Vehicle Sale: ରାଜ୍ୟରେ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଲା: ଏପ୍ରିଲ୍‌ରେ ୮୮,୨୨୧ଟି ଗାଡ଼ି ବିକ୍ରି

ଭୁବନେଶ୍ବର: ଚଳିତବର୍ଷ ଏପ୍ରିଲ ମାସରେ ଓଡ଼ିଶାରେ ମୋଟ ୮୮,୨୨୧ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଏପ୍ରିଲରେ ହୋଇଥିବା ୭୦,୮୦୭ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୪.୮୯ ପ୍ରତିଶତ ଅଧିକ। ଫେଡେରେସନ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍‌ (ଏଫ୍‌ଏଡିଏ) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଛି। ଦେଶରେ ଏପ୍ରିଲ ମାସରେ ମୋଟ ୨୬,୧୧,୩୧୭ଟି ଗାଡ଼ି ବିକ୍ରି ହୋଇଛି, ଯାହାକି ୨୦୨୪ ଏପ୍ରିଲର ବିକ୍ରି ତୁଳନାରେ ୧୨.୯୪ ପ୍ରତିଶତ ଅଧିକ। ଜାତୀୟ ସ୍ତର ତୁଳନାରେ ଓଡ଼ିଶାରେ ଗାଡ଼ି ବିକ୍ରି ବୃଦ୍ଧି ପ୍ରାୟ ଦୁଇଗୁଣା ରହିଛି। ସୂଚନା ଅନୁଯାୟୀ, ଚଳିତ ଆର୍ଥିକବର୍ଷର ପ୍ରଥମ ମାସରେ ଓଡ଼ିଶାରେ ମୋଟ ୭୨,୩୪୭ଟି ଦୁଇ ଚକିଆ ଯାନ ବିକ୍ରି ହୋଇଛି, ଯାହାକି ପୂର୍ବ ଆର୍ଥିକବର୍ଷର ଏପ୍ରିଲରେ ୫୭,୪୮୯ ୟୁନିଟରେ ରହିଥିଲା।

ଅର୍ଥାତ୍‌ ଏପ୍ରିଲ ମାସରେ ଓଡ଼ିଶାରେ ଦୁଇ ଚକିଆ ଯାନ ବିକ୍ରିରେ  ୨୫.୮୪ ପ୍ରତିଶତ ବୃଦ୍ଧି ଘଟିଛି। ୩ ଚକିଆ ଯାନ ବିକ୍ରିରେ ସର୍ବାଧିକ ୩୮.୭୨ ପ୍ରତିଶତର ବୃଦ୍ଧି ଦେଖାଯାଇଛି। ୨୦୨୫ ଏପ୍ରିଲରେ ରାଜ୍ୟରେ ୧୯୦୬ଟି ୩ ଚକିଆ ବିକ୍ରି ହୋଇଥିବାବେଳେ ଚଳିତବର୍ଷ ଏପ୍ରିଲରେ ଏହା ୨୬୪୪ରେ ପହଞ୍ଚିଛି। ଏତଦ୍‌ବ୍ୟତୀତ ଏପ୍ରିଲରେ ବାଣିଜ୍ୟିକ ଯାନ ବିକ୍ରି ୧୨.୧୮ ପ୍ରତିଶତ ବୃଦ୍ଧି ଘଟି ୩୦୯୫ ୟୁନିଟରେ ପହଞ୍ଚିଛି। ଆଲୋଚ୍ୟ ମାସରେ ନିର୍ମାଣ ଉପକରଣ ବିକ୍ରିରେ ୩.୫୯ ପ୍ରତିଶତ ବୃଦ୍ଧି ଘଟି ୪୬୨ରେ ପହଞ୍ଚିଛି। ଯାତ୍ରୀବାହୀ ଯାନ ବିକ୍ରିରେ ୨୦.୭୦ ପ୍ରତିଶତ ଏବଂ ଟ୍ରାକ୍ଟର ବିକ୍ରିରେ ୨.୨୯ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତବର୍ଷ ଏପ୍ରିଲରେ ଏହି ଦୁଇବର୍ଗର ଯାନ ବିକ୍ରି ସଂଖ୍ୟା ଯଥାକ୍ରମେ ୮୩୭୯ ଏବଂ ୧୨୯୪ ୟୁନିଟରେ ରହିଛି। ଓଡ଼ିଶାରେ ଏପ୍ରିଲ ମାସରେ ସବୁବର୍ଗର ଗାଡ଼ି ବିକ୍ରିରେ ବୃଦ୍ଧି ଘଟିଛି। ଦେଶର ବିକ୍ରିକୁ ଦେଖିଲେ ଜଣାଯାଏ ଯେ ଏପ୍ରିଲ ମାସରେ ନିର୍ମାଣ ଉପକରଣ ବାଦ୍‌ ଅନ୍ୟସବୁ ଗାଡ଼ି ବର୍ଗରେ ବିକ୍ରି ବଢ଼ିଛି। ୩ ଚକିଆ ଯାନର ବିକ୍ରି ୭.୧୯ ପ୍ରତିଶତ ବୃଦ୍ଧି ଘଟି ୧,୦୬,୯୦୮ ୟୁନିଟ, ବାଣିଜ୍ୟିକ ଯାନର ବିକ୍ରି ୧୫.୦୨ ପ୍ରତିଶତ ବୃଦ୍ଧି ଘଟି ୯୯,୩୩୯ ୟୁନିଟ୍‌ ରହିଛି।

 

 

ସୌଜନ୍ୟ ସମ୍ବାଦ