ମୁମ୍ବାଇ: ଷ୍ଟକ୍ ବଜାରରେ ବୁଧବାର ଉତ୍ସାହଜନକ କାରବାର ହୋଇଥିଲା। ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୯୪୧ ପଏଣ୍ଟ୍ ବୃଦ୍ଧି ପାଇ ୭୭,୯୫୯ ପଏଣ୍ଟ୍ରେ ବନ୍ଦ ହୋଇଥିଲା। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୯୮ ପଏଣ୍ଟ୍ ବୃଦ୍ଧି ପାଇ ୨୪,୩୩୧ ପଏଣ୍ଟ୍ରେ ବନ୍ଦ ହୋଇଥିଲା। ସେନ୍ସେକ୍ସର ଅଂଶ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୧ଟି କମ୍ପାନିର ସେୟାର ମୂଲ୍ୟ ବଢ଼ିଥିଲା ଓ ୯ଟିର ହ୍ରାସ ପାଇଥିଲା।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାର ତଳକୁ ଖସିଆସିଛି। ଫଳରେ ତେଲ ଆମଦାନି ଉପରେ ନିର୍ଭରଶୀଳ ଥିବା ଭାରତ ପାଇଁ ତାହା ଏକ ଶୁଭ ଖବର ବୋଲି ନିବେଶକମାନେ ବିଚାର କରୁଛନ୍ତି। ଏହା ବ୍ୟତୀତ ବିଶ୍ବର ବିଭିନ୍ନ ପ୍ରମୁଖ ଦେଶର ଷ୍ଟକ୍ ବଜାରଗୁଡ଼ିକରେ ହୋଇଥିବା ଭଲ କାରବାରର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଥିଲା। ଆମେରିକାର ଏସ୍ଆଣ୍ଡ୍ପି ୫୦୦, ନାସ୍ଦାକ୍ ରେକର୍ଡ ଉଚ୍ଚ ସ୍ତରରେ ବନ୍ଦ ହୋଇଥିଲା। ଏସିଆରେ ଦକ୍ଷିଣ କୋରିଆର କୋପ୍ସି, ଜାପାନର ନିକେଇ ଓ ହଂକଂର ହାଙ୍ଗସେଙ୍ଗ ମଧ୍ୟ ବୃଦ୍ଧି ସହ ବନ୍ଦ ହୋଇଥିଲା। ନିଫ୍ଟିରେ ଇଣ୍ଡିଗୋ, ଟିଏମ୍ପିଭି ଓ ଶ୍ରୀରାମ ଫାଇନାନ୍ସର ସେୟାର ମୂଲ୍ୟ ବଢ଼ିଥିଲା। ସେହି ସମୟରେ ଓଏନ୍ଜିସି, ରିଲାଏନ୍ସ ଓ ପାୱାରଗ୍ରିଡ୍ର ସେୟାର ମୂଲ୍ୟ ହ୍ରାସ ପାଇଥିଲା।
ସୌଜନ୍ୟ ସମ୍ବାଦ

