ନବରଙ୍ଗପୁର (ସୁରେଶ ନାଇଡୁ): ଅତ୍ୟାଧୁନିକ ଯନ୍ତ୍ରାଂଶ ସଂଲଗ୍ନ ରହିଥିବା ଗାଡ଼ି ମାଧ୍ୟମରେ ସହରର ନାଳ ସଫେଇ କରାଯିବା ପାଇଁ ଆସିଥିବା ଗୋଟିଏ ଅଟୋ ସହ ଏବେ ଦୁଇ ମାସ ହେବ ଆସିଛି ୨ଟି ନୂଆ ଅଟୋ ଶେଷ ପୁଲ ଗାଡ଼ି। ଏହି ତିନି ଲକ୍ଷାଧିକ ଟଙ୍କାର ଗାଡ଼ି ଅବ୍ୟବହୃତ ହୋଇ ଏବେ ପୌରପାଳିକା ପରିସରରେ ଖତ ଖାଉଛି। ଦୂରଦୃଷ୍ଟି ଅଭାବରୁ ଦୁଇ ବର୍ଷ ତଳେ ଆସିଥିବା ନାଳ ସଫେଇ ମେସିନ୍ ସେଭଳି ପଡି ରହିଥିବା ବେଳେ ଏବେ ଦୁଇ ମାସ ହେବ ଅବ୍ୟବହୃତ ହୋଇ ପଡିଥିବା ଶେଷପୂଲର ଭାଗ୍ୟ ବି ସେଭଳି ହେବ ନାହିଁତ ବୋଲି ସଂଦେହ ପ୍ରକାଶ ପାଇଛି।
ନାଳ ସଫେଇ ପାଇଁ ଆସିଥିବା ମେସିନଟି ଥରେ ଅଧେ ବ୍ୟବହାର ପରେ ସେଭଳି ପଡ଼ି ରହିଛି। ଏହାରି ମଧ୍ୟରେ ଗତ ଦୁଇ ମାସ ହେବ ଏଠାକୁ ପହଚିଂଛି ୨ଟି ନୂଆ ଆଟୋ ଶେଷପୁଲ (୫୦୦ଲିଟର)। ଚକିତ କରିବା କଥା ଏହା ଯେ ୨୦୨୪ମସିହାରେ ତତ୍କାଳୀନ ସାନିଟେସନ୍ ଏକ୍ସପାର୍ଟ ଏହି ୨ଟି ଅଟୋ ଶେଷ ପୁଲ କିଣିବା ପାଇଁ ଅର୍ଡର କରିଥିଲେ। ୨ବର୍ଷ ପରେ ଏବେ ଏହା ଆସିଛି ବୋଲି କହିଛନ୍ତି ସାନିଟେସନ୍ ଏକ୍ସପାର୍ଟ ଶୁଭସ୍ମିତା ଧଳ ଓ ପୌରନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ। ୨ବର୍ଷ ବିଳମ୍ବରେ ଆସିଛି। ଏହାର ବ୍ୟବହାର ଆରମ୍ଭ ହୋଇନି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।
ସେହିପରି ନାଳ ସଫେଇ ପାଇଁ ଥିବା ଅଟୋ ମେସିନ୍ ସମ୍ପର୍କରେ ସେ ଜାଣି ନଥିବା କିମ୍ବା ସେ ଫାଇଲ୍ ତାଙ୍କ ନିକଟରେ ନାହିଁ ବୋଲି କହିଛନ୍ତି ସେନିଟେସନ୍ ଏକ୍ସପାର୍ଟ। ସେ ଏଠାରେ ଯୋଗ ଦେବା ପର ଠାରୁ ସେ କେବେ ଏହି ନାଳ ସଫେଇ ମେସିନ ଆସିଥାଇ ପାରେ ବୋଲି କହିଛନ୍ତି। ଏତେ ଛୋଟ ଶେଷ ପୋଲ କାହିଁକି ସରକାର ପଠାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାଉନସିଲର ଏ.ସତୀଶ ଓ ଆଇ.ମୁରଲୀକ୍ରୀଷ୍ଣା। ବାରମ୍ବାର ଶୌଚାଳୟର ମଇଳା ଉଠାଇବାକୁ ପଡ଼ିବ ତେଣୁ ଅଯଥାରେ ପଇସା ଖର୍ଚ୍ଚ କରିବା ବଦଳରେ ବଡ ଶେଷ ପୋଲ ଗାଡିକୁ ଡାକିବେ ନାହିଁ ବୋଲି କହିଛନ୍ତି ଉଭୟ କାଉନସିଲର। ଗତ ୨ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ନାଳ ସଫେଇ ମେସିନ୍ ଆସିଥିଲା। ଥରେ ଦୁଇଥର ବ୍ୟବହାର କରାଯାଇଥିଲା।
ତେବେ ଯେଉଁ ଗତିରେ ଏଥିରେ ମଇଳା ସଫା କରିହେଉଛି ଏହାକୁ ବ୍ୟବହାର କରିବା ବଦଳରେ ଲୋକେ କାମ କରିଲେ ଶୀଘ୍ର ହେଉଛି ବୋଲି ଉଭୟ କାଉନସିଲର କହିଛନ୍ତି। ତୃଣମୂଳସ୍ତରର ଆବଶ୍ୟକତାକୁ ନ ଦେଖି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନଇଛା ଏଭଳି ଯନ୍ତ୍ରାଂଶ କିଣି ପଠାଇବାରେ ଦୁର୍ନିତୀର ଗନ୍ଦ ବାରି ହେଉଛି ବୋଲି ଉଭୟ କାଉନସିଲର ଅଭିଯୋଗ କରିଛନ୍ତି। ନାଳ ସଫେଇ ଯନ୍ତ୍ର ପରି ଏହି ସାନ ଶେଷପୂଲ ବି ସେଭଳି ପୌରପାଳିକା ମଧ୍ୟରେ ରହି ରହି ଖତ ଖାଇବ ଏବଂ ସରକାରୀ ଅର୍ଥ ଅଯଥାରେ ଶ୍ରାଦ୍ଧ ହେବ ବୋଲି ଉଭୟ କାଉନସିଲର କହିଛନ୍ତି।
ସୌଜନ୍ୟ ସମ୍ବାଦ