Village: ଜନଶୂନ୍ୟ ଗାଁରେ ଜନଗଣନା: ଚିନ୍ତା ବଢ଼ାଇଲା ଦାଦନଗଡ଼

ବଲାଙ୍ଗୀର/ହଳଦୀ: ସାରା ଦେଶରେ ଜନଗଣନା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଭାବେ ଗୃହ ଗଣନା ଚାଲିଛି। ଜନଗଣନାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣନାକାରୀ ଓ ପର୍ଯ୍ୟବେକ୍ଷକ ଭାବେ  ୪୮୩୩ ଜଣ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗଣନା ତଥ୍ୟକୁ ଠିକ୍‌ କରିବା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଶିକ୍ଷଣ ଶିବିର କରାଯାଇଛି। କିନ୍ତୁ, ଜନଗଣନା ବଲାଙ୍ଗୀର ଜିଲ୍ଲାରେ ସହଜ ହେବ ନାହିଁ। କାରଣ, ହଜାର ହଜାର ଦାଦନ ପରିବାର ପ୍ରତ୍ୟକ୍ଷ ଗଣନାରୁ ବାଦ୍‌ପଡ଼ିବେ। ଜିଲ୍ଲାରୁ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ବାହାର ରାଜ୍ୟ ତଥା ଜିଲ୍ଲା ବାହାରେ ଦାଦନ ଖଟୁଛନ୍ତି। ଗାଁଗୁଡ଼ିକ ପ୍ରାୟ ଜନଶୂନ୍ୟ। ପ୍ରତି ଗଳିରେ ଧାଡ଼ି ଧାଡ଼ି ଘର ଥିଲେ ମଧ୍ୟ ଲୋକଙ୍କ କୋଳାହଳ ଶୁଣିବାକୁ ମିଳୁନାହିଁ। ଗାଁଗୁଡ଼ିକ ଜନଶୂନ୍ୟ ଥିବାବେଳେ ଗଣନାକାରୀମାନେ ତଥ୍ୟ ସଂଗ୍ରହ ପାଇଁ ଘରକୁ ଘର ବୁଲୁଛନ୍ତି। ଗଣନା ସମୟରେ ସେମାନଙ୍କୁ କେବଳ ବନ୍ଦ କବାଟ ଏବଂ ସେଥିରେ ଝୁଲୁଥିବା ତାଲା ହିଁ ଦେଖିବାକୁ ମିଳୁଛି। ଏଭଳି ବିଚିତ୍ର ଚିତ୍ର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରୁ ଆସିଛି।

ମୁରିବାହାଲ ବ୍ଲକର ପତ୍ରାପାଲି ପଞ୍ଚାୟତର ଲରିପଡ଼ା, ଜାମପଡ଼ା, ଦେବାଙ୍ଗ ଏବଂ ଡଙ୍ଗରପଡ଼ା ପଞ୍ଚାୟର ଡଙ୍ଗରପଡ଼ା, ମାଲିବାହାଲ ଗାଁରେ ଆମ ପ୍ରତିନିଧି ଗାଁର ଜନଶୂନ୍ୟ ଦୃଶ୍ୟ ଓ ଗଣନାକାରୀଙ୍କ ଅସହାୟତା ଦେଖିବାକୁ ପାଇଥିଲେ। ଅଧିକାଂଶ ଘରେ ତାଲା ଝୁଲୁଛି। ଗାଁରେ କିଛି ବୃଦ୍ଧବୃଦ୍ଧାଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସକ୍ଷମ ବ୍ୟକ୍ତି ଏବଂ ସେମାନଙ୍କ ପୁଅଝିଅ ଇଟାଭାଟି କିମ୍ବା ଅନ୍ୟତ୍ର ଦାଦନ ଖଟି ଯାଇଛନ୍ତି। ପରିସଂଖ୍ୟାନ ବିଭାଗ ପାଇଁ ଏହି ତାଲା ପଡ଼ିଥିବା ଘରଗୁଡ଼ିକର ସଠିକ୍‌ ତଥ୍ୟ ପାଇବା ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ସରକାରୀ ଯୋଜନା ଓ ବିକାଶର ନାରା ଭିତରେ ଏହି ତାଲାବନ୍ଦ ଘରଗୁଡ଼ିକ ଗ୍ରାମୀଣ ଅର୍ଥନୀତିର ଏକ ପ୍ରତାରିତ ଚିତ୍ର ପ୍ରଦର୍ଶନ କରୁଛି। ଘରର ମୁରବି ଓ ସକ୍ଷମ ବ୍ୟକ୍ତି ପିଲାଛୁଆଙ୍କୁ ଧରି ବାହାରକୁ ଚାଲିଯାଇଥିବାରୁ ଗଣନାକାରୀମାନଙ୍କୁ ଠିକ୍ ସୂଚନା ମିଳିବା ଅସମ୍ଭବ ହୋଇପଡ଼ିଛି। ଘରେ ଥିବା ବୃଦ୍ଧବୃଦ୍ଧା ବାହାରେ ଦାଦନ ଖଟୁଥିବା ପରିବାର ସଦସ୍ୟଙ୍କ ନାମ କିମ୍ବା ଅନ୍ୟାନ୍ୟ ଜରୁରି ତଥ୍ୟ ଠିକ୍‌ ଭାବେ ଦେଇପାରୁ ନାହାନ୍ତି।

ଫଳରେ ଜନଗଣନା ଫର୍ମ ପୂରଣ କରିବା କାଠିକର ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଘରର ସ୍ଥିତି, ପାଣିର ଉତ୍ସ, ଆଲୋକର ଉତ୍ସ, ଶୌଚାଳୟ ବ୍ୟବସ୍ଥା, ରୋଷେଇ ଇନ୍ଧନ, ଶିକ୍ଷା ବର୍ଗ ଭଳି ପ୍ରାୟ ୩୩ଟି ପ୍ରଶ୍ନର ଉତ୍ତର ଖୋଜାଯାଉଥିବା ବେଳେ ଦାଦନଗଡ଼ରେ ଏହି ପ୍ରକ୍ରିୟାରେ ବିରାଟ ପ୍ରତିବନ୍ଧକ ସୃଷ୍ଟି ହୋଇଛି। କିଛି ଜନଗଣନାକାରୀଙ୍କ କହିବା ଅନୁସାରେ, ଘରେ ତାଲା ଝୁଲୁଥିବାରୁ ସେମାନେ ପାଖ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କଠାରୁ ଯେତିକି ତଥ୍ୟ ମିଳୁଛି, ତାକୁ ଲିପିବଦ୍ଧ କରୁଛନ୍ତି। ଅନ୍ୟ କେତେକ ସ୍ଥାନରେ କେବଳ କ୍ରମିକ ନମ୍ବର ପକାଇ ଦିଆଯାଉଛି। ଦାଦନ ଶ୍ରମିକ ନ ଫେରିଲେ ଫର୍ମରେ ‘ବନ୍ଦ ଘର’ ବୋଲି ରିପୋର୍ଟ ଦିଆଯିବ ବୋଲି ଗଣନାକାରୀମାନେ କହିଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାରେ କିଭଳି ସଠିକ୍‌ ତଥ୍ୟ ସମ୍ବଳିତ ଜନଗଣନା ହେବ, ତାହା ସ୍ପଷ୍ଟ ଅନୁମେୟ

ସୌଜନ୍ୟ ସମ୍ବାଦ