West Bengal:: ଝାଲମୁଢ଼ି ପ୍ରଭାବ: ତୃଣମୂଳର ଗଡ଼ ଝାଡ଼ଗ୍ରାମ ଏବେ ବିଜେପି ଦଖଲରେ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାଲମୁଢ଼ି (ରାଗ-ମସଲାଯୁକ୍ତ ମୁଢ଼ି) ଖିଆକୁ ନେଇ ରାଜନୀତି ସରଗରମ ହୋଇଥିଲା। ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ଏହାକୁ ନାଟକବାଜି ବୋଲି କହିଥିଲେ। କିନ୍ତୁ ସେହି ଝାଲମୁଢ଼ି ଶେଷରେ ପ୍ରଭାବ ଦେଖାଇଛି। ସେହି ଅଞ୍ଚଳ ଝାଡ଼ଗ୍ରାମକୁ ବିଜେପି ଦଖଲ କରିନେଇଛି, ଯାହା ଏକଦା ତୃଣମୂଳର ଗଡ଼ ଥିଲା।
ପରବର୍ତ୍ତୀ ଏକ ରାଲିରେ ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଝାଲମୁଢ଼ି ଖାଇଥିଲି, କିନ୍ତୁ ଝାଲ (ରାଗ) ତୃଣମୂଳକୁ ଲାଗିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଝାଲମୁଢ଼ି ଖାଇଥିବା ଝାଡ଼ଗ୍ରାମ ଜିଲ୍ଲାର ଚାରୋଟି ବିଧାନସଭା ଆସନକୁ ବିଜେପି ସୁଇପ୍ କରିବାକୁ ଯାଉଛି। ରାଜ୍ୟରେ ମଧ୍ୟ ବିଜେପି ପ୍ରଥମ ସରକାର ଗଠନ କରିବାକୁ ଯାଉଛି। ସେହି ଝାଲମୁଢ଼ି ଏବେ ବିଜେପିକୁ ସୁଆଦିଆ ଓ ତୃଣମୂଳ ପାଇଁ ରାଗୁଆ ହୋଇଯାଇଛି।
ବିଜୟୀ ହେଲେ ଝାଲମୁଢ଼ି ଖାଇଲେ
ବଙ୍ଗଳାର ଝାଡ଼ଗ୍ରାମ ଜିଲ୍ଲାର ଚାରୋଟି ବିଧାନସଭା ଆସନ ନୟାଗ୍ରାମ, ଗୋପୀବଲ୍ଲଭପୁର, ଝାଡ଼ଗ୍ରାମ ଓ ବିନପୁରରେ ବିଜେପି ଆଗୁଆ ରହିଛି। ଝାଡ଼ଗ୍ରାମ ରାଜ୍ୟର ଜଙ୍ଗଲମହଲ ଅଞ୍ଚଳର ଏକ ଅଂଶ, ଯାହା ବଙ୍ଗଳାର ସର୍ବନିମ୍ନ ବିକଶିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଅନୁସୂଚିତ ଜାତି ଓ ଜନଜାତି ସମୁଦାୟ ଜନସଂଖ୍ୟାର ପ୍ରାୟ ୪୯ ପ୍ରତିଶତ ଅଟନ୍ତି, ଯାହା ସେମାନଙ୍କୁ ଏକ ନିର୍ଣ୍ଣାୟକ ନିର୍ବାଚନୀ ଗୋଷ୍ଠୀରେ ପରିଣତ କରିଛି। ସେମାନେ ଏଥର ବିଜେପିକୁ ଦୃଢ ସମର୍ଥନ କରିଥିବା ଜଣାପଡିଛି।
ଏପ୍ରିଲରେ ଝାଡ଼ଗ୍ରାମରେ ଏକ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜଳଖିଆ ଖାଇବା ପାଇଁ ଅଟକିବା ପରେ ଝାଲମୁଢ଼ି ଲୋକଙ୍କ ଆଗ୍ରହ ସୃଷ୍ଟି କରିଥିଲା। ଏପରିକି ସେ ମୁଢ଼ି ବିକ୍ରେତାଙ୍କୁ ୧୦ ଟଙ୍କା ମଧ୍ୟ ଦେଇଥିଲେ। ଟିଏମ୍ସି ଏହାକୁ ଏକ ‘ଡ୍ରାମା’ ବୋଲି କହିଥିଲା। ତେବେ, ବର୍ତ୍ତମାନ ଲାଗୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାଲମୁଢ଼ି ବ୍ରେକ୍ ଝାଡ଼ଗ୍ରାମରେ ତୃଣମୂଳର ମୂଳ ଉପାଡ଼ି ଦେଇଛି ଏବଂ ମମତାଙ୍କ କ୍ରମାଗତ ବିଜୟ ଅଭିଯାନରେ ବ୍ରେକ୍ ଲଗାଇଛି। ମୋଦୀ ସ୍ଥାନୀୟ ଅଞ୍ଚଳର ବିଶେଷକରି ଗରିବମାନଙ୍କର ଜଳଖିଆ ଖାଇବା ପରେ ସେହି ଲୋକଙ୍କ ପାଖରେ ଲୋକପ୍ରିୟ ହୋଇଯାଇଥିଲେ, ଯାହା ଭୋଟ୍ରେ ପରିଣତ ହୋଇଥିଲା।
ତୃଣମୂଳର ‘ବହିରାଗତ’ ବନାମ ‘ଭୂମିପୁତ୍ର’ ବିତର୍କକୁ ପ୍ରତିହତ କରିବା ପାଇଁ ଏହା ମଧ୍ୟ ଏକ ପଦକ୍ଷେପ ଥିଲା। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ମେ ୪ ତାରିଖରେ ବିଜେପିର ବିଜୟ ଉତ୍ସବ ବଙ୍ଗଳାରେ ଅନୁଷ୍ଠିତ ହେବ, ମିଠା ମଧ୍ୟ ବଣ୍ଟନ କରାଯିବ ଏବଂ ଝାଲମୁଢ଼ି ମଧ୍ୟ ବଣ୍ଟନ କରାଯିବ। ବର୍ତ୍ତମାନ ପଶ୍ଚିମବଙ୍ଗରେ ସର୍ବତ୍ର ଝାଲମୁଢ଼ି ଖାଇ ବିଜେପି କର୍ମୀମାନେ ଖୁସି ମନାଉଥିବା ଦେଖିବାକୁ ମିଳୁଛି।
ସୌଜନ୍ୟ ସମ୍ବାଦ




