଧା ଟିକେ ପାଇଁ ଆନ୍ଧ୍ର ପ୍ରଶାସନ ପାଖରେ ଗୁହାରି କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁରୋଧକ୍ରମେ ଆନ୍ଧ୍ର ସୀମାନ୍ତ ଗାଁରେ ୧କିମି ରାସ୍ତା ନିର୍ମାଣ ଆରମ୍ଭ କରିଥିଲା। ମାଟି କାଟି ସମତଳ କରିବା ସହିତ ନିର୍ମାଣ ସରଞ୍ଜାମ ପକାଇବା ଖବର ପାଇଥିଲା ରାୟଗଡ଼ା ପ୍ରଶାସନ। ତହସିଲଦାର ଏବଂ ଅନ୍ୟ ଅଧିକାରୀ ନିର୍ମାଣସ୍ଥଳରେ ପହଞ୍ଚି ରାସ୍ତାକାମ ବନ୍ଦ କରିଥିଲେ।

କେରେଡ଼ା ପଞ୍ଚାୟତ ଅଧୀନରେ ଥିବା ଗାଙ୍ଗନାପେଟା, ମେଟୁ କେରେଡ଼ା, ଚିନ୍ନାପେଦୁମା, ସୁଲଭା, ତୁଲସୀଭାଲାସା, ବୋରହାଲୁଆ ଗାଁରେ ଆନ୍ଧ୍ରର ସମ୍ପୂର୍ଣ୍ଣ ଛାପ ଦେଖିବାକୁ ମିଳିଛି। ୧୨ଟି ୱାର୍ଡରେ ବସବାସ କରୁଥିବା ଅଧିକାଂଶ ଗ୍ରାମବାସୀ ଜୀବନଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ। ସବୁ ଗାଁରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ଏହାର ମୁକାବିଲା ଲାଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ସୋଲାର୍‌ ପ୍ରକଳ୍ପ ନିର୍ମାଣ କରାଯାଇଛି। କିନ୍ତୁ ବର୍ଷା ଦିନରେ ସୋଲାର୍‌ ପ୍ରକଳ୍ପ କାମ କରୁନଥିବାରୁ ନଳକୂଅ ସହ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଲାଗି ଗ୍ରାମବାସୀ ଦାବି କରି ଆସୁଛନ୍ତି। ହେ‌ଲେ କେବଳ ପ୍ରତିଶ୍ରୁତି ଛଡ଼ା କିଛି ସୁଫଳ ମିଳିପାରିନି। ସମସ୍ୟା ଶୁଣି ପ୍ରଶାସନ ଚୁପ ରହୁଥିବାରୁ ଆନ୍ଧ୍ରକୁ ସହଯୋଗ କରିବାକୁ କ୍ଷୋଭର ସହ କହିଛନ୍ତି କେରେଡ଼ାର ପୂର୍ବତନ ସରପଞ୍ଚ ମୀନାରାଓ ହିମିରିକା।

 

ସୌଜନ୍ୟ ସମ୍ବାଦ