ଦେଶ ବିଦେଶ

TV presenter: ଶତାୟୁ ଟିଭି ଉପସ୍ଥାପକ

ଏହି ମାସ ୮ ତାରିଖରେ ବିବିସିର ପ୍ରସିଦ୍ଧ ଉପସ୍ଥାପକ ସାର୍‌ ଡେଭିଡ୍‌ ଆଟେନ୍‌ବରୋ ଶହେ ବର୍ଷରେ ପଦାର୍ପଣ କରିଛନ୍ତି। କେବଳ କାର୍ଯ୍ୟକ୍ରମ ଉପସ୍ଥାପକ ଭାବେ ନୁହେଁ, ଜଣେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଭାବରେ ମଧ୍ୟ ତାଙ୍କର ସାରା ପୃଥିବୀରେ ଖ୍ୟାତି ରହିଛି। ସେହିପରି ପ୍ରାଚୀନ ସାମଗ୍ରୀର ସଂରକ୍ଷଣ ଦିଗରେ ବି ତାଙ୍କର ଭୂମିକା ଉଲ୍ଲେଖନୀୟ। ବିବିସି ପକ୍ଷରୁ କୁହାଯାଇଛି ଯେ, ଆଟେନ୍‌ବରୋ ସମୁଦାୟ ୭୨ ବର୍ଷ ୨୪୩ ଦିନ ଏହି ସଂସ୍ଥାର ‘ସିକ୍ରେଟ୍‌ ଗାର୍ଡେନ୍‌’ କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି, ଯାହାର ଶେଷ ଏପିସୋଡ୍‌ ଚଳିତ ମାସ ୩ ତାରିଖରେ ପ୍ରସାରିତ ହୋଇଛି। ଏତେ ବର୍ଷ କାଳ ଗୋଟିଏ କାର୍ଯ୍ୟକ୍ରମ ଉପସ୍ଥାପନା କରିବାର ଏହା ଏକ ବିରଳ ରେକର୍ଡ ଓ ସେ ଜଣେ ଜୀବନ୍ତ କିଂବଦନ୍ତି ବୋଲି ମଧ୍ୟ ବିବିସି କହିଛି।

୨୮ ବର୍ଷ ବୟସରେ ଆଟେନ୍‌ବରୋ ‘ଆନିମଲ୍ ଡିସଗାଇଜେସ୍ (ୟୁକେ)’ ନାମକ ଏକ କାର୍ଯ୍ୟକ୍ରମରେ ଟିଭି ପରଦା ଉପରକୁ ଆସିଥିଲେ, ଯାହା ଜୀବ ଜଗତ ଉପରେ କେନ୍ଦ୍ରିତ ଥିଲା। ୨ ସେପ୍‌ଟେମ୍ବର ୧୯୫୩ରେ ବିବିସି ଚିଲ୍‌ଡ୍ରେନ୍‌ସ୍‌ ଟେଲିଭିଜନ୍‌ରେ ଏହା ପ୍ରସାରିତ ହୋଇଥିଲା। ସେହିପରି ‘ଆନିମଲ୍ ପ୍ୟାଟର୍ଣ୍ଣସ୍’ ନାମକ ଅନ୍ୟ ଏକ ଧାରାବାହିକର ସେ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଆକର୍ଷଣୀୟ ବର୍ଣ୍ଣନାଶୈଳୀ ଯୋଗୁଁ ସେ ବିଶ୍ବର ବିଭିନ୍ନ ପ୍ରାନ୍ତର ଅଧିବାସୀମାନଙ୍କ ନିକଟତର ହୋଇଥିଲେ। କୁହାଯାଏ, ସେ ଏକମାତ୍ର ବ୍ୟକ୍ତି, ଯିଏ କଳା ଧଳା, ରଙ୍ଗିନ, ଏଚ୍‌ଡି ଓ ଥ୍ରିଡି ଫର୍ମାଟ୍‌ରେ ନିର୍ମିତ ଟେଲିଭିଜନ୍‌ ଧାରାବାହିକ ପାଇଁ ପ୍ରସିଦ୍ଧ ବାଫ୍‌ଟା ପୁରସ୍କାର ପାଇଛନ୍ତି। ସେହିପରି ଡେଟାଇମ୍ ଏମି ପୁରସ୍କାର ଜିତିବାରେ ସେ ହେଉଛନ୍ତି ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି।

 

 

 

ସୌଜନ୍ୟ Prameya News7

Show More
Back to top button