Indian Rupee: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ

ମୁମ୍ବାଇ: ମୁଦ୍ରା ବିନିମୟ ବଜାରରେ ଶକ୍ତିଶାଳୀ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ବୁଧବାର ଡଲାରର ବିନିମୟ ମୂଲ୍ୟ ୯୪ ଟଙ୍କା ୮୪ ପଇସାରେ ବନ୍ଦ ହୋଇଛି। ଟଙ୍କା ମୂଲ୍ୟକୁ ସୁଧାର ପଥରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନେଇଥିବା ପଦକ୍ଷେପର ପ୍ରଭାବ କମ୍‌ ହେବାରେ ଲାଗିଛି। ସେଥିପାଇଁ ତାହା ପୁଣି ଥରେ ଦୁର୍ବଳ ହେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡଲାର ବିକ୍ରି କରୁଛନ୍ତି। ବ୍ରେଣ୍ଟ୍‌ କ୍ରୁଡ୍‌ର ଦାମ୍‌ ବ୍ୟାରେଲ୍‌ ପିଛା ୩ ପ୍ରତିଶତ ବୃଦ୍ଧି ପାଇ ୧୧୫ ଟଙ୍କା ହୋଇଛି। ତେଲ କିଣିବାକୁ ଆମଦାନିକାରୀମାନେ ବିପୁଳ ପରିମାଣର ଡଲାର କିଣୁଛନ୍ତି। ସେଥିପାଇଁ ତାହାର ବିନିମୟ ମୂଲ୍ୟ ବଢ଼ିବାରେ ଲାଗିଛି। କେବଳ ଭାରତର ଟଙ୍କା ନୁହେଁ, ଫିଲିପାଇନ୍ସର ପେସୋ ଓ ଇଣ୍ଡୋନେସିଆର ରୁପେୟା ମୂଲ୍ୟ ମଧ୍ୟ ରେକର୍ଡ ନିମ୍ନ ସ୍ତରକୁ ଖସିଆସିଛି।

ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଡଲାର ବିକ୍ରି କରିଥାଏ ଏବଂ ନିୟାମକ ସ୍ତରରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଥାଏ। ଗୋଟିଏ ପଟେ ଭାରତୀୟ ଇକ୍ବିଟି ବଜାରରୁ ବିଦେଶୀ ନିବେଶକମାନେ ବିପୁଳ ପାଣ୍ଠି ପ୍ରତ୍ୟାହାର କରୁଥିବା ବେଳେ ଅନ୍ୟପଟେ ଆମଦାନିକାରୀମାନେ ବିପୁଳ ଡଲାର କିଣୁଛନ୍ତି। ସେଥିପାଇଁ ତାହାର ଚାହିଦା ବଢ଼ିଛି। ରିଜର୍ଭ ବ୍ୟାଙ୍କ ନିଜେ ଡଲାର ବିକୁଥିବାରୁ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ମଧ୍ୟ ଚାପ ରହିଛି। ବର୍ତ୍ତମାନ ସମସ୍ତଙ୍କ ନଜର ଆ‌ମେରିକାର ଫେଡେରାଲ୍‌ ରିଜର୍ଭ ସୁଧକୁ ନେଇ ନେବାକୁ ଥିବା ନିଷ୍ପତ୍ତି ଉପରେ ରହିଛି। ସେହି ନିଷ୍ପତ୍ତି ବଜାର ସ୍ଥିତିକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