ଭୁବନେଶ୍ବର: ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ତେଲ ବିକ୍ରି ହ୍ରାସ ପାଇଛି। ସ୍ବାଭାବିକ ଦିନ ତୁଳନାରେ ଆଜି ପେଟ୍ରୋଲ ଓ ଡିଜେଲ ବିକ୍ରି ୬୦ ପ୍ରତିଶତ କମ୍ ହୋଇଛି। ଯେହେତୁ ଗତ ଚାରି ଦିନରେ ଲୋକମାନେ ବିପୁଳ ପରିମାଣରେ ତେଲ ଗାଡ଼ିରେ ପକାଇଛନ୍ତି, ସେଥିପାଇଁ ଆଜି ଆଉ ଗ୍ରାହକମାନେ ପେଟ୍ରୋଲ ପମ୍ପକୁ ଆସିନାହାନ୍ତି। ଫଳରେ ଦୁଇ ସହରର ବହୁ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ପ୍ରାୟ ଖାଁ ଖାଁ ଥିଲା। କାଁ ଭାଁ ଗ୍ରାହକ ତେଲ ପକାଉଥିବା ଦେଖିବାକୁ ମିଳିଥିଲା। ସାଧାରଣ ଦିନଗୁଡ଼ିକରେ ଭୁବନେଶ୍ବରରେ ୩୪୦ କିଲୋଲିଟର ପେଟ୍ରୋଲ ଓ ୨୩୦ କିଲୋଲିଟର ଡିଜେଲ ବିକ୍ରି ହୋଇଥାଏ।

