West Bengal Politics: ପଶ୍ଚିମବଙ୍ଗର ରକ୍ତରଞ୍ଜିତ ରାଜନୀତି: ମା’କୁ ଖୁଆଇଥିଲେ ମୃତ ଦୁଇପୁଅଙ୍କ ରକ୍ତଭିଜା ଭା

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷଣା ହୋଇ ସାରିଥିବାବେଳେ ନିର୍ବାଚନୀ ହିଂସା ଥମିବାର ନାମ ନେଉନାହିଁ। ମେ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିବାବେଳେ ଗତ ତିନି ଦିନରେ ୫ ଜଣଙ୍କୁ ହତ୍ୟା କରାଗଲାଣି। ପଶ୍ଚିମବଙ୍ଗରେ ରାଜନୈତିକ ହିଂସା କେବଳ ଚଳିତ ନିର୍ବାଚନର ଘଟଣା ନୁହେଁ, ଏହାର ଇତିହାସ ଖୁବ୍‌ ରକ୍ତରଞ୍ଜିତ।

ପଶ୍ଚିମବଙ୍ଗରେ ଏପରି ମଧ୍ୟ ଘଟିଥିଲା ଯେ, ଅନ୍ୟ ବିଚାରଧାରା ଯୋଗୁ ଦୁର୍ବୃତ୍ତମାନେ ଜଣେ ମା’ ସମ୍ମୁଖରେ ତାଙ୍କର ଦୁଇ ପୁଅକୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ସେମାନଙ୍କ କ୍ରୁରତା ଓ ପାଶବିକତା ଏତିକିରେ ଥମି ନଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ସେହି ମହିଳାଙ୍କୁ ତାଙ୍କ ପୁଅମାନଙ୍କ ରକ୍ତରେ ଭାତ ମିଶାଇ ଜୋରଜବରଦସ୍ତ ଖୁଆଇଥିଲେ। ଚନ୍ଦ୍ରନାଥ ରଥଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ୧୯୭୦ ମସିହା ମାର୍ଚ୍ଚ ୧୭ ତାରିଖର ‘ସେନ୍‌ବାଡ଼ି ଘଟଣା’ କୁ ନେଇ ପୁଣି ଥରେ ଚର୍ଚ୍ଚା ଚାଲିଛି। ସେ ଦିନ ଯାହା ଘଟିଥିଲା ତାହା ଯେକୌଣସି ସଭ୍ୟ ସମାଜକୁ ଦୋହଲାଇ ଦେବ।

୨୦୨୧ ମସିହାରେ ବରିଷ୍ଠ ସାମ୍ବାଦିକ ଅତ୍ରି ମିତ୍ରଙ୍କ ପକ୍ଷରୁ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ରେ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ସେ ଦିନ ବର୍ଦ୍ଧମାନ ସହରର ପ୍ରତାପେଶ୍ବର ଶିବତଲା ଲେନ୍‌ର ସେନବାଡ଼ିରେ ସବୁକିଛି ଅନ୍ୟ ଦିନ ପରି ସାଧାରଣ ଥିଲା। ସେ ଦିନ ଏକ ନବଜାତ ଶିଶୁର ନାମକରଣ ସଂସ୍କାର କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ପାଇଁ ସେନ୍‌ବାଡ଼ିକୁ ବନ୍ଧୁବାନ୍ଧବ ମଧ୍ୟ ଆସିଥିଲେ। ଏହି ଘଟଣାର ଦିନକ ପୂର୍ବରୁ ରାଜ୍ୟରେ ୟୁନାଇଟେଡ ଫ୍ରଣ୍ଟ ସରକାର ଭାଙ୍ଗି ଯାଇଥିଲା। ଏହାର ସଦସ୍ୟ ଦଳ ସିପିଏମ୍‌ ହଡ଼ତାଳ କରୁଥିଲା। ହଡ଼ତାଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା। ୧୭ ମାର୍ଚ୍ଚ ସକାଳେ ସିପିଏମ୍‌ର ଏକ ବିଶାଳ ରାଲି ଶିବତଲା ଲେନ୍‌ରେ ପଶିଥିଲା।

‘ସେନ୍‌ବାଡ଼ି ଘଟଣା’ କୁ ନେଇ ପୁଣି ଚର୍ଚ୍ଚା

ପ୍ରଦର୍ଶନୀକାରୀ ସେନ୍‌ ପରିବାର ଘରେ ଜୋରଜବରଦସ୍ତ ପଶି ଯାଇଥିଲା। ସେନ୍‌ ପରିବାରକୁ କଂଗ୍ରେସ ସମର୍ଥକ ଭାବେ ଗ୍ରହଣ କରାଯାଉଥିଲା। ପ୍ରଦର୍ଶନକାରୀ ସେନ୍‌ ପରିବାର ଘରକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ପରିବାରର ଦୁଇ ପୁଅ ମଳୟ ଓ ପ୍ରଣବଙ୍କ ସହିତ ଘରୋଇ ଶିକ୍ଷକ ଜିତେନ୍ଦ୍ରନାଥ ରାୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦୁଇ ଭାଇଙ୍କୁ ମାରିବା ପରେ ଆକ୍ରମଣକାରୀ ସେମାନଙ୍କ ମା’ ମୃଗନୟନୀ ଦେବୀଙ୍କୁ ତାଙ୍କ ପୁଅର ରକ୍ତରେ ଭିଜି ଥିବା ଭାତ ଖୁଆଇଥିଲେ। ଘରର ସବୁଠୁ ବଡ଼ ପୁଅ ନବ ସେନ୍‌ଙ୍କୁ ବର୍ଷକ ପରେ ହତ୍ୟା କରାଯାଇଥିଲା ଓ ତାଙ୍କ ଆଖି ମଧ୍ୟ ତାଡ଼ି ନିଆଯାଇଥିଲା। ଏହି ହତ୍ୟାକାଣ୍ଡର ସାକ୍ଷୀ ସ୍ବର୍ଣ୍ଣଲତା ଯଶ ୨୦୧୩ରେ ଟାଇମ୍ସ ଅଫ ଇଣ୍ଡିଆକୁ କହିଥିଲେ ଯେ, ଏତଲାରେ ନିରୁପମ ସେନ୍‌ ଓ ବିନୟ କୋନାରଙ୍କ ପରି ବରିଷ୍ଠ ସିପିଏମ୍‌ ନେତାଙ୍କ ସମତେ ୮୩ ଜଣଙ୍କ ନାମ ରହିଥିଲା। କିନ୍ତୁ ୧୯୭୮ ମସିହାରେ କୋର୍ଟ ସମସ୍ତ ୮୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲେ। ତେବେ ସିପିଏମ୍‌ କହିଥିଲା ଯେ, ସେନ୍‌ ଭାତ୍ରା ଅପରାଧୀ ଥିଲେ ଓ ସେମାନଙ୍କ ରାଲି ଉପରେ ପ୍ରଥମେ ଆକ୍ରମଣ କରିଥି‌ଲେ।

 

 

 

ସୌଜନ୍ୟ ସମ୍ବାଦ