Dead: ବନ୍ୟାଜଳରେ ଭାସିଯାଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
ବାତ୍ୟା ଜନିତ ପ୍ରବଳ ବର୍ଷା ଓ ବନ୍ୟାଜଳରେ ନଦୀ ପାର୍ ହେଉଥିବା ବେଳେ ଭାସିଯାଇ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ତିନି ଦିନ ପରେ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତିତିଲି ଗ୍ରାମର ପ୍ରେମାନନ୍ଦ ଗମାଙ୍ଗ।

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ): ବାତ୍ୟା ଜନିତ ପ୍ରବଳ ବର୍ଷା ଓ ବନ୍ୟାଜଳରେ ନଦୀ ପାର୍ ହେଉଥିବା ବେଳେ ଭାସିଯାଇ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହ ତିନି ଦିନ ପରେ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଗଜପତିଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ତିତିଲି ଗ୍ରାମର ପ୍ରେମାନନ୍ଦ ଗମାଙ୍ଗ (୧୯)।
ସୂଚନାନୁଯାୟୀ, ଗତ ମଙ୍ଗଳବାର ପ୍ରେମାନନ୍ଦ କୌଣସି କାମରେ ନିଜ ସମ୍ପର୍କୀୟଙ୍କ ଘର ରାୟଗଡ଼ ବ୍ଲକ୍ର ସଡ଼ା ଗ୍ରାମକୁ ଯାଇଥିଲେ। ହେଲେ ସେଠାରୁ ଘରକୁ ଫେରିବା ବାଟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ସନ୍ଦେହ କରାଯାଉଛି। ସେହିଦିନ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ।
ଅନ୍ୟପକ୍ଷରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାତାର ବର୍ଷା ଓ ପବନ ଜାରି ରହିଥିବାରୁ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଫଳରେ ପରିବାର ଲୋକେ ଅସହାୟ ହୋଇପଡ଼ିଥିଲେ। ଯୋଗାଯୋଗର ସୁବିଧା ନଥିବାରୁ ନିଖୋଜ ଘଟଣା ସମ୍ପର୍କରେ ଥାନାକୁ ଜଣାଇବା ସମ୍ଭବ ହୋଇନଥିଲା। ଶୁକ୍ରବାର ନିକଟସ୍ଥ ଅନ୍ୟ ଏକ ଗ୍ରାମ ନିକଟରେ ନଦୀରେ ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ତିତିଲି ଗ୍ରାମକୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ପ୍ରେମାନନ୍ଦଙ୍କର ବୋଲି ଚିହ୍ନଟ କରିଥିଲେ। ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ରାୟଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି। ଏନେଇ ରାୟଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ଖଣ୍ଡୁଆଳ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




