Suvendu Adhikari vs Mamata Banerjee: ଶୁଭେନ୍ଦୁ ଅଧିକାରୀ ବନାମ ମମତା ବାନାର୍ଜୀ : ଗୁରୁଙ୍କୁ ପଛରେ ପକାଇଲେ ଶିଷ୍ୟ

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ପଛରେ ପକାଇ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି। ଏହାସହିତ ପୁଣିଥରେ ଚର୍ଚ୍ଚା ଜୋର ଧରିଛି ଯେ ଗୁରୁଙ୍କୁ ପଛରେ ପକାଇଲେ ଶିଷ୍ୟ। ବିଜେପି ୧୯୮ ଆସନରେ ଆଗୁଆ ଥିବାବେଳେ ଟିଏମ୍ସି ୮୮ ଆସନରେ ଆଗୁଆ ରହିଛି। ମମତା ବାନାର୍ଜୀଙ୍କ ଏକଦା ସବୁଠାରୁ ବିଶ୍ୱସ୍ତ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି। ଶୁଭେନ୍ଦୁ ତାଙ୍କ ରାଜନୈତିକ ଗୁରୁ ମମତାଙ୍କୁ ପୁଣି ଥରେ ପରାସ୍ତ କରିବାକୁ ଯାଉଛନ୍ତି। ଶୁଭେନ୍ଦୁ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ମମତାଙ୍କୁ ପରାସ୍ତ କରିଥିଲେ। କିନ୍ତୁ ଏକଦା ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିଅର ଗଠନରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଥିଲେ ମମତା।
– ଏକଦା ଟିଏମ୍ସିରେ ଥିଲେ ଦ୍ବିତୀୟ କ୍ଷମତା କେନ୍ଦ୍ର
– ବାପା ଥିଲେ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ
ତେବେ ଭାରତୀୟ ରାଜନୀତିରେ ନେତା ଏବଂ ସେମାନଙ୍କ ବିଶ୍ବସ୍ତଙ୍କ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ଉଦ୍ଧବ ଠାକରେଙ୍କ ସହିତ ଏକନାଥ ସିନ୍ଦେଙ୍କ ବିଚ୍ଛେଦ ଠାରୁ ଆରମ୍ଭ କରି ଶରଦ ପାୱାରଙ୍କ ବିରୋଧରେ ଅଜିତ ପାୱାରଙ୍କ ବିଦ୍ରୋହ ଏସବୁର ପ୍ରମାଣ ମଧ୍ୟ ପୂର୍ବରୁ ରହିଛି।
କଂଗ୍ରେସଠାରୁ ଅଲଗା ହୋଇ ତୃଣମୂଳ କଂଗ୍ରେସ ଗଠନ କରିବା ପରେ ମମତା ତାଙ୍କର ନୂଆ ରାଜନୈତିକ ପରିଚୟ ସୃଷ୍ଟି କରିଥିଲେ। ଏହି ସମୟରେ ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରୁ ଆସିଥିବା ଶୁଭେନ୍ଦୁ ମମତାଙ୍କର ଖାସ୍ ହୋଇଯାଇଥିଲେ। ଶୁଭେନ୍ଦୁଙ୍କ ପିତା ଶିଶିର ଅଧିକାରୀ Congress ର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ଥିଲେ। ପୂର୍ବ ମେଦିନୀପୁରର ଅଧିକାରୀ ପରିବାର ଦୀର୍ଘ ଦିନ ହେଲା ପ୍ରଭାବ ରହିଥିଲା। ଶୁଭେନ୍ଦୁ କଂଗ୍ରେସରୁ ପ୍ରଥମେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ପ୍ରଥମେ କଂଗ୍ରେସରୁ କାନ୍ଥିର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ। ସେ ୧୯୯୮ ମସିହାରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୦୬ ମସିହାରେ କାନ୍ଥି ଦକ୍ଷିଣରୁ ଏକ ବିଧାନସଭା ଆସନ ଜିତି ଦଳ ମଧ୍ୟରେ ଧୀରେ ଧୀରେ ନିଜର ପରିଚୟ ସୃଷ୍ଟି କରିଥିଲେ।
