West Bengal Elections: ପଶ୍ଚିମବଙ୍ଗ ବିଧାନସଭା ଭୋଟ୍ ଓ ଏସ୍ଆଇଆର୍ ପ୍ରଭାବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା ଏସ୍ଆଇଆର୍। ନିର୍ବାଚନର ଠିକ୍ କିଛି ମାସ ପୂର୍ବରୁ ପଶ୍ଚିମବଙ୍ଗରେ ୯୦ ଲକ୍ଷରୁ ଅଧିକ ଭୋଟର ତାଲିକାରୁ ସେମାନଙ୍କ ନାଁ କଟିଥିବା ଜାଣିଥିଲେ। ଟିଏମ୍ସି ଅଭିଯୋଗ କରିଥିଲା ଯେ, ଏସ୍ଆଇଆର୍ ପ୍ରକ୍ରିୟାରେ ଦଳର ଭୋଟରଙ୍କୁ ଜାଣିଶୁଣି କାଟି ଦିଆଯାଇଛି। ଏସ୍ଆଇଆର୍କୁ ନେଇ ପଶ୍ଚିମବଙ୍ଗରେ ବଡ଼ ଧରଣର ବିବାଦ ହୋଇଛି। ତେବେ ଏହି ଏସ୍ଆଇଆର୍ ପ୍ରକ୍ରିୟା ନିର୍ବାଚନ ଫଳକୁ କିଭଳି ପ୍ରଭାବିତ କରିଛି ତା’ ଉପରେ ନଜର ପକାଇବା।
୨୫ ହଜାରରୁ ଅଧିକ ଭୋଟରଙ୍କ ନାଁ କଟିଥିବା ପଶ୍ଚିମବଙ୍ଗର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ପରେ ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ, ଏହି ଆସନଗୁଡ଼ିକରୁ ଅଧିକାଂଶ ଆସନ ବିଜେପିକୁ ଯାଇଛି। ବିଜେପି ୧୪୭ ଆସନରୁ ୯୫ଟିରେ ଜିତିଥିବାବେଳେ ଟିଏମ୍ସି ପାଖାପାଖି ୫୧ ଆସନରେ ଜିତିଛି ଏବଂ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଜିତିଛି। ଅନ୍ୟ ୬୭ ଆସନରେ ୧୫ ହଜାରରୁ ୨୫ ହଜାର ଭୋଟର କଟିଥିବାବେଳେ ଏଠାରେ ବିଜେପି ୪୭ ଆସନରେ ଜିତିଛି, ଟିଏମ୍ସି ୧୯ ଓ କଂଗ୍ରେସ ଗୋଟିଏ ଆସନରେ ଜିତିଛି। ସେହିପରି ୬୨ ଆସନ, ଯେଉଁଠାରେ ୫ ହଜାରରୁ ୧୫ ହଜାର ଭୋଟରଙ୍କୁ କଟାଯାଇଛି, ସେଠାରେ ବିଜେପି ୫୦ ଆସନରେ ଜିତିଥିବାବେଳେ ବାକି ଆସନ ଟିଏମ୍ସି ପାଖକୁ ଯାଇଛି। ୫ ହଜାରରୁ କମ୍ ଭୋଟର କଟିଥିବା ୧୩ ଆସନରେ କେବଳ ବିଜେପି ଜିତିଛି।
ମୁର୍ଶିଦାବାଦ ଜିଲ୍ଲାରେ ୪.୫୫ ଲକ୍ଷ ଭୋଟର କଟିଥିବାବେଳେ ଉତ୍ତର ୨୪ ପ୍ରଗଣାରେ ୩,୨୫,୬୬୬ ଓ ମାଲଦାରେ ୨,୩୯,୩୭୫ ଭୋଟର ଏସ୍ଆଇଆର୍ ପ୍ରକ୍ରିୟାରେ କଟିଥିଲେ। ୨୦୨୧ରେ ଟିଏମ୍ସି ମୁର୍ଶିଦାବାଦରେ ୨୨ ଆସନରୁ ୨୦ଟିରେ ଜିତିଥିବାବେଳେ ଚଳିତ ଥର ଏହା ୯କୁ ଖସିଯାଇଛି। ଉତ୍ତର ୨୪ ପ୍ରଗଣାରେ ମଧ୍ୟ ଏହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ୩୩ ଆସନରୁ ଟିଏମ୍ସି ୨୦୨୧ରେ ୨୮ ଆସନରେ ଜିତିଥିବାବେଳେ ଚଳିତଥର ଏହାର ସଂଖ୍ୟା ୮କୁ ଖସିଯାଇଛି। ମାଲଦାରେ ୧୨ ଆସନରୁ ଟିଏମ୍ସି ୨୦୨୧ରେ ୮ଟି ଆସନରେ ଜିତିଥିଲା। କିନ୍ତୁ ଚଳିତଥର ଏହାର ସଂଖ୍ୟା ୬କୁ କମିଯାଇଛି। ବାକି ଆସନରେ ବିଜେପି ଜିତିଛି।
ଡିସେମ୍ବର ଚିଠା ତାଲିକାରେ ୫୮.୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ କଟିଛି
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନ କମିସନଙ୍କ ଦ୍ବାରା ପରିଚାଳନା କରାଯାଇଥିବା ଏସ୍ଆଇଆର୍ ପ୍ରକ୍ରିୟା ଏକ ବିବାଦୀୟ ପ୍ରସଙ୍ଗ ଥିଲା। ଏହି ପ୍ରକ୍ରିୟାରେ ରାଜ୍ୟର ରେକର୍ଡ ୯୧ ଲକ୍ଷ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଗତ ନଭେମ୍ବରରେ ଏସ୍ଆଇଆର୍ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି ହେବା ପୂର୍ବରୁ ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା ୭.୬୬ କୋଟି ଥିଲା। ଡିସେମ୍ବରରେ ଜାରି କରାଯାଇଥିବା ଚିଠା ତାଲିକାରେ ଦର୍ଶାଯାଇଥିଲା ଯେ, ୫୮.୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ କଟିଛି। ତେବେ ଫେବ୍ରୁଆରି ୨୮ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସମୟରେ ୬୩.୬୬ ଲକ୍ଷ ଭୋଟରଙ୍କ ନାଁ ତାଲିକାରୁ କଟିଥିଲା। ମୋଟ୍ ୬୦.୦୬ ଲକ୍ଷରୁ ଅଧିକ ମାମଲାକୁ ଗତ ଫେବ୍ରୁଆରିରେ ନ୍ୟାୟିକ ବିଚାର ପାଇଁ ପଠାଯାଇଥିଲା। ଏଥି ମଧ୍ୟରୁ ୨୭,୧୬,୩୯୩ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବାପରେ ମୋଟ୍ କଟିଥିବା ଭୋଟରଙ୍କ ସଂଖ୍ୟା ୯୦,୮୩,୩୪୫ରେ ପହଞ୍ଚିଛି।
ସୌଜନ୍ୟ ସମ୍ବାଦ




