Satellite Internet: ଉପଗ୍ରହ ଯୋଗାଯୋଗ ବ୍ୟବସାୟ ଆରମ୍ଭ କରିବେ ମୁକେଶ ଅମ୍ବାନୀ

ମୁମ୍ବାଇ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କୁ ଭାରତର ପ୍ରମୁଖ ଧନୀ ମୁକେଶ ଅମ୍ବାନୀ ଟକ୍କର ଦେବାକୁ ଯାଉଛନ୍ତି। ମସ୍କଙ୍କ ଉପଗ୍ରହଭିତ୍ତିକ ଯୋଗାଯୋଗ ସଂସ୍ଥା ଷ୍ଟାରଲିଙ୍କ ସହ ସେ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ମନ ସ୍ଥିର କରିଛନ୍ତି। ସେ ଖୁବ୍‌ଶୀଘ୍ର କକ୍ଷପଥ ତଳ ଉପଗ୍ରହ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବେ। ଏଥି ସହିତ ସେ ସିଧାସଳଖ ଏହି କ୍ଷେତ୍ରରେ ମସ୍କଙ୍କ ଷ୍ଟାରଲିଙ୍କ ଓ ଆମାଜନର ପ୍ରୋଜେକ୍ଟ କୁଇପର ସହ ପ୍ରତିଦ୍ବନ୍ଦ୍ବିତା କରିବେ।

ମୁକେଶଙ୍କ ଏହି ନୂଆ ବ୍ୟବସାୟ ତାଙ୍କ ଡିଜିଟାଲ ସଂସ୍ଥା ଜିଓ ପ୍ଲାଟଫର୍ମସ୍‌ ଅଧୀନରେ ପରିଚାଳିତ ହେବ। ଏହି ସଂସ୍ଥା ତାଙ୍କ ଟେଲିକମ୍‌ କମ୍ପାନି ଜିଓ ଓ ଅନ୍ୟାନ୍ୟ ଡିଜିଟାଲ ବ୍ୟବସାୟର ଦେଖାଶୁଣା କରୁଛି। କେନ୍ଦ୍ର ସରକାର ମଧ୍ୟ ଉପଗ୍ରହ ଯୋଗାଯୋଗ କ୍ଷେତ୍ରରେ ଦେଶର କ୍ଷମତା ବଢ଼ାଇବାକୁ ଚାହୁଛନ୍ତି। ସେହି ଯୋଜନା ସହ ସମନ୍ବୟ ରକ୍ଷା କରି ମୁକେଶ ଆଗକୁ ବଢ଼ୁଛନ୍ତି। କାରଣ ଏହି କ୍ଷେତ୍ରରେ ବିଦେଶୀ ସଂସ୍ଥା ଉପରେ ଦେଶର ସମ୍ପୂର୍ଣ୍ଣ ନିର୍ଭରଶୀଳ ରହୁ ବୋଲି ସରକାର ଚାହୁନାହାନ୍ତି। ସେଥିପାଇଁ ସେମାନଙ୍କର ସ୍ବଦେଶୀ ପ୍ରତିଦ୍ବନ୍ଦ୍ବୀ ଗଠନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଉପଗ୍ରହଭିତ୍ତିକ ଯୋଗାଯୋଗ କ୍ଷେତ୍ରରେ ଭାରତୀ ଗ୍ରୁପ୍‌ର ଅଂଶଧନ ଥିବା ସଂସ୍ଥା ଇୟୁଟେଲସାଟ୍‌ ୱାନ୍‌ୱେବ୍‌ ଓ ଏଏସ୍‌ଟି ସ୍ପେସ୍‌ ମୋବାଇଲ୍‌ ଓ ସାଟେଲିଅଟ୍‌ ରହିଛନ୍ତି। କକ୍ଷପଥ ତଳ ଉପଗ୍ରହ ପାଇଁ ପୂର୍ବରୁ ଏସ୍‌ଇଏସ୍‌ ନାମକ ଏକ ସଂସ୍ଥା ସହ ରିଲାଏନ୍ସ ଜିଓ ବୁଝାମଣା କରିଥିଲା। ତେବେ ନୂଆ ବ୍ୟବସାୟକୁ ନେଇ ବର୍ତ୍ତମାନ କେବଳ ଆଲୋଚନା କରାଯାଉଛି। ପୁଞ୍ଜିନିବେଶ ଓ ପ୍ରତିବଦ୍ଧତା ସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ। ଏହି ବ୍ୟବସାୟରେ ପ୍ରବେଶ କରିବାକୁ ହେଲେ ରିଲାଏନ୍ସକୁ ଛଅଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଗଠନ କରିବାକୁ ପଡ଼ିବ। ତାହା ହେଉଛି ଉପଗ୍ରହ ବିକାଶ, ଉତ୍‌କ୍ଷେପଣ ବ୍ୟବସ୍ଥା, ପେଲୋଡ୍‌ ଓ ବ୍ୟବହାର ଉପକରଣ। କୁହାଯାଉଛି ଯେ ଏହି ପ୍ରକଳ୍ପକୁ ନେଇ ମୁକେଶ ବେଶ ଉତ୍ସାହିତ ଅଛନ୍ତି। ସବୁ କିଛିର ସେ ନିଜେ ଦେଖାଶୁଣା କରୁଛନ୍ତି।

ତେବେ ଏହି କ୍ଷେତ୍ର ବିଶ୍ବବ୍ୟାପୀ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବାରେ ଲାଗିଛି। ଦୁଇ ଲକ୍ଷରୁ ଅଧିକ କକ୍ଷପଥ ତଳ ଉପଗ୍ରହ ଉତ୍‌କ୍ଷେପଣ କରିବାକୁ ଅନ୍ତର୍ଜାତୀୟ ଟେଲିଯୋଗାଯୋଗ ସଂଘ (ଆଇଟିୟୁ)ଠାରୁ ଚୀନ ଅନୁମତି ମାଗିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହି କ୍ଷେତ୍ରରେ ନିବେଶ ବଢ଼ାଇଛନ୍ତି। ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଏନେଇ ଟେଲିକମ୍‌ ବିଭାଗ ସହ ଆଲୋଚନା କରାଯାଇଛି। କକ୍ଷପଥରେ ସ୍ଥାନ ସୁରକ୍ଷିତ କରିବା ନିମନ୍ତେ ଆଇଟିୟୁ ସହ ଆଲୋଚନା କରିବାକୁ ଟେଲିକମ୍‌ ବିଭାଗକୁ ରିଲାଏନ୍ସ ନିବେଦନ କରିଛି। ଏହି ପ୍ରକଳ୍ପ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସଭାପତି ପି କେ ଭଟ୍ଟନାଗର, ଜିଓ ପ୍ଲାଟଫର୍ମସ୍‌ର ସିଇଓ ମାଥ୍ୟୁ ଓମେନ୍‌ ଓ ବରିଷ୍ଠ ଉପସଭାପତି ଆୟୁଷ ଭଟ୍ଟନାଗର ମଧ୍ୟ ‌ଯୋଡ଼ିହୋଇଛନ୍ତି। ଉପଗ୍ରହ ବିକାଶ କରୁଥିବା ସଂସ୍ଥାକୁ ଅଧିଗ୍ରହଣ କରିବା ବିକଳ୍ପକୁ ମଧ୍ୟ ରିଲାଏନ୍ସ ଖୋଲା ରଖିଛି।

 

 

 

 

ସୌଜନ୍ୟ ସମ୍ବାଦ