ଶୁଭେନ୍ଦୁଙ୍କ ରାଜନୈତିକ ଉତ୍ଥାନ ୨୦୦୭ ର ନନ୍ଦିଗ୍ରାମ ଆନ୍ଦୋଳନ ସହିତ ଘନିଷ୍ଠ ଭାବରେ ଜଡିତ। ସିଙ୍ଗୁରରେ ପ୍ରତିବାଦ ସହିତ ୨୦୧୧ ନନ୍ଦିଗ୍ରାମ ଆନ୍ଦୋଳନ ଯୋଗୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବାମପନ୍ଥୀଙ୍କ ୩୪ ବର୍ଷର ଶାସନ ସମାପ୍ତ କରିବାରେ ସାହାଯ୍ୟ କରିଥିଲା। ଶୁଭେନ୍ଦୁ ଅଧିକାରୀ ବାନାର୍ଜୀଙ୍କ ସବୁଠାରୁ ପ୍ରଭାବଶାଳୀ କ୍ଷେତ୍ର କମାଣ୍ଡର ଭାବରେ ଉଭା ହୋଇଥିଲେ। ଆନ୍ଦୋଳନକୁ ରାଜନୈତିକ ପୁଞ୍ଜିରେ ପରିଣତ କରିପାରିବାର କ୍ଷମତା ଶୁଭେନ୍ଦୁଙ୍କଠାରେ ଥିବା ମମତା ଜାଣିପାରିଥିଲେ।
ତୃଣମୂଳର କ୍ଷମତା ବୃଦ୍ଧି
ତୃଣମୂଳର କ୍ଷମତା ବୃଦ୍ଧି ସହିତ ଦଳ ଭିତରେ ଅଧିକାରୀଙ୍କର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସେ ୨୦୦୯ ଏବଂ ୨୦୧୪ ରେ ତାମଲୁକ ଲୋକସଭା ଆସନ ଜିତିଥିଲେ। କିନ୍ତୁ ପରେ ତାଙ୍କୁ ରାଜ୍ୟ ରାଜନୀତିକୁ ଫେରାଇ ଅଣାଯାଇଥିଲା, ଯେଉଁଠାରେ ତାଙ୍କୁ ପରିବହନ ବିଭାଗ ସମେତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରିପଦ ଦିଆଯାଇଥିଲା। ଦଳ ଭିତରେ ଶୁଭେନ୍ଦୁଙ୍କୁ ମମତା ବାନାର୍ଜୀଙ୍କ ପରେ ଦ୍ୱିତୀୟ ଶକ୍ତିଶାଳୀ ନେତା ଭାବରେ ଦେଖାଯାଉଥିଲା। ତେବେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ଦଳରେ ବଢ଼ିବା ସହିତ ଶୁଭେନ୍ଦୁ ଅଶ୍ବସ୍ତି ଅନୁଭବ କରିଥିଲେ। ନଭେମ୍ବର ୨୦୨୦ ସୁଦ୍ଧା ଏହି ଫାଟ ସାର୍ବଜନୀନ ହୋଇଯାଇଥିଲା। ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ତୃଣମୂଳ କଂଗ୍ରେସ ଛାଡି ଡିସେମ୍ବର ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ନନ୍ଦିଗ୍ରାମରୁ ମମତାଙ୍କ ବିରୋଧରେ ଛିଡ଼ା ହୋଇଥିଲେ ଓ ଜିତିଥିଲେ। ବିଜେପି ମୋଟ ୭୭ ଆସନ ପାଇଥିଲା। ଟିଏମ୍ସି ୨୧୫ ଆସନ ପାଇ ସରକାର ଗଠନ କରିଥିଲା। ମମତାଙ୍କୁ ପରାସ୍ତ କରିବା ପରେ ଶୁଭେନ୍ଦୁଙ୍କ ରାଜନୈତିକ ବ୍ୟକ୍ତିତ୍ବ ଅଧିକ ସୁଦୃଢ଼ ହୋଇଥିଲା।
ସୌଜନ୍ୟ ସମ୍ବାଦ




