କଟକ: ଟିଟିଲାଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହି ଘଟଣାରେ ଦୁର୍ଘଟଣା ଘଟାଇଥିବା ପିକ୍-ଅପ୍ ଭ୍ୟାନ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଆଗାମୀ ଦିନରେ ମଧ୍ୟ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ତଦନ୍ତ ସମୟରେ ଜଣାପଡ଼ିଛି, ଟିଟିଲାଗଡ଼ରେ ଦୁର୍ଘଟଣା ଘଟାଇଥିବା ପିକ୍-ଅପ୍ ଭ୍ୟାନ୍ (OD-03Q-4284)ର ଫିଟନେସ ନାହିଁ । ବୀମାର ବୈଧତା ବି ନାହିଁ । ନିୟମ ଉଲ୍ଲଙ୍ଘନ ପାଇଁ ବାରମ୍ବାର ଚାଲାଣ ବି କଟିଛି। ପୁଣି ମାଲଗାଡ଼ିରେ ଯାତ୍ରୀ ପରିବହନ କରି ଦୁର୍ଘଟଣା ଘଟାଇବା ଭଳି ଘଟଣାରେ ମୋଟରଯାନ ଆଇନ ଅନୁଯାୟୀ ଉକ୍ତ ଗାଡ଼ିର ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ କରାଯିବା ସହ ଗାଡ଼ିକୁ ସ୍କ୍ରାପ୍ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଭଳି ମାଲ୍ ଗାଡ଼ିରେ ଯାତ୍ରୀ ପରିବହନ କରି ସାଧାରଣ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବା ଗାଡ଼ି ଗୁଡ଼ିକ ବିରୋଧରେ ଆଗାମୀ ଦିନରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଛି।
ଏଥିପାଇଁ ରାଜ୍ୟବ୍ୟାପୀ ସମସ୍ତ ଆରଟିଓ ସ୍ତରରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନ ଗ୍ରହଣ କରାଯିବ। ମେ ୮ ଯାଏ ଏହି ବିଶେଷ ଅଭିଯାନ ଜାରି ରହିବ। ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ, ଅତିରିକ୍ତ ପରିବହନ ଆୟୁକ୍ତ(ସଡ଼କ ସୁରକ୍ଷା) ଦୀପ୍ତିରଂଜନ ପାତ୍ର କହିଛନ୍ତି, ସଡ଼କକୁ ଗାଡ଼ି ଆସିଲେ ମୋଟର ଯାନ ନିୟମ ପାଳନ କରିବା ବାଧ୍ୟତାମୂଳକ । ମାଲବାହୀ ଗାଡ଼ି ଯାତ୍ରୀ ପରିବହନ କରିବା ବେଆଇନ । ତେଣୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଏଭଳି ନିୟମ ଉଲ୍ଲଙ୍ଘନରୁ ବିରତ ରହିବାକୁ ସେ ଅନୁରୋଧ କରିଛନ୍ତି।
ସୌଜନ୍ୟ Prameya News7

