ଦେଶ ବିଦେଶ

Tamil Nadu: ମୁଖ୍ୟମନ୍ତ୍ରୀ ହେବା ପରେ ମେଣ୍ଟ ସହଯୋଗୀ-ବିରୋଧୀଙ୍କୁ ବଡ଼ ବାର୍ତ୍ତା ଦେଲେ ବିଜୟ

ଚେନ୍ନାଇ: ତାମିଲନାଡୁରେ ଚାରି ଦିନର ରାଜନୈତିକ ଉତ୍ଥାନ ଏବଂ ସସପେନ୍ସ ପରେ, ‘ଥାଲାପତି’ ଚନ୍ଦ୍ରଶେଖର ଜୋସେଫ ବିଜୟ ଶେଷରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏକ ବ୍ଲକବଷ୍ଟର ଫିଲ୍ମ ଭଳି ରାଜନୈତିକ ଅସ୍ଥିରତା ପରେ କ୍ଷମତାକୁ ଆସି ବିଜୟ ତାଙ୍କର ପ୍ରଥମ ଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, ତାମିଲନାଡୁରେ କେବଳ ଗୋଟିଏ କ୍ଷମତା କେନ୍ଦ୍ର ରହିବ, ଏବଂ ଏହା ହେଉଛି ସେ ନିଜେ। ଏହି ବକ୍ତବ୍ୟକୁ ମେଣ୍ଟ ଅଂଶୀଦାର ଏବଂ ରାଜନୈତିକ ବିରୋଧୀ ଉଭୟଙ୍କ ପାଇଁ ଏକ ବଡ଼ ବାର୍ତ୍ତା ଭାବରେ ଦେଖାଯାଉଛି।

ବିଜୟ ନିଜ ଭାଷଣରେ ନିଜକୁ ‘ଥାମ୍ବି’ଅର୍ଥାତ୍ ଛୋଟ ଭାଇ ଭାବେ ଉଲ୍ଲେଖ କରି କହିଛନ୍ତି ଯେ, ତାଙ୍କ ସରକାର କୌଣସି ମେଣ୍ଟ ସହଯୋଗୀଙ୍କ ଚାପରେ ପଡ଼ିବ ନାହିଁ। ସେ ତାଙ୍କ ବିରୋଧୀମାନଙ୍କୁ ଏକ ଚେତାବନୀ ମଧ୍ୟ ଦେଇ କହିଛନ୍ତି,ମୁଁ ନିଜେ କିଛି ଭୁଲ୍ କରିବି ନାହିଁ, କିମ୍ବା କାହାକୁ ମୋ ସହିତ କିଛି ଖରାପ କରିବାକୁ ଦେବି ନାହିଁ। ଯଦି କାହାର ମନ୍ଦ ଉଦ୍ଦେଶ୍ୟ ଥାଏ, ତେବେ ସେମାନେ ତୁରନ୍ତ ଦଳ ଛାଡି ଚାଲିଯିବା ଉଚିତ। ମୁଖ୍ୟମନ୍ତ୍ରୀ ବିଜୟ ମଞ୍ଚରୁ ସରକାର ଗଠନକୁ ସମର୍ଥନ କରିଥିବା ସମସ୍ତ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ସେ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କର ‘ଭାଇ’ ବୋଲି କହିଛନ୍ତି।

ବିଜୟ କହିଛନ୍ତି ଯେ, ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ମୋ ଭାଇ ରାହୁଲ ଗାନ୍ଧୀ, କେସି ଭେଣୁଗୋପାଳ, ସେଲଭାପେରୁମଥାଗାଇ ଏବଂ ପ୍ରବୀଣ ଚକ୍ରବର୍ତ୍ତୀଙ୍କ ପ୍ରତି କୃତଜ୍ଞ। ସେ ସିପିଆଇ(ଏମ୍) ନେତା ପି. ଶାନମୁଗମ ଏବଂ ସୁ ଭେଙ୍କଟେସନ, ଭିସିକେ ନେତା ଥୋଲ ତିରୁମାଭାଲଭାନ, ରବିକୁମାର ଏବଂ ଭାନିୟାରାସୁ ଏବଂ ସିପିଆଇ ନେତା ଏମ୍. ବୀରାପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବା ସହ ଟିଭିକେ କର୍ମୀଙ୍କୁ ମଧ୍ୟ ବିଶେଷ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ଭାଷଣରେ ବିଜୟ ନିଜକୁ ଜଣେ ସାଧାରଣ ମଣିଷ ଭାବରେ ବର୍ଣ୍ଣନା କରି କହିଛନ୍ତି, ‘ ମୁଁ ଦେବଦୂତ ନୁହେଁ, ମୁଁ ଜଣେ ସାଧାରଣ ମଣିଷ। ମୁଁ ଏପରି ପ୍ରତିଶ୍ରୁତି ଦେବି ନାହିଁ ଯାହାକୁ ମୁଁ ପୂରଣ କରିପାରିବି ନାହିଁ। କିନ୍ତୁ ଏବେ ମୁଁ ବିଶ୍ୱାସ କରୁଛି ଯେ ଆପଣ ସମସ୍ତଙ୍କ ସହିତ ମିଶି ଆମେ କିଛି କରିପାରିବୁ। ମୋତେ କିଛି ସମୟ ଦିଅନ୍ତୁ, ଏବଂ ମୁଁ ଧୀରେ ଧୀରେ ମୋର ସମସ୍ତ ପ୍ରତିଶ୍ରୁତି ପୂରଣ କରିବି। ମୁଁ ଜନସାଧାରଣଙ୍କ ଟଙ୍କାରୁ ଗୋଟିଏ ଟଙ୍କାରେ ମଧ୍ୟ ହାତ ଲଗାଇବି ନାହିଁ।’

 

 

 

ସୌଜନ୍ୟ ସମ୍ବାଦ

Show More
Back to top button