ଆବୁ ଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସାଉଦି ଆରବ ଓ ପାକିସ୍ତାନ ମେଣ୍ଟ ବିରୋଧରେ ଲଢ଼େଇ ଘୋଷଣା କରିଛି। ୟୁଏଇ ପେଟ୍ରୋଲିୟମ୍ ରପ୍ତାନିକାରୀ ଦେଶମାନଙ୍କର ସଂଗଠନ (ଓପେକ୍) ଛାଡିବାର ନିଷ୍ପତ୍ତି ସାଉଦି ଆରବକୁ ଶକ୍ତ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ। ଅନ୍ୟପକ୍ଷରେ ୟୁଏଇ ଇରାନ ଯୁଦ୍ଧ ଦ୍ୱାରା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ କ୍ଷତିପୂରଣ କରିବାକୁ ଚାହୁଥିଲା। କିନ୍ତୁ ୟୁଏଇକୁ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶଗୁଡ଼ିକଠାରୁ ବହୁତ କମ୍ ସମର୍ଥନ ମିଳିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ବ୍ୟବହାର କରି ଏକପାଖିଆ ଭାବରେ ଯୁଦ୍ଧବିରତି ଘୋଷଣା କରି ବର୍ତ୍ତମାନ ପାଇଁ ଯୁଦ୍ଧରୁ ଓହରି ଯାଇଥିବା ପରି ମନେ ହେଉଥିବାବେଳେ ୟୁଏଇକୁ ଇରାନର ରୋଷର ସାମ୍ନା ହେବାକୁ ପଡ଼ିବ। ୟୁଏଇରେ ଇରାନର ସାମରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉ ବୋଲି ଆବୁଧାବି ଚାହୁଥିଲେ ମଧ୍ୟ ପାକିସ୍ତାନ ଆମେରିକା-ଇରାନ ମଧ୍ୟରେ ଚୁକ୍ତି ପାଇଁ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିଥିବା ଯୋଗୁଁ ଏଥିପାଇଁ ମନା କରିଥିଲା। ପାକିସ୍ତାନ ମଧ୍ୟସ୍ଥତା କରି ନିଜେ ଲାଭରେ ଥିବାବେଳେ ୟୁଏଇ କିନ୍ତୁ କ୍ଷତିଗ୍ରସ୍ତ ହୋଇଛି। ଆମେରିକା-ଇସ୍ରାଏଲର ଇରାନ ଉପରେ ଆକ୍ରମଣ ଯୋଗୁଁ ୟୁଏଇ ଉପରେ ତେହେରାନ ସର୍ବାଧିକ ଆକ୍ରମଣ କରିଥିଲା।
ନିକଟରେ ୟୁଏଇ ଦର୍ଶାଇଥିଲା ଯେ, ଇରାନ ଏହାର ଭିତ୍ତିଭୂମି ଉପରେ ବ୍ୟାପକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଥିଲା। ଆବୁ ଧାବିର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏପ୍ରିଲ ୮ ତାରିଖ ସୁଦ୍ଧା ଏହା ବାୟୁ ପ୍ରତିରକ୍ଷା ଦ୍ବାରା ୫୩୭ ବାଲିଷ୍ଟିକ କ୍ଷେପଣାସ୍ତ୍ର, ୨୬ କ୍ରୁଜ କ୍ଷେପଣାସ୍ତ୍ର ଓ ୨୨୫୬ଟି ଡ୍ରୋନ୍ ନଷ୍ଟ କରାଯାଇଛି। ଚାଥାମ ହାଉସର ଜଣେ ସହଯୋଗୀ ଫେଲୋ ନୀଲ କ୍ୱିଲିୟମ ଦି ଫାଇନାନ୍ସିଆଲ ଟାଇମ୍ସକୁ କହିଛନ୍ତି ଯେ, ପାକିସ୍ତାନର ମଧ୍ୟସ୍ଥତା ଭୂମିକା ୟୁଏଇକୁ ଅଧିକ ବିରକ୍ତି କରିଥିଲା। ଦି ଫାଇନାନ୍ସିଆଲ ଟାଇମ୍ସ ଖବରକାଗଜ ରିପୋର୍ଟ କରିଛି ଯେ, ୟୁଏଇ ଇସଲାମାବାଦକୁ ଇରାନ ବିରୋଧରେ କଠୋର ନୀତି ଗ୍ରହଣ କରିବାକୁ କହିଥିଲା। କିନ୍ତୁ ଇସଲାମାବାଦ ସେଥିରେ ରାଜି ହୋଇ ନଥିଲା। ଏଥିରେ ନିରାଶ ହୋଇ ୟୁଏଇ ପାକିସ୍ତାନକୁ ଦେଇଥିବା ୩.୫ ବିଲିଅନ୍ ଡଲାର ଋଣ ତୁରନ୍ତ ଫେରସ୍ତ ମାଗିଛି। ୨୦୨୭ ମସିହା ଶେଷ ପର୍ଯ୍ୟନ୍ତ ୟୁଏଇ ସମ୍ପୃକ୍ତ ଋଣ ଫେରସ୍ତ ମାଗିବାର ଯୋଜନାରେ ନଥିଲା। ଏହି ଋଣ ପରିମାଣ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ ଲିକ୍ୟୁଡିଟିର ଏକ-ପଞ୍ଚମାଂଶ। ଅନ୍ୟପକ୍ଷରେ ପାକିସ୍ତାନ ଓ ସାଉଦି ଆରବ ସେପ୍ଟେମ୍ବର ୨୦୨୫ ରେ ଏକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଥିଲେ, ଯାହାର ବିବରଣୀ ଏପର୍ଯ୍ୟନ୍ତ ଗୋପନ ରଖାଯାଇଛି। ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ରିୟାଦକୁ ପ୍ରତିରକ୍ଷା ପାଇଁ ଏହାର ପରମାଣୁ ଅସ୍ତ୍ର ଏବଂ କ୍ଷେପଣାସ୍ତ୍ର ଯୋଗାଇବାକୁ ଅନୁମତି ସର୍ତ୍ତ ରହିଛି।
ସୌଜନ୍ୟ ସମ୍ବାଦ

