Biocon: ବାୟୋକନରେ କ୍ଲେୟାର ହେବେ କିରଣ ମଜୁମଦାରଙ୍କ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ବାୟୋଫାର୍ମା କମ୍ପାନି ବାୟୋକନ୍‌ର ପ୍ରତିଷ୍ଠାତା କିରଣ ମଜୁମଦାର ସଙ୍କ ଉତ୍ତରାଧିକାରୀ ତାଙ୍କର ୩୭ ବର୍ଷୀୟା ଝିଆରୀ କ୍ଲେୟାର ମଜୁମଦାର ହେବେ। କ୍ଲେୟାର ଜଣେ ବାୟୋଟେକ୍‌ ବିଶେଷଜ୍ଞ ମଧ୍ୟ। ବିକାରା ଥେରାପ୍ୟୁଟିକ୍ସ ନାମକ ଏକ କମ୍ପାନିର ମଧ୍ୟ ସେ ପ୍ରତିଷ୍ଠାତା ଏବଂ ବର୍ତ୍ତମାନ ସେ ସେହି କମ୍ପାନିର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଫଚ୍ୟୁନ୍‌ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କିରଣ କହିଛନ୍ତି ଯେ କମ୍ପାନିର ବିକାଶ ପାଇଁ କ୍ଲେୟାର ହେଉଛନ୍ତି ସବୁଠୁ ଉପଯୁକ୍ତ ବ୍ୟକ୍ତି।

କିରଣଙ୍କର କୌଣସି ସନ୍ତାନ ନାହାନ୍ତି। ତେଣୁ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ କମ୍ପାନିର ଦାୟିତ୍ବ ଦେବାକୁ ସେ ଚାହାନ୍ତି। କିରଣ କହିଛନ୍ତି କ୍ଲେୟାରଙ୍କୁ ଚୟନ କରିବାର କାରଣ ହେଲା ସେ ଏଥିପାଇଁ ନିଜକୁ ଯୋଗ୍ୟ କରିଛନ୍ତି। କ୍ଲେୟାର ମଧ୍ୟ ତାଙ୍କ ବାୟୋଟେକ୍‌ କମ୍ପାନିକୁ ବହୁତ ଭଲଭାବେ ଚଳାଉଛନ୍ତି। କର୍କଟ ରୋଗ ଉପରେ ସେ ଗବେଷଣା ମଧ୍ୟ କରୁଛନ୍ତି।

ମାସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏମ୍‌ଆଇଟି)ରୁ ବିଏସ୍‌ସି, ଷ୍ଟାନଫର୍ଡ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନରୁ ପିଏଚ୍‌ଡି ଏବଂ ଷ୍ଟାନଫର୍ଡ ୟୁନିଭର୍ସିଟି ଅଫ୍‌ ଗ୍ରାଜୁଏଟ ସ୍କୁଲ ଅଫ ବିଜନେସ୍‌ରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ସେ ଥୋମାସ ରବର୍ଟଙ୍କୁ ବିବାହ କରିଛନ୍ତି ଯିଏ କି ମାସାଚୁସେଟ୍‌ସ ଜେନେରାଲ ହସ୍ପିଟାଲରେ ଜଣେ କର୍କଟ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, କିରଣ ମଜୁମଦାର ସ ୧୯୫୩ ମସିହା ମାର୍ଚ୍ଚ ୨୩ରେ ବେଙ୍ଗାଲୁରୁରେ ଜନ୍ମ ହୋଇଥିଲେ। ୧୯୭୮ ମସିହାରେ ସେ ତାଙ୍କ କମ୍ପାନି ବାୟୋକନର ଆରମ୍ଭ ଏକ ଗ୍ୟାରେଜରୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି କମ୍ପାନିର ବଜାରପୁଞ୍ଜି ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ। ଜନ ସଙ୍କୁ କିରଣ ବିବାହ କରିଥିଲେ। ‌ତେବେ ୨୦୨୨ ମସିହାରେ ଜନଙ୍କର ପରଲୋକ ହୋଇଥିଲା।

 

 

 

ସୌଜନ୍ୟ ସମ୍ବାଦ