Dead Body On Bicycle: ନ୍ୟାୟ ଦାବିରେ ଶବକୁ ସାଇକେଲରେ ବୋହି ଥାନାକୁ ନେଲେ ପରିବାର ଲୋକ

ଖଇରା: ରବିବାର ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ସୀମା ବିବାଦକୁ କେନ୍ଦ୍ର ପଡ଼ୋଶୀଙ୍କ କୋଦାଳ ଓ ଶାବଳମାଡ଼ରେ କମଳା ସେଠୀ(୩୯)ଙ୍କ ମୃତ୍ୟୁ ହୋଇଥିବାବେଳେ କମଳାଙ୍କ ଭାଉଜ ଶଙ୍କୁନ୍ତଳା ସେଠୀ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ତେବେ ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।  ଏନେଇ ଆଜି କମଳାଙ୍କ ପରିବାର ଲୋକ ତାଙ୍କ ଶବକୁ ସାଇକେଲରେ ୧୫କିମି ବୋହି ଖଇରା ଥାନାକୁ ଆଣୁଥିବାର ଦେଖିବାକୁ ମିଳିଛି। ନ୍ୟାୟ ଦାବିରେ ଖଇରା ଥାନ ଘେରାଉ କରିବେ ବୋଲି ଜଣା ପଡିଛି। ତେବେ ଏନେଇ ଖଇରା ପୁଲିସ ସୂଚନା ପାଇବା ପରେ ତାଙ୍କ ଲାଗି ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ମଧ୍ୟ ପରିବାର ଲୋକ ଆମ୍ବୁଲାନ୍ସରେ ନେବାକୁ ମନା କରିଦେଇଥିଲେ । ଘଟଣାକୁ ୩ ଦିନ ବିତିଗଲାଣି ହେଲେ ଏ ପର୍ଯ୍ୟନ୍ତ କଣ ପାଇଁ ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି।

ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ କଣପାଇଁ ?

ସୂଚନାଯୋଗ୍ୟ ଏନେଇ ଖଇରା ପୁଲିସ କେସ୍‌ ନଂ ୧୨୩/୨୬ରେ ଏକ ମାମଲା ରୁଜୁ କରି ଆକ୍ରମଣରେ ସଂପୃକ୍ତ ଭାରତୀ ଜେନା ନାମକ ମହିଳାଙ୍କୁ ଅଟକ ରଖିଛନ୍ତି। ରବିବାର ପୂର୍ବାହ୍ନରେ ସୁରେନ୍ଦ୍ର ସେଠୀଙ୍କର ଘର ଛାତ ପାଇଁ ସେଣ୍ଟରିଂ କାର୍ଯ୍ୟ ଚାଲିଥିବା ବେଳେ ପଡ଼ୋଶୀ ଭରତ ଜେନା ଓ ତାଙ୍କ ପରିବାରର ଅନ୍ୟମାନେ ଆମ ଜାଗାକୁ କାହିଁକି ମାଡ଼ିଆସିଛ ବୋଲି କହି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଘଟଣା ଉଗ୍ରରୂପ ଧାରଣ କରିବା ପରେ ହଠାତ୍‌ ଭରତ ଓ ତାଙ୍କ ସ୍ତ୍ରୀ ଭାରତୀ ପୁଅ ମାନସ ଓ ମିନତୀ ଉତ୍ତ୍ୟକ୍ତ ହୋଇ ଶାବଳ ଓ କୋଦାଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଶଙ୍କୁନ୍ତଳା,ଝିଅ ତୁଳସୀ ଓ ଭଉଣୀ କମଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତଙ୍କୁ ପ୍ରଥମେ ଖଇରା ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

 

 

ସୌଜନ୍ୟ ସମ୍ବାଦ