TMC leader: ଫାଲଟା ଲଢ଼େଇରୁ ଓହରିଗଲେ ଟିଏମ୍‌ସି ନେତା ଜାହାଙ୍ଗୀର ଖାନ୍‌, ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କଲେ

କୋଲକାତା: ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ୍‌ ଫାଲଟା ଉପନିର୍ବାଚନ ଲଢ଼ିବେନି। ସେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫାଲଟାରେ ମେ’ ୨୧ ତାରିଖରେ ପୁନଃ ଭୋଟ୍‌ ଗ୍ରହଣର ୨ ଦିନ ପୂର୍ବରୁ ଆଜି ଜାହାଙ୍ଗୀର ଖାନ୍‌ ତାଙ୍କର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଘୋଷଣା କରିଛନ୍ତି।  ଖାନ୍‌ କହିଛନ୍ତି, ମୋର ଲକ୍ଷ୍ୟ ହେଉଛି ଫାଲଟାରେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା।  ମୋର ଲକ୍ଷ୍ୟ ଥିଲା ‘ସୋନାର ଫାଲଟା’। ଆମ ମୁଖ୍ୟମନ୍ତ୍ରୀ ଫାଲଟା ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଦେଇଛନ୍ତି।

ଏହି କାରଣ ପାଇଁ ଏବଂ ଫାଲଟାର ବିକାଶ ଓ  ଶାନ୍ତି ପାଇଁ ମୁଁ ମୋ ପ୍ରାର୍ଥିପତ୍ର ପ୍ରତ୍ୟାହାର କରୁଛି।  ତେବେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି କି ଦଳ ପକ୍ଷରୁ ଚାପ ପକାଯାଇଛି ତା’ର ଉତ୍ତରରେ  ଖାନ୍‌ କହିଥିଲେ, ‘ପୂର୍ବରୁ ମୁଁ ଅନେକ ପ୍ରଶ୍ନର ଉତ୍ତର ଦେଇଛି।  ଆଜି ମୁଁ କେବଳ ଏତିକି କହିବି ଯେ ମୁଁ ଏହି ଲଢ଼େଇରୁ ଓହରିଯାଉଛି।’  ଇତିମଧ୍ୟରେ ଟିଏମ୍‌ସି ଏକ ସୋସିଆଲ ମିଡିଆ ପୋଷ୍ଟ୍‌ କରି କହିଛି ଯେ ଫାଲଟା ନିର୍ବାଚନମଣ୍ଡଳୀରେ ଶତାଧିକ ଦଳୀୟ କର୍ମୀ ଗିରଫ ହୋଇଥିବାବେଳେ ଇସି ଏଥିପ୍ରତି ଦୃଷ୍ଟି ଦେଇନାହିଁ। ଦଳ କହିଛି ଜାହାଙ୍ଗୀର ଫାଲଟା ପୁନଃନିର୍ବାଚନରୁ ଓହରିଯିବା ତାଙ୍କ ନିଜସ୍ବ ନିଷ୍ପତ୍ତି।  ମେ’ ୪ ତାରିଖରେ ନିର୍ବାଚନ ଫଳ ବାହାରିବାପରଠାରୁ ଶତାଧିକ ଦଳୀୟ କର୍ମୀ କେବଳ ଫାଲଟାରେ ଗିରଫ ହୋଇଛନ୍ତି। ଅନେକ ଦଳୀୟ ଅଫିସ ଭଙ୍ଗାରୁଜା କରାଯାଇଛି ଏବଂ ଭୟ ‌ଦେଖାଇ ପାର୍ଟି ଅଫିସ ବନ୍ଦ କରାଯାଉଛି।  ଲଗାତାର ଅଭି‌ଯୋଗ ସତ୍ତ୍ବେ ଇସି ଏଥିପ୍ରତି କର୍ଣ୍ଣପାତ କରୁନାହିଁ ବୋଲି ଦଳ କହିଛି।  କିଛି ଲୋକ ପ୍ରବଳ ଚାପର ବଶବର୍ତ୍ତୀ ‌ହୋଇଥିବା ଦଳ କହିଛି।  ଏଥିସହ  ବିଜେପି ବିରୋଧରେ ଆମ ଲଢ଼େଇ ଉଭୟ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

 

 

 

ସୌଜନ୍ୟ ସମ୍ବାଦ