ୱାସିଂଟନ: ନ୍ୟୁୟର୍କ ସହରର ମେୟର ଜୋହରାନ କ୍ବାମେ ମାମଦାନି ପୁଣିଥରେ ତାଙ୍କ ବୟାନ ପାଇଁ ଖବରର ଶିରୋନାମାରେ ଅଛନ୍ତି। ଏଥର ସେ ବ୍ରିଟେନର ରାଜା ଚାର୍ଲ୍ସଙ୍କୁ ନେଇ କୋହିନୂର ହୀରା ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ,ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ଭାରତର କୋହିନୂର ହୀରା ଫେରାଇବା ପାଇଁ ରାଜା ଚାର୍ଲ୍ସଙ୍କୁ ଅପିଲ୍ କରିବେ। ମାମଦାନିଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଚାର୍ଲ୍ସ ଆମେରିକା ଗସ୍ତରେ ଅଛନ୍ତି ଏବଂ ୯/୧୧ ଆକ୍ରମଣର ପୀଡିତଙ୍କ ସ୍ମୃତିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ମାମଦାନି ଏହା ମଧ୍ୟ କହିଛନ୍ତି ଯେ, ସେ କୌଣସି ରାଜକୀୟ ଔପଚାରିକତା ବିନା ସିଧାସଳଖ ଏହି ପ୍ରସଙ୍ଗ ଉଠାଇବେ। କୋହିନୂର ହୀରା କେବଳ ଏକ ମୂଲ୍ୟବାନ ମଣି ନୁହେଁ ବରଂ ଉପନିବେଶବାଦ ଐତିହ୍ୟର ପ୍ରତୀକ ଭାବରେ ବିବେଚିତ ହୋଇଥାଏ। ତାଙ୍କର ବୟାନ ଉପନିବେଶବାଦ ଏବଂ ସାଂସ୍କୃତିକ ଐତିହ୍ୟ ବିଷୟରେ ଚାଲିଥିବା ବିତର୍କକୁ ପୁନର୍ବାର ଜାଗ୍ରତ କରିଛି।
ରାଜା ଚାର୍ଲ୍ସଙ୍କ ନ୍ୟୁୟର୍କ ଗସ୍ତ ସମୟରେ ଏକ ବିବୃତି ହଠାତ୍ କୂଟନୈତିକ ପରିବେଶକୁ ଚର୍ଚ୍ଚାକୁ ଆଣିଛି। ମେୟର ମାମଦାନି କହିଛନ୍ତି ଯେ, ଯଦି ତାଙ୍କୁ ସୁଯୋଗ ମିଳେ,ତେବେ ସେ ନିଶ୍ଚିତ ଭାବରେ କୋହିନୂର ହୀରା ଭାରତକୁ ଫେରାଇବା ବିଷୟରେ କଥା ହେବେ। ଗଣମାଧ୍ୟମ ଅନୁଯାୟୀ, ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସେ ରାଜା ଚାର୍ଲ୍ସଙ୍କୁ କ’ଣ କହିବେ ସେତେବେଳେ ମାମଦାନି ଏହି ବିବୃତି ଦେଇଥିଲେ। ସେ ବିନା ଦ୍ୱିଧାରେ ଉତ୍ତର ଦେଇଥିଲେ, ଯଦି ମୁଁ ତାଙ୍କ ସହ ଅଲଗା କଥା ହୁଏ, ତେବେ ମୁଁ ତାଙ୍କୁ କୋହିନୂର ହୀରା ଫେରାଇବା ପାଇଁ କହିବି। ଏହି ବିବୃତି ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନାର ବିଷୟ ପାଲଟିଛି। ରାଜା ଚାର୍ଲ୍ସ ଏବଂ ରାଣୀ କାମିଲାଙ୍କ ଏହି ଗସ୍ତ ମୁଖ୍ୟତଃ ୯/୧୧ ଆକ୍ରମଣର ୨୫ତମ ବାର୍ଷିକୀ ସହ ଜଡିତ କାର୍ଯ୍ୟକ୍ରମ ପାଇଁ। ମାମଦାନି ୱାନ୍ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ସ୍ମାରକୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କେବଳ ପୀଡିତମାନଙ୍କୁ ସମ୍ମାନ ଜଣାଇବା। ତେବେ ତାଙ୍କର ବିବୃତି ଏହି ଗସ୍ତକୁ ଏକ ନୂତନ ରାଜନୈତିକ ମୋଡ଼ ଦେଇଛି।
ସୂଚନାଯୋଗ୍ୟ,ଜୋହରାନ କ୍ୱାମେ ମାମଦାନି ୧୮ ଅକ୍ଟୋବର ୧୯୯୧ରେ ଉଗାଣ୍ଡାର କାମ୍ପାଲାରେ ଜନ୍ମଗ୍ରହଣ କରିଥିଲେ । ସେ ଶିକ୍ଷାବିତ୍ ମହମୁଦ ମାମଦାନି ଏବଂ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ଏକମାତ୍ର ସନ୍ତାନ । ଘାନାର ପ୍ରଥମ ରାଷ୍ଟ୍ରପତି କ୍ୱାମେ ନକ୍ରୁମାହଙ୍କ ସମ୍ମାନାର୍ଥେ ତାଙ୍କ ପିତା ତାଙ୍କୁ ତାଙ୍କର ମଧ୍ୟମ ନାମ କ୍ୱାମେ ଦେଇଥିଲେ । ତାଙ୍କ ପିତାମାତା ଉଭୟ ଭାରତୀୟ ବଂଶୋଦ୍ଭବ । ତାଙ୍କ ପିତା ଜଣେ ଗୁଜରାଟୀ ମୁସଲମାନ। ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ଉଗାଣ୍ଡାରେ ପ୍ରତିପାଳିତ ହୋଇଥିଲେ। ତାଙ୍କ ମାତା ଜଣେ ପଞ୍ଜାବୀ ହିନ୍ଦୁ। ସେ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ଭୁବନେଶ୍ୱରରେ ପ୍ରତିପାଳିତ ହୋଇଥିଲେ।
ସୌଜନ୍ୟ ସମ୍ବାଦ

