Vulture: ଶାଗୁଣାଙ୍କ ବଂଶବୃଦ୍ଧି ପ୍ରୟାସରେ ସଫଳତା

ଭାରତରୁ ପ୍ରକୃତିର ମେହେନ୍ତର ଶାଗୁଣା ବଂଶ ଏକପ୍ରକାର ବିଲୁପ୍ତି ଦ୍ବାରଦେଶକୁ ଆସିବା ପରେ ସେମାନଙ୍କୁ ବନ୍ଦୀ ଅବସ୍ଥାରେ ରଖି ପ୍ରଜନନ ଦ୍ବାରା ବଂଶବୃଦ୍ଧି ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ଦୁଇ ଦଶନ୍ଧି ପରେ ବର୍ତ୍ତମାନ ସୁଦ୍ଧା…
ନୂଆଦିଲ୍ଲୀ: ଭାରତରୁ ପ୍ରକୃତିର ମେହେନ୍ତର ଶାଗୁଣା ବଂଶ ଏକପ୍ରକାର ବିଲୁପ୍ତି ଦ୍ବାରଦେଶକୁ ଆସିବା ପରେ ସେମାନଙ୍କୁ ବନ୍ଦୀ ଅବସ୍ଥାରେ ରଖି ପ୍ରଜନନ ଦ୍ବାରା ବଂଶବୃଦ୍ଧି ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ଦୁଇ ଦଶନ୍ଧି ପରେ ବର୍ତ୍ତମାନ ସୁଦ୍ଧା ଏପରି ପ୍ରାୟ ୭୦୦ରୁ ଅଧିକ ଶାଗୁଣାଙ୍କୁ ମୁକ୍ତ କରାଯିବା ପରେ ସେମାନେ ବ୍ୟାଘ୍ର ଅଭୟାରଣ୍ୟ ପରି ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ନିଜର ନୂତନ ନିରାପଦ ଆଶ୍ରୟସ୍ଥଳରେ ପରିଣତ କରିଛନ୍ତି।
ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି (ବିଏନ୍ଏଚ୍ଏସ୍) ଏବଂ ରାଜ୍ୟ ସରକାରଙ୍କ ନେତୃତ୍ୱରେ ବିଲୁପ୍ତପ୍ରାୟ ହ୍ୱାଇଟ୍-ରମ୍ପଡ୍, ଲମ୍ବା ଥଣ୍ଟ ଓ ସରୁ ଥଣ୍ଟ ଥିବା ଶାଗୁଣା ପ୍ରଜାତିର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ହରିୟାଣା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଆସାମରେ ସେମାନଙ୍କୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଛି ବୋଲି ବିଏନ୍ଏଚ୍ଏସ୍ ନିର୍ଦ୍ଦେଶକ କିଶୋର ରିଥେ କହିଛନ୍ତି। ଏହି ଶାଗୁଣାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସେମାନଙ୍କଠାରେ ଜିପିଏସ୍ ବ୍ୟବସ୍ଥା ଲଗାଯାଇଛି। ପେଞ୍ଚରୁ ଛଡ଼ାଯାଇଥିବା ଏକ ଲମ୍ବା ଥଣ୍ଡ ଶାଗୁଣା ୧୭ ଦିନରେ ୭୫୦ କିଲୋମିଟର ଯାତ୍ରା କରି ମହାରାଷ୍ଟ୍ରର ନାସିକରେ ପହଞ୍ଚିଥିବା ଜଣାପଡ଼ିଛି। ରିଥେ ଉଲ୍ଲେଖ କରିଛନ୍ତି ଯେ ଦୀର୍ଘକାଳୀନ ସଫଳତା ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ପରି ସଂରକ୍ଷିତ ଅଞ୍ଚଳ ବାହାରେ ସୁରକ୍ଷିତ ଖାଦ୍ୟ ଉତ୍ସର ଉପଲବ୍ଧତା ଉପରେ ନିର୍ଭର କରିବ।
ବିଏନ୍ଏଚ୍ଏସ୍ ପ୍ରଥମେ ୧୯୯୯ ମସିହାରେ ଭାରତୀୟ ଉପମହାଦେଶରେ ଶାଗୁଣା ସଂଖ୍ୟାରେ ତୀବ୍ର ହ୍ରାସକୁ ଡକ୍ୟୁମେଣ୍ଟ୍ କରିଥିଲା ଏବଂ ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଛି ଯେ ପକ୍ଷୀମାନଙ୍କ ମଧ୍ୟରେ ବହୁଳ ମୃତ୍ୟୁ ପାଇଁ ଏକ ପ୍ରାଣୀ ଚିକିତ୍ସା ଅଣ-ଷ୍ଟେରଏଡାଲ୍ ଆଣ୍ଟି-ଇନଫ୍ଲାମେଟୋରି ଔଷଧ (ଏନ୍ଏସ୍ଏଆଇଡି) ଡାଇକ୍ଲୋଫିନାକ୍ ଦାୟୀ ଥିଲା। ଏହା ଜଣାପଡ଼ିବା ପରେ ୨୦୦୬ରେ ଉକ୍ତ ଯନ୍ତ୍ରଣାନିବାରକ ଡାଇକ୍ଳୋଫିନାକ୍ ଔଷଧ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ଏହା ପରେ କେଟୋପ୍ରୋଫେନ୍, ଏସେକ୍ଲୋଫିନାକ୍ ଓ ନିମେସୁଲାଇଡ୍ ପରି ଅନ୍ୟ କ୍ଷତିକାରକ ଔଷଧ ଉପରେ ନିଷେଧାଦେଶ ଜାରି କରାଯାଇଥିଲା ବୋଲି ରିଥେ କହିଛନ୍ତି।
ସମ୍ପୂର୍ଣ୍ଣ ବିଲୁପ୍ତିକୁ ରୋକିବା ପାଇଁ, ବିଏନ୍ଏଚ୍ଏସ୍ ଓ ରାଜ୍ୟ ଜଙ୍ଗଲ ବିଭାଗ ରୟାଲ୍ ସୋସାଇଟି ଫର୍ ଦି ପ୍ରୋଟେକ୍ସନ୍ ଅଫ୍ ବାର୍ଡସ୍ (ଆର୍ଏସ୍ପିବି) ସହାୟତାରେ, ପିଞ୍ଜୋର (ହରିୟାଣା), ରାଜଭଟ୍ଟଖାୱା (ପଶ୍ଚିମବଙ୍ଗ), ରାଣୀ (ଆସାମ) ଓ ଭୋପାଳ (ମଧ୍ୟପ୍ରଦେଶ)ରେ ଚାରୋଟି ଜଟାୟୁ ସଂରକ୍ଷଣ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହି ସୁବିଧାଗୁଡ଼ିକରେ ବର୍ତ୍ତମାନ ୭୪୦ଟି ଶାଗୁଣା ଅଛନ୍ତି। ଏହି କାର୍ଯ୍ୟକ୍ରମରେ ୮୦ଟି ପକ୍ଷୀ ରଖାଯାଇଥିଲା ଏବଂ ବଂଶବୃଦ୍ଧି ପରେ ୧୧୦ଟି ଶାଗୁଣାଙ୍କୁ ଜଙ୍ଗଲରେ ଛଡ଼ାଯାଇଛି।
୨୦୨୦ରେ ହରିୟାଣାରେ ମୁକ୍ତ ହୋଇଥିବା ଧଳା-ରମ୍ପେଡ୍ ଶାଗୁଣାମାନେ ଜଙ୍ଗଲରେ ପ୍ରାକୃତିକ ଭାବରେ ପ୍ରଜନନ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗରୁ ଛଡ଼ାଯାଇଥିବା ୩୧ଟି ପକ୍ଷୀ ଭାରତ, ନେପାଳ ଓ ଭୁଟାନରେ ନିରାପଦରେ ବୁଲାବୁଲି କରୁଛନ୍ତି ଏବଂ ନିଷିଦ୍ଧ ଔଷଧ ସହ ଜଡିତ କୌଣସି ମୃତ୍ୟୁ ରିପୋର୍ଟ ମିଳିନାହିଁ।
୨୦୨୪ ମସିହାରେ ହରିୟାଣାରୁ ୨୦ଟି ଶାଗୁଣା ଓ ୨୦୨୫ରେ ଅନ୍ୟ ୩୪ଟି ଶାଗୁଣାଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରିବା ପାଇଁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସଂରକ୍ଷଣବାଦୀମାନେ କହିଛନ୍ତି ଯେ, ବ୍ୟାଘ୍ର ଅଭୟାରଣ୍ୟ ଆଦର୍ଶ ମୁକ୍ତ ସ୍ଥାନ ପାଲଟିଛି କାରଣ ଏହା ମୁଖ୍ୟତଃ କ୍ଷତିକାରକ ପ୍ରାଣୀ ଚିକିତ୍ସା ଔଷଧରୁ ମୁକ୍ତ ଏବଂ ପ୍ରଚୁର ପ୍ରାକୃତିକ ଖାଦ୍ୟ ଉତ୍ସ ତଥା ସମ୍ବର ପରି ହରିଣ ପ୍ରଜାତିର ବନ୍ୟ ଶବ ଯୋଗାଇଥାଏ। ସର୍ଭେ ଅନୁଯାୟୀ ଅନେକ ସଂରକ୍ଷିତ ଅଞ୍ଚଳ ଓ ବ୍ୟାଘ୍ର ଅଭୟାରଣ୍ୟରେ ଶାଗୁଣା ସଂଖ୍ୟା ବୃଦ୍ଧି ପାଇବା ରେକର୍ଡ କରାଯାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ, ରାଜ୍ୟ ଜଙ୍ଗଲ ବିଭାଗ ଓ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସଂରକ୍ଷଣ ସଂଗଠନର ସହଯୋଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି।
ସୌଜନ୍ୟ ସମ୍ବାଦ




